ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ମୁକ୍ତ ଏବଂ ନିରପେକ୍ଷ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
ଭୂବନେଶ୍ୱର, : ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମସ୍ତ ଆଇନକାନୁନକୁ ଉଲ୍ଲଂଘନ କରିବା ସହିତ ସରକାରୀ କଳ, ବଳ ଏବଂ ଅର୍ଥର ଅପବ୍ୟବହାର ଦ୍ୱାରା ଶାସକ ବିଜେଡି ଭୋଟ ହାତେଇବାର ପ୍ରୟାସ ଆରମ୍ଭ କରିଦେଇଛି । ବିରୋଧୀଙ୍କୁ ପୋଲିସ ଓ ପ୍ରଶାସନର ଭୟ, ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟରେ ବ୍ୟବହାର କରିବା, ବିରୋଧୀଙ୍କୁ ଧମକ ଦେବା ଓ ହତ୍ୟା କରିବା, ଷଡଯନ୍ତ୍ର ରଚି ବିରୋଧୀଙ୍କୁ ବଦନାମ କରିବା, ଅପର୍ଯ୍ୟାପ୍ତ ପରିମାଣର ଟଙ୍କା ବଂଟନ କରି ଭୋଟଙ୍କୁ ପ୍ରଭାବିତ କରିବା ଭଳି ଅନେକ ହୀନ ଘଟଣାର ତଥ୍ୟ ଓ ପ୍ରମାଣ ସହିତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ବାରମ୍ବାର ଅଭିଯୋଗ କରାଯାଉଛି । ମାତ୍ର କୈାଣସି ଗୋଟିଏରେ ମଧ୍ୟ ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅଭିଯୁକ୍ତମାନେ ନିର୍ଭୟରେ ବାହାରେ ବୁଲି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି । ଅନ୍ୟ ପଟେ ଦନ୍ତବିହୀନ ରାଜ୍ୟ ନିର୍ବାଚନ କମିଶନ ଏବଂ ବିଜେଡିର ହାତବାରିସୀ ସାଜିଥିବା ଗୃହ ବିଭାଗର ମିଳିତ ଉଦ୍ୟମରେ ଜନମତକୁ ପ୍ରଭାବିତ କରାଯାଉଛି । ଏହା ଦ୍ୱାରା ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ମୁକ୍ତ ଏବଂ ନିରପେକ୍ଷ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମାଲକିନାଗିରି ଜିଲ୍ଲାରେ ବିଜେପି ପ୍ରାର୍ଥୀ ଶ୍ରୀମତୀ ରିନା କବାସିଙ୍କୁ ଜଣେ ହୋମଗାର୍ଡଙ୍କ ଜରିଆରେ ୧୦ ଲକ୍ଷ ଟଙ୍କାର ଚେକ୍ ଏବଂ ନଗଦ ୫୦ ହଜାର ଟଙ୍କା ଦିଆଯାଇ ତାଙ୍କ ପ୍ରାର୍ଥୀପତ୍ର ଜୋରଜବରଦସ୍ତ ପ୍ରତ୍ୟାହାର କରାଗଲା । ଶ୍ରୀମତୀ କବାସିଙ୍କ ବାପା ଓ ଭାଇଙ୍କ ଦ୍ୱାରା ଯଥେଷ୍ଟ ପ୍ରମାଣ ଦେବା ସତ୍ୱେ ଆଜି ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ । ସେହି ସ୍ଥାନରୁ କେବେହେଲେ ହାରିନଥିବା ବିଜେପିକୁ ଷଡଯନ୍ତ୍ର କରି ନିର୍ବାଚନ ମୈଦାନରୁ ଓହରାଇ ଦିଆଗଲା । ସେହିପରି ଭଦ୍ରକ ଜିଲ୍ଲାର ୨୮ନଂ ଜୋନ ବ୍ରହ୍ମପୁରର ଗାଁର ଶୁବାଷିସ ଗିରିଙ୍କୁ ର୍ସବସାଧାରଣଙ୍କ ସମ୍ମୁଖରେ ଦିନ ୧୦ଟା ସମୟରେ ବିଜେଡି ସମର୍ଥକମାନେ ବାଡେଇ ବାଡେଇ ହତ୍ୟା କରି ପରେ ପୋଖରିରେ ଫିଙ୍ଗି ଦେଇଥିଲେ । ଏହି ପ୍ରସଙ୍ଗରେ ରାଜ୍ୟ ପୋଲିସ ଡିଜି ଓ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବା ପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ହାତ ଉପରେ ହାତ ଥୋଇକି ବସିପଡିଲେ । ଏହି ହତ୍ୟକାଣ୍ଡାରେ ଲିପ୍ତ ଥିବା ବିଜୁ ଜନତା ଦଳର କର୍ମକତାମାନେ ବର୍ତମାନ ନିର୍ଭୟରେ ବାହାରେ ବୁଲୁଛନ୍ତି । ଗଞାମ ଜିଲ୍ଲା ଚିକିଟି ନିର୍ବାଚନମଣ୍ଡଳୀର ପାଟପୁରୁ ବକ୍ଲର କାର୍ଯ୍ୟାଳରେ ପ୍ରାର୍ଥୀ ପତ୍ର ଦାଖଲ ବେଳେ ବିଜେପି ପ୍ରାର୍ଥଙ୍କୁ ପୋଲିସ ଉପସ୍ଥିତିରେ ଗୋଡାଇ ଗୋଡାଇ ହାଣିବାର ପ୍ରମାଣ ଥିବା ସତ୍ୱେ ବର୍ତମାନ ସୁଦ୍ଧା କାହାକୁ ଗରିଫ କରାଯାଇନାହିଁ । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଗତ ୭ ବର୍ଷ ଧରି କାର୍ଯ୍ୟରତ ଜିଲ୍ଲାପାଳଙ୍କୁ ଜାଣିଶୁଣି ବଦଳି କରାଯାଉନାହିଁ । ଜିଲ୍ଲାପାଳଙ୍କ ସ୍ୱାମୀ ସ୍ଥାନୀୟ ସାଂସଦଙ୍କ ଭୂବନେଶ୍ୱରରେ ଥିବା ଘରୋଇ ମେଡିକାଲ କଲେଜରେ ଅବସ୍ଥାପିତ, ଯାହାକି ସଂପୂର୍ଣ୍ଣ ଆଇନକୁ ଉଲ୍ଲଂଘନ କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ଉପସ୍ଥିତ ଥିଲେ ।