27.1 C
Bhubaneswar
Saturday, October 19, 2024
Homeଓଡିଶାପଞ୍ଚାୟତ ପରିବର୍ତ୍ତନ ଦାବି : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ପଞ୍ଚାୟତ ପରିବର୍ତ୍ତନ ଦାବି : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଫୁଲବାଣୀ : ନୂତନ ପଞ୍ଚାୟତ ସୀମା ନିର୍ଦ୍ଧାରଣ ଅନୁଯାୟୀ, କେ ନୂଆ ଗାଁ ବଣ୍ଡଗୁଡା ପଞ୍ଚାୟତର ଅନେକ ଗ୍ରାମକୁ ନୂତନ ଭାବେ ଗଠିତ ଜିରିଡିକିଆ ପଞ୍ଚାୟତରେ ମିଶାଇ ଦିଆଯାଇଛି । ଏହି ସବୁ ଗ୍ରାମବାସୀ ନୂତନ ପଞ୍ଚାୟତ ମୁଖ୍ୟାଳୟ ଜିରିଡିକିଆଠାରୁ ଦୂରରେ ଥିବାରୁ ଗତ ୭ ବର୍ଷ ହେଲା ଏହି ସବୁ ଗ୍ରାମର ଲୋକେ ସେମାନଙ୍କୁ ପୂର୍ବ ଭଳି ବଣ୍ଡଗୁଡା ପଞ୍ଚାୟତରେ ସାମିଲ କରିବା ପାଇଁ ଦାବୀ ଜଣାଇ ଆସୁଛନ୍ତି । କିନ୍ତୁ ପ୍ରଶାସନ କିମ୍ବା ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି । ଏହି ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଜିରିଡିକିଆ ପଞ୍ଚାୟତରେ ନିର୍ବାଚନକୁ ବନ୍ଦ ରଖିବା ପାଇଁ ଦାବୀ ଜଣାଇଥିଲେ ଗ୍ରାମବାସୀ ।

କିନ୍ତୁ ପ୍ରଶାସନ ନ ଶୁଣିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ । ମାମଲା ଅଦାଲତଙ୍କ ବିଚାରାଧୀନ ଥିବା ବେଳେ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଏଭଳି ମାମଲାରେ ପଞ୍ଚାୟତ ନିର୍ବାଚନକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହାକୁ ଅଣଦେଖା କରି ଜିଲ୍ଲା ପ୍ରଶାସନ ଏହି ପଞ୍ଚାୟତରେ ନିର୍ବାଚନ ପ୍ରକ୍ରିୟା ଜାରି ରଖିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଦାବିନେଇ ଗତ ୨ ତାରିଖରେ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ ଦେଇଥିଲେ ଗ୍ରାମବାସୀ । ଯଦି ନିର୍ବାଚନକୁ  ବନ୍ଦ ରଖା ନଯାଏ ତେବେ ୭ ତାରିଖଠାରୁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ୍ ଆଗରେ ଧାରଣା ପ୍ରଦର୍ଶନ କରିବେ ବୋଲି ଲିଖିତ ଭାବେ ଜଣାଇଥିଲେ । ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନ ନେବାରୁ ଆଜି ପୂର୍ବ ନିଷ୍ପତ୍ତି ମୁତାବକ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।

ଜିଲ୍ଲାପାଳ ଗ୍ରାମବାସୀଙ୍କୁ ଡକାଇ ଆଲୋଚନା କରିଥିଲେ ବି କୌଣସି ଫଳ ହୋଇ ନ ଥିବା କହିଛନ୍ତି ଆନ୍ଦୋଳନର ନେତୃତ୍ୱ ନେଉଥିବା ହଳଧର ସେଠୀ, ସନ୍ତୋଷ ପ୍ରଧାନ, ଚୌଧୁରୀ ପ୍ରଧାନ, ସୁଶାନ୍ତ ପ୍ରଧାନ, ଲକ୍ଷ୍ମୀକାନ୍ତ ପ୍ରଧାନ ପ୍ରମୁଖ । ଏନେଇ ଜିଲ୍ଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟଙ୍କୁ ପଚାରିବାରେ ସେ କହିଛନ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଯାହା ରିପୋର୍ଟ ଦିଆଯିବା କଥା ଦିଆ ଯାଇଛି । କମିଶନ ଯାହା ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ । ଏ ପଟେ ଆଜି ସଂଧ୍ୟା ପର୍ଯ୍ୟନ୍ତ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସି ରହିଥିବା ବେଳେ ଆସନ୍ତା କାଲିଠାରୁ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking