ଇସ୍ଲାମାବାଦ୍ : ପାକିସ୍ତାନ ଉପରେ ବୈଦେଶିକ ଋଣ ଭାର ବଢ଼ିବାରେ ଲାଗିଛି । ତଥାପି ଏହି ଦେଶ ନୂଆ ଋଣ ନେବାକୁ ବାଧ୍ୟ ହେଉଛି । ଯାହାର ଏକମାତ୍ର କାରଣ ହେଲା, ପାକିସ୍ତାନର ଦୁର୍ବଳ ଅର୍ଥବ୍ୟବସ୍ଥା । ସାଉଦି ଆରବରୁ ବହୁତ କଡ଼ା ସର୍ତ୍ତରେ ୩ ବିଲିୟନର କ୍ୟାଶ ରିଜର୍ଭ ହାସଲ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଚୀନ ଗସ୍ତରେ ଯାଉଛନ୍ତି । ଯଦିଓ ତାଙ୍କର ଏହି ଗସ୍ତ ବେଜିଂରେ ୪ ଫେବୃଆରୀରୁ ଆରମ୍ଭ ହେଉଥିବା ଶୀତକାଳୀନ ଅଲିମ୍ପିକ୍ସର ଉଦ୍ଘାଟନୀ ସମାରୋହ ପାଇଁ ରହିଛି । କିନ୍ତୁ ଅସଲ ଉଦ୍ଦେଶ୍ୟ ହେଉଛି, ସେଠାରୁ ବି ଋଣ ପ୍ରାପ୍ତ କରିବା । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ଇମ୍ରାନ ଖାନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଠାରୁ ୩ ବିଲିୟନ ଡଲାରର ଋଣ ମାଗିବାକୁ ଯାଉଛନ୍ତି ।
ଇମ୍ରାନଙ୍କ ସହ ୬ ମନ୍ତ୍ରୀ ମଧ୍ୟ ଚୀନ୍ ଯାଉଛନ୍ତି । ତାଙ୍କର ଏହି ଯାତ୍ରା ଆଜି ଠାରୁ ଆରମ୍ଭ । ମଜାଦାର କଥା ହେଉଛି, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଇମ୍ରାନ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇ ପାରିବ କି ନାହିଁ । କାହିଁକି ନା, ଚୀନ୍ ଏ ପର୍ଯ୍ୟନ୍ତ ସାମ୍ନାସାମ୍ନି ସାକ୍ଷାତକୁ ମଞ୍ଜୁରୀ ଦେଇ ନାହିଁ ।୨୦୧୮ରେ କ୍ଷମତାକୁ ଆସିବା ପରେ ଇମ୍ରାନ ସରକାର ଚୀନଠାରୁ ୧୧ ବିଲିୟନ ଡଲାରର ଋଣ ନେଇଥିଲେ । ଏହାର କେବଳ ସୁଧ ଦିଆଯାଇ ଚାଲିଛି, ମୂଳ ଧନ ଏ ପର୍ଯ୍ୟନ୍ତ ଫେରସ୍ତ କରାଯାଇ ନାହିଁ । ଏଥିରୁ ୪ ବିଲିୟନ ଡଲାର ବୈଦେଶିକ ଭଣ୍ଡାର ରୂପେ ପାକିସ୍ତାନୀ ବ୍ୟାଙ୍କଗୁଡ଼ିକରେ ଜମା ରହିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ, ପାକିସ୍ତାନ ଏହି ଟଙ୍କା ବ୍ୟବହାର କରି ପାରିବ ନାହିଁ । ତେବେ ବର୍ତ୍ତମାନ ସମସ୍ୟା ହେଉଛି କି, ଖୋଦ୍ ପାକିସ୍ତାନୀ ଅଧିକାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ବିଶ୍ୱାସ ହେଉ ନାହିଁ ଯେ ଚୀନ୍ ଆହୁରି ୩ ବିଲିୟନ ଡଲାର ଋଣ ଦେବ ।
ରିପୋର୍ଟରେ କୁହାଯାଇଛି, ପାକିସ୍ତାନ ପାଖରେ ଏବେ ମାତ୍ର ୧୬.୧ ବିଲିୟନ ଡଲାରର ବୈଦେଶିକ ଏକ୍ସଚେଞ୍ଜ ଗଚ୍ଛିତ ରହିଛି । ଏହାକୁ ଟେକ୍ନିକାଲ୍ ଭାବରେ ଫରେକ୍ସ ରିଜର୍ଭ କୁହାଯାଇଥାଏ । ଖାସ୍ କଥା ହେଉଛି, ଏଥିରେ ଚୀନ୍, ସାଉଦି ଆରବ ଏବଂ ୟୁଏଇର ଟଙ୍କା ରହିଛି । ସେମାନେ ଏହାକୁ କୌଣସି ବି ସମୟରେ ଉଠାଇ ନେଇ ପାରିବେ । ଆଉ ଯଦି ଏମିତି ହୁଏ, ତା’ ହେଲେ ପାକିସ୍ତାନକୁ ଦେବାଳିଆ ହେବାକୁ ଅଧିକ ସମୟ ଲାଗିବ ନାହିଁ । ସାଉଦି ଆରବ ୨୪ ଘଣ୍ଟା ଭିତରେ ଋଣ ପରିଶୋଧ କରିବାକୁ ସର୍ତ୍ତ ରଖିଛି ।