ହରାରେ: ଜିମ୍ବାୱେ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍ ଟେଲର୍ଙ୍କୁ ବେଶ୍ କିଛି ବର୍ଷ ପାଇଁ ବାସନ୍ଦ ହେବାକୁ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଏହି ପୂର୍ବତନ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ଙ୍କ ବିରୋଧରେ ସ୍ପଟ୍ ଫିକ୍ସିଂ ଅଭିଯୋଗ ରହିଛି । ଅବଶ୍ୟ ତାଙ୍କୁ ମ୍ୟାଚ୍ ଫିକ୍ସିଂ ପାଇଁ ଯୋଗାଯୋଗ କରାଯିବା ନେଇ ଟେଲର୍ ଆଇସିସି ଆଣ୍ଟି-କରପସନ୍ ୟୁନିଟ୍କୁ ସୂଚନା ଦେଇଥିଲେ । କିନ୍ତୁ ଘଟଣାର ପାଖାପାଖି ୪ ମାସ ବିତିଯାଇଥିବାରୁ ତାଙ୍କ ବିରୋଧରେ ଏକାଧିକ ବର୍ଷର ବାସନ୍ଦ ଘୋଷଣା କରାଯାଇପାରେ । ୨୦୧୯ ଅକ୍ଟୋବରରେ ଏକ ଟି-୨୦ ପ୍ରତିଯୋଗିତା ଆୟୋଜନ ପାଇଁ ଟେଲର୍ ଭାରତ ଆସିଥିବା ବେଳେ ତାଙ୍କୁ ଜଣେ ଭାରତୀୟ ବ୍ୟବସାୟୀ ଯୋଗାଯୋଗ କରିଥିଲେ । ଏକ ମ୍ୟାଚ୍ ଫିକ୍ସିଂ ପାଇଁ ତାଙ୍କୁ ୧୫ ହଜାର ଆମେରିକୀୟ ଡଲାର୍ ଅର୍ଥ ଯାଚିଥିଲେ ।
ତା’ଛଡ଼ା କାର୍ଯ୍ୟ ଶେଷ ହେବା ପରେ ତାଙ୍କୁ ଆହୁରି ୨୦ ହଜାର ଆମେରିକୀୟ ଡଲାର୍ ଅର୍ଥ ଦେବାକୁ ମଧ୍ୟ ଉକ୍ତ ବ୍ୟବସାୟୀ ଜଣକ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେ ଏହି ଅର୍ଥ ଗ୍ରହଣ କରି ନ ଥିଲେ କି ସେ ଜଣେ ଠକ ନୁହନ୍ତି ବୋଲି ଟେଲର୍ ସୋମବାର ଟ୍ୱିଟର୍ରେ ଅପଲୋଡ୍ କରିଥିବା ତାଙ୍କ ବିବୃତିରେ ଦର୍ଶାଇଛନ୍ତି । ତେବେ ଉକ୍ତ ବ୍ୟବସାୟୀ ଜଣକ ତାଙ୍କୁ ବ୍ଲାକମେଲ୍ କରୁଥିବାରୁ ଭୟଭୀତ ହୋଇ ଟେଲର୍ ସ୍ପଟ୍ ଫିକ୍ସିଂ ନେଇ ସୂଚନା ଦେବାରେ ଯଥେଷ୍ଟ ବିଳମ୍ବ କରିଥିବା ସ୍ୱୀକାର କରିଛନ୍ତି । ୩୫ ବର୍ଷୀୟ ଟେଲର୍ ଜିମ୍ବାୱେ ପାଇ ୩୪ଟି ଟେଷ୍ଟ୍, ୨୦୫ଟି ଦିନିକିଆ ଓ ୪୫ଟି ଟି-୨୦ ଖେଳିବା ପରେ ଗତ ବର୍ଷ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ । ସୂଚନାଯୋଗ୍ୟ ଯେ ଗତବର୍ଷ ଏପ୍ରିଲ୍ରେ ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା କୋଚ୍ ହିଥ୍ ଷ୍ଟ୍ରିକ୍ଙ୍କୁ ମଧ୍ୟ ସ୍ପଟ୍ ଫିକ୍ସିଂ ମାମଲାରେ ୮ ବର୍ଷ ପାଇଁ ଆଇସିସି ପକ୍ଷରୁ ବାସନ୍ଦ କରାଯାଇସାରିଛି ।