ଭୋଟ ଦିନ ସବୈତନିକ ଛୁଟି କର
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଉପରେ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁତ୍ୱାରୋପ କରିଛନ୍ତି । ମତଦାନର ୪୮ ଘଣ୍ଟା ପୂର୍ବରୁ ଏବଂ ମତଦାନ ପରଦିନ ପର୍ଯ୍ୟନ୍ତ ଯେଉଁ ସ୍ଥାନରେ ନିର୍ବାଚନ ହେଉଥିବ, ସେଠାରେ ମଦର ବିକ୍ରୟ ଓ ବଣ୍ଟନ ଉପରେ ନିଷେଧାଦେଶ ଜାରି ହୋଇଛି । କେବଳ ମଦ ନୁହେଁ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଉପରେ ବି ନିଷେଧାଦେଶ କରାଯାଇଛି । ଉଲ୍ଲଙ୍ଘନ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସଂପୃକ୍ତ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ଚଳିତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସଂପାଦନ କରିବା ନିମନ୍ତେ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀ ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମତଦାନ କେନ୍ଦ୍ରକୁ ଯିବା କିମ୍ବା ମତଦାନ କେନ୍ଦ୍ର ନିକଟରେ ଚଳପ୍ରଚଳ ହେବା ଉପରେ ନିଷେଧାଦେଶ ଜାରି କରାଯାଇଛି ।
ବିଶେଷକରି ୧୪ ଫେବୃଆରୀ ୨୦୨୨ ଅପରାହ୍ଣ ୫ଠାରୁ ୧ ମାର୍ଚ୍ଚ ୨୦୨୨ରିଖ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ, ପୁଲିଙ୍ଗ ଅଧିକାରୀ, ପୁଲିସ୍ ଅଧିକାରୀ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମତଦାନ କେନ୍ଦ୍ର କିମ୍ବା ମତଦାନ କେନ୍ଦ୍ର ଆଖପାଖ ଅଞ୍ଚଳରେ ରହିପାରିବେ ନାହିଁ । ଏହି ସମୟରେ ଅନ୍ୟ ସ୍ଥାନକୁ ମାଦକ ଦ୍ରବ୍ୟର ପରିବହନ, ହୋଟେଲ କିମ୍ବା ରେଷ୍ଟୁରାଣ୍ଟ, ଦୋକାନରେ ଅବା ଅନ୍ୟ କୌଣସି ଠାରେ ମଦର ବ୍ୟବହାର କରାଯାଇପାରିବ ନାହିଁ । ରାଜ୍ୟ ଅବକାରୀ ବିଭାଗକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀ ପାଢ଼ୀ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ମତଦାନ ନିମନ୍ତେ ସମସ୍ତ ସରକାରୀ କର୍ମଚାରୀ, ବେସରକାରୀ ଅନୁଷ୍ଠାନର କର୍ମଚାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନର କର୍ମଚାରୀଙ୍କୁ ମତଦାନ ଦିନଟିକୁ ରାଜ୍ୟ ନିର୍ବାଚନ କମିଶନ ସବୈତନିକ ଛୁଟି ଦିନ ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ।
ଯେଉଁ କର୍ମଚାରୀଙ୍କର ମତଦାନ କେନ୍ଦ୍ରଠାରୁ କର୍ମସ୍ଥଳ ଦୂର ହୋଇଥିବ, ସେମାନେ ତିନିଦିନ ସ୍ୱତନ୍ତ୍ର ସିଏଲ୍ ପାଇବେ ଓ ନିର୍ବାଚନ ହେଉଥିବା ଅଞ୍ଚଳରେ ସମସ୍ତ କର୍ମଚାରୀଙ୍କୁ ମତଦାନର ସୁଯୋଗ ଦେବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଭୋଟ ଗ୍ରହଣ ଦିନକୁ ସଂପୃକ୍ତ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟିକ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସଂପୃକ୍ତ ଅଞ୍ଚଳରେ ଜୁଡିସିଆଲ୍ କୋର୍ଟ ଥାଏ, ତାହାଲେ ଭୋଟ ଗ୍ରହଣ ଦିନ କୋର୍ଟ ମଧ୍ୟ ବନ୍ଦ ରହିବ ।
ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଅନୁଷ୍ଠାନ କିମ୍ବା ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ନିର୍ବାଚନରେ ମତଦାନର ସୁଯୋଗ ଦେବା ପାଇଁ ମତଦାନ ଦିବସକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା ହୋଇଛି । ଗ୍ରାମାଞ୍ଚଳରେ ରହି ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକ, କାରିଗରମାନେ ଏହାର ସୁଯୋଗ ନେଇ ମତଦାନ କରିପାରିବେ । ଶ୍ରମ ବିଭାଗକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି ବୋଲି ଶ୍ରୀ ପାଢ଼ୀ ସ୍ପଷ୍ଟ କରିଛନ୍ତି । ଉଲ୍ଲେଖନୀୟ ଯେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ତଦନୁଯାୟୀ ଆସନ୍ତା ଫେବୃଆରୀ ୧୬ରୁ ଫେବୃଆରୀ ୨୪ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।