27.1 C
Bhubaneswar
Monday, November 18, 2024
Homeଖେଳକୋହଲିଙ୍କୁ ଅନୁଷ୍କାଙ୍କ ଆବେଗଭରା ଲେଖା....

କୋହଲିଙ୍କୁ ଅନୁଷ୍କାଙ୍କ ଆବେଗଭରା ଲେଖା….

ମୁମ୍ବାଇ : କୋହଲି ଟେଷ୍ଟ୍ ଅଧିନାୟକ ପଦ ଛାଡ଼ିବା ପରେ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ସାମାଜିକ ଗଣମାଧ୍ୟମରେ ଆବେଗଭରା ଲେଖା ଲେଖିଛନ୍ତି। ଏଥିରେ ଅଛି କୋହଲିଙ୍କ ପ୍ରତି ସମ୍ମାନ, ଭଲପାଇବା, କୋହ ଏବଂ ତାଙ୍କ ସମର୍ପଣ ଭାବର ବଳିଷ୍ଠ ଝଲକ। ଅନୁଷ୍କା ମଧ୍ୟ ନିଜ ବାର୍ତ୍ତା ମାଧ୍ୟମରେ କୋହଲିଙ୍କ ମନୋବଳ ବଢ଼ାଇବାକୁ ଚେଷ୍ଟା କରିଛନ୍ତି। କୋହଲି ପ୍ରଥମ ଥର ଭାରତୀୟ ଦଳର ଅଧିନାୟକ ପଦ ଗ୍ରହଣ କରିବା କଥା‌ ମନେ ପକାଇ ଅନୁଷ୍କା ଲେଖିଛନ୍ତି ଯେ ୨୦୧୪ ମସିହାର ସେହି ଘଟଣାବହୁଳ ଦିନ ମୋର ପୂରା‌ ମନେ ଅଛି। ଧୋନି ଟେଷ୍ଟ୍ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିବାରୁ ତୁମକୁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଗଲା ବୋଲି ତୁମେ ମୋତେ ସେଦିନ କହିଥିଲ।

ମୋର ଠିକ୍ ମନେ ଅଛି ଏମଏସ୍, ତୁମେ ଓ ମୁଁ ସେଦିନ ଏଥିନେଇ ଢେର ସମୟ କଥା ହୋଇଥିଲେ। ମୁଁ ତୁମକୁ ଥଟ୍ଟା‌ କରିବାକୁ ଯାଇ କହିଥିଲି ଯେ ଏବେ ତୁମ ଦାଢ଼ି ପାଚିବା ଆରମ୍ଭ ହୋଇଯିବ। ଏକଥାକୁ ନେଇ ଆମେ ତିନି ଜଣ ଯାକ ଖୁବ୍ ହସିଥିଲେ। ସେବେଠୁ ତୁମ ଦାଢ଼ି ପାଚିବାଠାରୁ ଆହୁରି ଅନେକ କିଛି ମୁଁ ଦେଖି ଆସିଛି। ତୁମ ବ୍ୟକ୍ତିତ୍ବ ସହ ବାହାର ଦୁନିଆରେ ହୋଇଥିବା ପରିବର୍ତ୍ତନକୁ ଅନୁଭବ କରିଛି। ହଁ, ଭାରତୀୟ ଦଳର ଅଧିନାୟକ ଭାବେ ତୁମେ କରିଥିବା ଅଭିବୃଦ୍ଧି ଏବଂ ତୁମ ନେତୃତ୍ବରେ ଦଳ ହାସଲ କରିଥିବା‌ ସଫଳତା ନେଇ ମୁଁ ବେଶ୍ ଗର୍ବିତ। ହେଲେ ତୁମେ ତୁମ ଭିତରେ ହାସଲ କରିଥିବା ପ୍ରଚଣ୍ଡ ଅଭିବୃଦ୍ଧି ମୋତେ ସବୁଠୁ ବେଶି ଆତ୍ମସ‌ନ୍ତୋଷ ଓ ଖୁସି ଦେଇଛି।

କ୍ରିକେଟ୍ ଜଗତରେ କୋହଲିଙ୍କ ଆଦ୍ୟପର୍ବକୁ ରୋମନ୍ଥନ କରିବାକୁ ଯାଇ ଅନୁଷ୍କା ଆହୁରି ଲେଖିଛନ୍ତି ଯେ ୨୦୧୪ ବେଳକୁ ଆମେ ଏକଦମ୍ ପିଲାଳିଆ ଓ ଅପରିପକ୍ବ ଥିଲେ। ସକାରାତ୍ମକ ଭାବନା, ଉନ୍ନତ ଚିନ୍ତାଧାରା ଏବଂ ଅଭିମୁଖ୍ୟ ଜୀବନରେ ଆଗକୁ ବଢ଼ିବାର ମୂଳମନ୍ତ୍ର ବୋଲି ଆମେ ସେତେବେଳେ ଭାବୁଥିଲେ। ଏହା ଅନେକାଂଶରେ ସତ, ହେଲେ ଏକଥା ବି ସତ ଯେ ବିନା ଆହ୍ବାନରେ ଜୀବନ ଆଗକୁ ବଢ଼େନି। ତୁମେ ସମ୍ମୁଖୀନ ହୋଇଥିବା ଅନେକ ଆହ୍ବାନ ପଡ଼ିଆ ଭିତରର ନୁହେଁ, ହେଲେ ଏହା ହିଁ ଜୀବନ। ଅପ୍ରତ୍ୟାଶିତ ଭାବେ ଏବଂ ଅଚାନକ ଏହା ତୁମର ପରୀକ୍ଷା ନେବା ଆରମ୍ଭ କରିଦିଏ। ପ୍ରିୟତମ! ତୁମ ଭାବନା ଥିଲା ସକାରାତ୍ମକ। କୌଣସି ପରିସ୍ଥିତିରେ ତୁମେ ଏହାକୁ ବଦଳାଇନ, ସେଥିଲାଗି ମୁଁ ଅତ୍ୟନ୍ତ ଗର୍ବିତ। ଜିତିବା ପାଇଁ ତୁମେ ସବୁକିଛି ବାଜିରେ ଲଗାଇ ଦେଉଥିଲ। କାଣିଚାଏ ଶକ୍ତି ଥିବା ପର୍ଯ୍ୟନ୍ତ ଲଢ଼ିଛ। ହାରିବା ପରେ ତୁମ ଆଖିରେ ଲୋତକ ଆସିଥିବାର କୋହଭରା ଦୃଶ୍ୟକୁ ମୁଁ ତୁମ ପାଖରେ ବସି ଅନେକ ଥର ଦେଖିଛି।

ମୁଁ ସେତେବେଳେ ହୃଦୟଙ୍ଗମ କରିଛି ତୁମେ ସେତେବେଳେ ଭାବୁଥାଅ, ମୁଁ ଆହୁରି କିଛି କରି ପାରିଥା’ନ୍ତି କି? ତୁମେ ଏପରି ଥିଲ ଏବଂ ସମସ୍ତଙ୍କଠାରୁ ଏହା ହିଁ ଆଶା କରୁଥିଲ। ତୁମେ ଅଣପାରମ୍ପରିକ ଏବଂ ସ୍ପଷ୍ଟବାଦୀ ଥିଲ। ଛଳନା ଥିଲା ତୁମ ପରମ ଶତ୍ରୁ, ଆଉ ଏହା ହିଁ ତୁମ ପ୍ରଶଂସକ ଓ ମୋ ଦୃଷ୍ଟିରେ ତୁମକୁ ମହାନ କରେ। ଏସବୁ ପଛରେ ତୁମ ପବିତ୍ରତା ଏବଂ ନିର୍ଭେଜାଲ ଭାବନା ଲୁଚି ରହିଥିଲା। ସତ କହିବାକୁ ଗଲେ ଏହି ଗହନ କଥାକୁ ସମସ୍ତେ ବୁଝି ପାରିବେନି । ନିଜ ଲେଖାରେ ଅନୁଷ୍କା ମଧ୍ୟ କୋହଲିଙ୍କ ମନୋବଳବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କ ଆତ୍ମବିଶ୍ବାସ ବଢ଼ାଇଲା ଭଳି କଥା କହିବାକୁ ଯାଇ ଲେଖିଛନ୍ତି, ‘‘ମୁଁ ପୂର୍ବରୁ କହିଛି, ଏବେ ବି କହୁଛି, ତୁମେ ଖାଲି ଆଖିରେ ଯେଭଳି ଲାଗ ସେମିତି ଆଦୌ ନୁହଁ। ବରଂ ମୁଁ କହିବି ତୁମ ଭିତରେ ଲୁଚି ରହିଥିବା ଗୁଣକୁ ଯେଉଁମାନେ ଚିହ୍ନିଛନ୍ତି ସେମାନେ ଭାଗ୍ୟଶାଳୀ।

ତୁମେ ହୁଏତ ଷୋଳ କଳାର ଅଧିକାରୀ ନୁହଁ। ତୁମର ବି ଦୋଷ ଦୁର୍ବଳତା ରହିଛି। ହେଲେ ତୁମେ ଏହାକୁ କେବେ ବି ଲୁଚାଇବାକୁ ଚେଷ୍ଟା କରିନ। ସବୁବେଳେ ସତ୍ୟନିଷ୍ଠ ଓ କଠିନ ପଥର ପଥିକ ହୋଇ ରହିଆସିଛ। ତୁମେ କେବେ ବି ବ୍ୟକ୍ତିଗତ ଫାଇଦା କିମ୍ବା ଲୋଭକୁ ଗୁରୁତ୍ବ ଦେଇନ। ଏହି ସ୍ଥାନ (ଟେଷ୍ଟ୍ ଅଧିନାୟକ ପଦ)କୁ ବି ନୁହେଁ। ଏକଥା ମୁଁ ଭଲ ଭାବରେ ଜାଣିଛି। କାରଣ କୌଣସି ଜିନିଷକୁ ଯଦି କେହି ଜୋର୍‌ରେ ଜାବୁଡ଼ି ଧରେ ତାହେଲେ ସେ ସୀମିତ ହୋଇଯାଏ। ଆଉ ପ୍ରିୟତମ ତୁମେ ହେଉଛ ଅସୀମିତ। ତୁମର ଏହି ୭ ବର୍ଷର ଯାତ୍ରାକୁ ଆମ ଝିଅ ଯେତେଥର ଶିକ୍ଷା ଭାବେ ନେବ ସବୁଥର ତୁମେ କେବଳ ଭଲ ହିଁ କରିଛ ବୋଲି ପାଇବ। ସ୍ନେହ ଓ ଭଲପାଇବା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking