ଭୁବନେଶ୍ୱର : ଓଡ଼ିଶାର ଉତ୍ତରାଞ୍ଚଳରେ, ବିଶେଷତଃ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀମାନଙ୍କର ମକରଯାତ୍ରା ଏକ ପ୍ରଧାନ ପର୍ବ । ଏହି ଅଞ୍ଚଳରେ ବସ ବାସ କରୁ ଥିବା କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ଟୁସୁ ପରବ ରୂପେ ପାଳନ କରିଥା’ନ୍ତି । ମକର ସଂକ୍ରାନ୍ତିର ପୂର୍ବରୁ ଓ ପରେ ସମସ୍ତଙ୍କ ଘରେ ଭିନ୍ନଭିନ୍ନ ପ୍ରକାର ବ୍ୟଞ୍ଜନ ବିଭିନ୍ନ ଦିନରେ ହୋଇଥାଏ । ଏହି ପର୍ବରେ ସମସ୍ତେ ନୂଆବସ୍ତ୍ର ପରିଧାନ କରନ୍ତି । ନାଚଗୀତ ଓ ଭୋଜିଭାତରେ ମାଧ୍ୟମରେ ଏହିପର୍ବକୁ ମହା ଆନନ୍ଦରେ ଆଦିବାସୀମାନେ ପାଳନ କରିଥା’ନ୍ତି । ମକର ପର୍ବର ଟୁସୁଗୀତ ଅତ୍ୟନ୍ତ ହୃଦୟସ୍ପର୍ଶୀ । ଓଡ଼ିଶାର ସମତଳ ଅଞ୍ଚଳ ଅପେକ୍ଷା ମାଳ ଅଞ୍ଚଳରେ ମକର ଯାତ୍ରା ବଡ ଜାକଜମକକରେ ଦୀର୍ଘଦିନ ଧରି ପାଳନ କରାଯାଏ । ପ୍ରାୟ ପ୍ରତ୍ୟେକ ଆଦିବାସୀ ଗୋଷ୍ଠି ଏହି ପର୍ବ ପାଳନ କରନ୍ତି । ଏହି ସମୟରେ ଆଦିବାସୀ ଅଞ୍ଚଳଗୁଡିକ ଯାତ୍ରା ମେଳଣର ଆମୋଦପ୍ରମୋଦରେ ଜୀବନ୍ତ ହୋଇଉଠେ । ସେମାନଙ୍କ ପରମ୍ପରାରେ ମକରଯାତ୍ରା ଏକ ସ୍ନେହ, ପ୍ରେମ ଓ ସଦ୍ଭାବନାର ମହୋତ୍ସବ ।
କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଆସାମ, ବଙ୍ଗଳା ଓ ଓଡ଼ିଶା ପ୍ରଭୃତି ସ୍ଥାନରେ କୃଷକମାନେ ମକର ପର୍ବକୁ ଦୁଇଦିନ ବା ତିନିଦିନ ପାଳନ କରିଥା’ନ୍ତି । ଦକ୍ଷିଣ ଭାରତରେ ଏହା ପୋଙ୍ଗଲ ଓ ଅନ୍ୟାନ୍ୟ ସ୍ଥାନରେ ଭୋଗୀ ପର୍ବ ଭାବେ ପରିଚିତ । ଏହିଦିନଠାରୁ ଦକ୍ଷିଣରେ ନୂଆବର୍ଷ ଆରମ୍ଭ ହୋଇଥାଏ । ଏହିପର୍ବଟିକୁ ଦାକ୍ଷିଣାତ୍ୟରେ ତିନିଦିନ ଧରି ପାଳନ କରାଯାଇଥାଏ ।