ଭୁବନେଶ୍ୱର: ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ପୁଲିସ ସ୍କାନର୍ରେ ଥିବା ତିନିଜଣ ସନ୍ଦିଗ୍ଧଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ସୋମବାର ରାଜ୍ୟ ଫରେନ୍ସିକ ଲ୍ୟାବ୍ରେ ଜଣେ ମହିଳାଙ୍କ ସମେତ ଦୁଇଜଣ ଯୁବକଙ୍କ ଏହି ପରୀକ୍ଷା କରାଯାଇଛି । ମୃତ୍ୟୁ ପୂର୍ବରୁ ଚିତ୍ତରଞ୍ଜନ ସଂସ୍ପର୍ଶରେ ଏମାନେ ଆସିଥିଲେ । ତେଣୁ ଚିତ୍ତରଞ୍ଜନଙ୍କ ମୃତ୍ୟୁ ପଛରେ ଏମାନଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରିଛି । ବିଶେଷକରି ଚିତ୍ତରଞ୍ଜନଙ୍କ ସାଙ୍ଗରେ ଯାଇଥିବା ଜଗାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚରାଯାଇଛି ।
ସେଦିନ ରାତିରେ କିଏ କିଏ ଭୋଜି କରୁଥିଲେ, ସମ୍ପୃକ୍ତ ମହିଳାଙ୍କ ଘରକୁ କାହିଁକି ଯାଇଥିଲେ, ମୃତ୍ୟୁ ପୂର୍ବରୁ ଚିତ୍ତଙ୍କ ସହ ଝଗଡ଼ା ହୋଇଥିଲା କି, ଏଭଳି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଛି । ଏଭଳି କରି ୩ଜଣଙ୍କୁ ପାଖାପାଖି ଦୁଇଶହ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି । ସୋମବାର ପୂର୍ବାହ୍ଣ ୧୧ଟା ସମୟରେ ସନ୍ଦିଗ୍ଧମାନଙ୍କୁ ରସୁଲଗଡ଼ ସ୍ଥିତ ରାଜ୍ୟ ଫରେନ୍ସିକ ଲ୍ୟାବ୍କୁ ଅଣାଯାଇଥିଲା । ସେଠାରେ ପୃଥକ ଭାବେ ସମସ୍ତଙ୍କର ଟେଷ୍ଟ ହୋଇଥିଲା । ଅନ୍ୟପକ୍ଷେ ଚିତ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଭିସେରା ରିପୋର୍ଟ ଓ ଡାଏଟମ୍ ଟେଷ୍ଟ ରିପୋର୍ଟ ଆସିବା ପରେ କ୍ରାଇମବ୍ରାଞ୍ଚକୁ ଦିଆଯିବ ବୋଲି ପୁରୀ ସିଡିଏମ୍ଓ କହିଛନ୍ତି ।
ଏହିସବୁ ରିପୋର୍ଟ ଏବଂ ସନ୍ଦିଗ୍ଧଙ୍କ ବୟାନ ଆଧାରରେ ପୁଲିସ ତଦନ୍ତ ଚଳାଇଛି । କୋର୍ଟରେ ପଲିଗ୍ରାଫି ଟେଷ୍ଟକୁ ପ୍ରମାଣସ୍ୱରୂପ ଭାବେ ନିଆଯାଉନଥିବାବେଳ ତଦନ୍ତରେ ସହାୟ ପାଇଁ ସନ୍ଦିଗ୍ଧଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ସନ୍ଦିଗ୍ଧମାନେ ପୂର୍ବରୁ ପୁଲିସକୁ ଦେଇଥିବା ବୟାନ ଓ ଅଲଗା କିଛି ପ୍ରଶ୍ନକୁ ନେଇ କ୍ରାଇମବ୍ରାଞ୍ଚ ପ୍ରଶ୍ନାବଳୀ ପ୍ରସ୍ତୁତ କରିଥିଲା । ସେହି ଆଧାରରେ ସେମାନଙ୍କୁ ପଚରାଯାଇଛି । ରିପୋର୍ଟ ଆସିବା ପରେ ସନ୍ଦିଗ୍ଧମାନେ କେତେ ସତ ଓ କେତେ ମିଛ କହିଛନ୍ତି, ତାହା ସ୍ପଷ୍ଟ ହୋଇଯିବ ।