ଭୁବନେଶ୍ୱର: ସରକାରୀ ଚାକିରି ଦେବା ନାଁରେ ଲୋଭନୀୟ ପ୍ରତିଶ୍ରୁତି ଦେଇ ୩୦ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଭଦ୍ରକ ଜିଲ୍ଲା ଧାମନଗରର ପୀତବାସ ପଣ୍ଡା । ସେ ପାହାଳ ଫାଣ୍ଡି ଅନ୍ତର୍ଗତ ନଖରା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ପୀତବାସଙ୍କ ନାଁରେ ସହିଦନଗର ଥାନାରେ ୩ଟି ମାମଲା ରହିଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି । ସୂଚନା ଥାଉକି, ଭଦ୍ରକ ଜିଲ୍ଲା ଧାମନଗରରୁ ଆସି ଭୁବନେଶ୍ୱର ନଖରା ଅଞ୍ଚଳରେ ଘର ଭଡ଼ା ନେଇ ପୀତବାସ ରହୁଥିଲେ । ଏଠାରେ ରହି ସେ ବିଭିନ୍ନ କଲେଜର ଛାତ୍ର ଓ ଲୋକଙ୍କୁ ସରକାରୀ ବିଭାଗରେ ଚାକିରୀ ଦେବାକୁ କହି ପାଖାପାଖି ୩୦ଲକ୍ଷ ଟଙ୍କା ଠକେଇ କରିଥିଲା । ଏନେଇ ସୁରେଖା ଛୋଟରାୟ ନାମ୍ନୀ ଜଣେ ମହିଳା ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ନଖରା ଅଞ୍ଚଳରୁ ସୋମବାର କାବୁ କରିଛି ।