ବେଙ୍ଗାଲୁର: ଆହତ କାରଣରୁ ସାଉଥ୍ ଆଫ୍ରିକା ଗସ୍ତରୁ ବାଦ୍ ପଡ଼ିଥିବା ଭାରତର ସୀମିତ ଓଭର୍ ଅଧିନାୟକ ରୋହିତ ଶର୍ମା ଓ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡୋଜା ବେଙ୍ଗାଲୁରୁସ୍ଥିତି ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ରିହାବିଲିଟେସନ୍ ଆରମ୍ଭ କରିଛନ୍ତି । ନିକଟରେ ରୋହିତ ଓ ଜାଡେଜା ଏନ୍ସିଏରେ ଟ୍ରେନିଂ କରୁଥିବା ଅଣ୍ଡର-୧୯ ଟିମ୍ର ଅଧିନାୟକ ୟଶ୍ ଧୁଲ୍ଙ୍କ ସହିତ ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ଦେଖିବାକୁ ମିଳିଥିଲା । ୟୁଏଇରେ ଡିସେମ୍ବର ୨୩ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପୂର୍ବରୁ ଭାରତୀୟ ଅଣ୍ଡର-୧୯ ଟିମ୍ର ଏବେ ଏନ୍ସିଏରେ କ୍ୟାମ୍ପ୍ ଚାଲିଛି ।
ଗତ ସପ୍ତାହରେ ବିରାଟ କୋହଲିଙ୍କ ସ୍ଥାନରେ ଦିନିକିଆ ଟିମ୍ର ଅଧିନାୟକ ନିଯୁକ୍ତ କରାଯାଇଥିବା ରୋହିତ ଶର୍ମା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଉପଅଧିନାୟକ ଭାବେ ସାଉଥ୍ ଆଫ୍ର ଗସ୍ତ କରିବାର ଥିଲା । ମାତ୍ର ଅଭ୍ୟାସ ବେଳେ ହାମ୍ଷ୍ଟ୍ରିଙ୍ଗ୍ରେ ଆଘାତ ଲାଗିବା କାରଣରୁ ତାଙ୍କୁ ୠସ୍ତରୁ ଓହରିବାକୁ ପଡ଼ିଥିଲା । ସେ ଠିକ୍ ହେବା ପାଇଁ ୩ରୁ ୪ ସପ୍ତାହ ଲାଗିପାରେ ବୋଲି କୁହାଯାଉଛି। ଗୁରୁବାର ଭାରତୀୟ ଟିମ୍ ଟେଷ୍ଟ ପାଇଁ ଗୁରୁବାର ସାଉଥ୍ ଆଫ୍ରିକାରେ ପହଞ୍ଚିସାରିଛି ।
ଏହି ଗସ୍ତ ପାଇଁ ରୋହିତଙ୍କ ସ୍ଥାନରେ ଭାରତୀୟ ଟିମ୍ରେ ଭାରତ-ଏ’ ଅଧିନାୟକ ପ୍ରିୟାଙ୍ଗ ପାଞ୍ଚାଲ୍ଙ୍କୁ ସାମିଲ କରାଯାଇଛି । ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତା ୨୬ରୁ ସେଞ୍ଚୁରିଅନ୍ରେ ଖେଳାଯିବାକୁ ଥିବାବେଳେ ଅନ୍ୟ ଦୁଇଟି ଟେଷ୍ଟ ଜୋହାନ୍ସବର୍ଗ (ଜାନୁଆରୀ ୩-୭) ଓ କେପ୍ଟାଉନ୍ (ଜାନୁଆରୀ ୧୧-୧୫)ରେ ହେବ । ରୋହିତ ଆହତ ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟ ଟିମ୍ର ଉପଅଧିନାୟକଙ୍କ ନାମ ଘୋଷଣା କରାଯାଇ ନାହିଁ ।