ଆବୁଧାବି: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ରେ ଭାରତକୁ ଅନ୍ୟତମ ଟାଇଟଲ୍ ଦାବିଦାର କୁହାଯାଉଥିଲେ ହେଁ ଦଳ ନିଜର ପ୍ରଦର୍ଶନରେ ପ୍ରଶଂସକଙ୍କୁ ନିରାଶ କରିଥିଲା । ପ୍ରଥମ ଦୁଇଟି ମ୍ୟାଚ୍ରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ୍ଠାରୁ ଶୋଚନୀୟ ଭାବେ ପରାସ୍ତ ହେବା ଫଳରେ ଦଳ ସେମିଫାଇନାଲ୍ ଯୋଗ୍ୟତା ପାଇବା ନେଇ ଯଥେଷ୍ଟ ସନ୍ଦେହ ରହିଛି । ଅବଶ୍ୟ ଦଳ ଅବଶିଷ୍ଟ ତିନିଟି ମ୍ୟାଚ୍ରେ ବିଜୟୀ ହେଲେ, ଅନ୍ୟ କୌଣସି ଦଳର ଦୁର୍ବଳ ପ୍ରଦର୍ଶନ ଏହାକୁ ସେମିଫାଇନାଲ୍ରେ ପହଞ୍ଚାଇବାର ସାମାନ୍ୟ ଆଶା ରହିଛି । ଇତିମଧ୍ୟରେ ବୁଧବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପ୍ରତିଯୋଗିତାରେ ତା\’ର ପ୍ରଥମ ବିଜୟ ହାସଲ କରିଛି । ଆଫଗାନିସ୍ତାନକୁ ଦଳ ବୃହତ୍ ୬୬ ରନ୍ରେ ପରାସ୍ତ କରି ଗ୍ରୁପ୍-୨ର ଏହି ଦଳ ତା\’ର ପଏଣ୍ଟ୍ ଖାତା ଖୋଲିଛି । ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ଫଳରେ ଭାରତ ବ୍ୟାଟିଂ କରିଥିଲା । କିନ୍ତୁ ଓପନର୍ ରୋହିତ ଶର୍ମା ଓ ଲୋକେଶ ରାହୁଲ୍ଙ୍କ ସହ ଋଷଭ ପନ୍ତ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆଫଗାନିସ୍ତାନ ବୋଲର୍ଙ୍କୁ ନିର୍ଧୂମ୍ ପ୍ରହାର କରିବା ଫଳରେ ଟିମ୍ ଇଣ୍ଡିଆ ୨ଟି ୱିକେଟ୍ ବିନିମୟରେ ବିଶାଳ ୨୧୦ ରନ୍ କରିଥିଲା । ଦୁଇ ଓପନର୍ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ୧୪୦ ରନ୍ର ବଡ଼ ଭାଗୀଦାରୀ କରି ବଡ଼ ସ୍କୋର୍ ପାଇଁ ମୂଳଦୁଆ ପକାଇଥିଲେ । ରୋହିତ ୪୭ ବଲ୍ ଖେଳି ୮ଟି ଚୌକା ଓ ୩ଟି ଛକା ସହ ୭୪ ରନ୍ କରିଥିବା ବେଳେ ରାହୁଲ୍ ୬ଟି ଚୌକା ଓ ୨ଟି ଛକା ସହ ୪୮ଟି ବଲ୍ରେ ୬୯ ରନ୍ କରିଥିଲେ । ଏହାଛଡ଼ା ପନ୍ତ୍ ୧୩ଟି ବଲ୍ରେ ଗୋଟିଏ ଚୌକା ଓ ୩ଟି ଛକା ସହ ୨୭ ଏବଂ ପାଣ୍ଡ୍ୟା ୧୩ଟି ବଲ୍ରେ ୪ଟି ଚୌକା ଓ ୨ଟି ଛକା ଜରିଆରେ ୩୫ ରନ୍ କରି ଅପରାଜିତ ରହିଥିଲେ । ସେମାନଙ୍କ ମଧ୍ୟରେ ତୃତୀୟ ୱିକେଟ୍ରେ ଅବିଭାଜିତ ୬୩ ରନ୍ର ଭାଗୀଦାରୀ ହୋଇଥିଲା । ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ୍ ନାଏବ ଓ ରଶିଦ୍ ଖାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
୨୧୧ ରନ୍ର ଲକ୍ଷ୍ୟ ଆଫଗାନିସ୍ତାନ ପାଇଁ ବେଶ୍ କଷ୍ଟସାଧ୍ୟ ହୋଇଥିଲା । ତେଣୁ ଦଳ ନିର୍ଦ୍ଧାରିତ ଓଭର୍ରେ ୭ଟି ୱିକେଟ୍ ହରାଇ ୧୪୪ ରନ୍ କରିଥିଲା । ଦଳ ପକ୍ଷରୁ କରିମ୍ ଜନତ୍ ୩ଟି ଚୌକା ଓ ୨ଟି ଛକା ସହ ସର୍ବାଧିକ ୪୨, ନବୀ ୨ଟି ଚୌକା ଓ ଗୋଟିଏ ଛକା ସହ ୩୫, ରହମନୁଲ୍ଲା ଗୁରବାଜ୍ ଗୋଟିଏ ଚୌକା ଓ ୨ଟି ଛକା ସହ ୧୯ ଏବଂ ଗୁଲବଦିନ୍ ୩ଟି ଚୌକା ସହ ୧୮ ରନ୍ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ଶମୀ ସର୍ବାଧିକ ୩ଟି, ବରୁନ୍ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଖେଳୁଥିବା ରବିଚନ୍ଦ୍ରନ୍ ଅଶ୍ୱିନ୍ ୨ଟି ଲେଖାଏଁ ଏବଂ ରବୀନ୍ଦ୍ର ଜାଡେଜା ଓ ଜସପ୍ରୀତ୍ ବୁମରା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।