ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ ହଲରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କ ତତ୍ୱବଧାନରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସହିତ ପାର୍ବଣରେ ହେଉଥିବା ଜନସମାଗମକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ସହର, କାମାକ୍ଷାନଗର, ଗଁଦିଆ ଓ ଭୁବନ ଅଚଂଳରେ ଲକ୍ଷ୍ମୀପୂଜା ଅବସରରେ ଜନ ଗହଳିକୁ ପ୍ରଶାସନ ଚିନ୍ତା ବ୍ୟକ୍ତ କରିଛନ୍ତି । ସଂପ୍ରତି କରୋନା ସଂକ୍ରମଣ ଠାରୁ ଦୁରେଇ ରହିବା ପାଇଁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ରକ୍ଷା କରିବା ଉପରେ ଯାଂଚ ବ୍ୟବସ୍ଥାକୁ କଡାକଡି କରିବା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୬ ଲକ୍ଷରୁ ଅଧିକ ପ୍ରଥମ ଡୋଜ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ୨ ଲକ୍ଷ ଲୋକ ଟିକା ନେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଜ୍ୟୋତିଷଚନ୍ଦ୍ର ମହାପାତ୍ର ସୁଚନା ଦେଇଛନ୍ତି । ଉକ୍ତ ବୈଠକରେ ୫ଟି ଅନ୍ତର୍ଗତ ମୋ ସ୍କୁଲ୍ ଯୋଜନାରେ ବିଦ୍ୟାଳୟ ଗୁଡିକର ରୁପାନ୍ତରିକରଣ ଉପରେ କାର୍ଯ୍ୟର ସମୀକ୍ଷା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ ଜିଲ୍ଲାପାଳ ରବି ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଗାଁ ପାଇଁ ଦିନଟିଏ ଶ୍ରମଦାନ ଶିବିର
ନିଜ ଗ୍ରାମର ଉନ୍ନତି, ପ୍ରଗତି ପାଇଁ ବ୍ୟସ୍ତବହୁଳ ଜୀବନ ଜୀବିକା ଭିତରୁ କିଛି ସମୟ ବାହାର କରି ଗ୍ରାମର ବିକାଶ କରିବା ପାଇଁ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ବାରଦା ପଂଚାୟତ ଅଧିନରେ ଥିବା ଭୋଜଦେଇ ପୁର ଗ୍ରାମର କିଛି ଉତ୍ସାହି ଯୁବକ ଆରମ୍ଭ କରିଛନ୍ତି ଗାଁ ପାଇଁ ଦିନଟିଏ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଭୋଜଦେଇପୁର ସ୍ଥିତ ଭୋଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଶୋଭା ଓ ଗାଁ ପାଇଁ ଦିନଟିଏ ସଂଘର କର୍ମକର୍ତାଙ୍କ ସହଯୋଗରେ ଏକ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରରେ ଗ୍ରାମର ମୁରବି ଦୁର୍ଗାଚରଣ ମହାପାତ୍ର, ଉଦୟନ୍ଦୁ ମିଶ୍ର, ରୁଦ୍ରପ୍ରସାଦ ମହାପାତ୍ର, କୃପାସିନ୍ଧୁ ମିଶ୍ର, ଶ୍ୱେତକୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ପରେ ଶୋଭାର କାର୍ଯ୍ୟକ୍ରମ ମୁଖ୍ୟ ପ୍ରଶାନ୍ତ କୁମାର ଦାସ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରି ମନ୍ଦିରର ବିଭିନ୍ନ ସ୍ଥାନ ସଫା କରିଥିଲେ । ଆଗାମି ଦିନରେ ଏପରି ଅନେକ କାର୍ଯ୍ୟକ୍ରମ ନିଜ ଗ୍ରାମ ପାଇଁ ନିଆଯିବ ବୋଲି ଆୟୋଜକ ମାନେ ମତବ୍ୟକ୍ତ କରିଥିଲେ ।