ଯାଜପୁର : ବୈତରଣୀ ନଦୀପଠାରେ ଥିବା ଚତର ମଧ୍ୟକୁ କଇଁଫୁଲ ତୋଳିବାକୁ ଯାଇ ଦୁଇଜଣ ନାବାଳକଙ୍କ ସଲିଳ ସମାଧି ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ଅଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ଦଶରଥପୁର ବ୍ଲକ୍ ତରପଦା ପଞ୍ଚାୟତର ଡୋଭାବିଲ ଗ୍ରାମରେ । ଏହି ଗ୍ରାମର ଶ୍ରୀକାନ୍ତ ଜେନାଙ୍କ ପୁଅ ବିଭୂତି ଭୂଷଣ(୧୨), ଉମାକାନ୍ତ ଜେନାଙ୍କ ପୁଅ ଦିବ୍ୟରଞ୍ଜନ(୧୫) ଓ ବିଜୟ ଜେନାଙ୍କ ପୁଅ ଶୁଭମ୍(୧୧) କଇଁଫୁଲ ତୋଳିବାକୁ ନିକଟସ୍ଥ ଗୋପକୂଳ ଗ୍ରାମର ବୈତରଣୀ ନଦୀପଠା କଣ୍ଡିଆ ଭିତର ଚତରକୁ ଯାଇଥିଲେ ।
ଠିକ୍ ଦିନ ୨ଟାବେଳେ ଏମାନେ ଫୁଲ ତୋଳିବାପାଇଁ ଅଥଳ ପାଣିରେ ପଶିବା ପରେ ପ୍ରଥମେ ବିଭୂତି ବୁଡ଼ିଯାଇଥିଲା । ତାକୁ ଉଦ୍ଧାର କରିବାକୁ ଦିବ୍ୟରଞ୍ଜନ ଓ ଶୁଭମ୍ ପହଁରୁଥିବାବେଳେ ଉଭୟେ ମଧ୍ୟ ବୁଡ଼ିଯାଇଥିଲେ । ଏହି ସମୟରେ ବୈତରଣୀ ବନ୍ଧରେ ଚାଲି ଚାଲି ଯାଉଥିବା ସୁରେନ୍ଦ୍ର ମଲ୍ଲିକ ନାମକ ଜଣେ ଯୁବକ ଦେଖିପାରି ଗ୍ରାମବାସୀଙ୍କୁ ଡାକ ପକାଇଥିଲେ । ପରେ ସୁରେନ୍ଦ୍ରଙ୍କ ସହ ଗ୍ରାମର କିଛି ଯୁବକ ତିନି ଜଣଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।
ଡାକ୍ତର ବିଭୂତି ଓ ଦିବ୍ୟରଞ୍ଜନଙ୍କୁ ମୃତ ଘୋଷଣା କରିଥିବାବେଳେ ଶୁଭମ୍ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି । ଖବରପାଇ ଝୁମ୍ପୁରୀ ବିଟ୍ ହାଉସ୍ ପୁଲିସ ଓ ମଙ୍ଗଳପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଲକ୍ଷ୍ମୀଧର ସାହୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।