ଭୁବନେଶ୍ୱର: ତୁମେ ମୋ ପାଖକୁ ଆସ । ମୁଁ ଭଲ କରିଦେବି । କ୍ୟାନସର ହେଉ କି ହୃଦରୋଗ । ମୋ ଚିକିତ୍ସାରେ ସମସ୍ତ ଭଲ ହେଉଛନ୍ତି । ଥରେ ଆସିକି ଦେଖ । ରୋଗୀଙ୍କୁ ଏଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ଠକୁଥିଲେ । ପରେ ପୋଲିସ ହାତରେ ଧରାପଡ଼ି ଶେଷରେ ଜେଲ୍ ଗଲେ । ଏଭଳି ଜଣେ ନକଲି ଡାକ୍ତରଙ୍କୁ ରାଜଧାନୀରୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଚନ୍ଦକା ଥାନା ଅନ୍ତର୍ଗତ ଗଙ୍ଗପଡାର ଜାନକୀ ବଲ୍ଳଭ ପଟ୍ଟନାୟକ । ଜାନକୀ ନିଜକୁ ଆୟୁର୍ବେଦିକ ଡାକ୍ତର ପରିଚୟ ଦେଇ ଏକାଧିକ ରୋଗୀଙ୍କ ଜୀବନ ସହ ଖେଳିଥିଲେ । ଏମିତି ଶେଷ ନିଶ୍ୱାସ ନେଉଥିବା ଲୋକଙ୍କୁ ବି ଛାଡ଼ିନଥିଲେ ।
ଟଙ୍କା ପାଇଁ ସେ କିଛି ବି କରିବାକୁ ପଛାଇନଥିଲେ । ଏନେଇ ଚନ୍ଦକା ଥାନା ପୁଲିସ କେସ୍ ନଂ ୨୪୨/୨୧ରେ ଆଇପିସି ଧାରା ୪୧୯/୪୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକଙ୍କୁ ଶନିବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଗତ ୯ ତାରିଖରେ ଖୋର୍ଦ୍ଧାର ପ୍ରଦୀପ୍ତ ପ୍ରସାଦ ରାମ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଭଉଣୀ ମୀନା କରି ଦାସ କ୍ୟାନସର ରୋଗରେ ପୀଡିତ ଅଛନ୍ତି । ତାଙ୍କ ଚିକିତ୍ସା ଉତ୍କଳ ହସ୍ପିଟାଲରେ ଚାଲିଥିବା ସମୟରେ ଅଭିଯୁକ୍ତ ଜାନକୀ ନିଜକୁ ଡାକ୍ତର କହି ମେଡିସିନ୍ ଦ୍ୱାରା ତାଙ୍କ ଭଉଣୀଙ୍କୁ ସୁସ୍ଥ କରିଦେବେ ବୋଲି କହିଥିଲେ । ତାଙ୍କ କଥାରେ ବିଶ୍ୱାସ କରି ସେମାନେ ଚଳିତବର୍ଷ ଜାନୁଆରୀ ମାସରୁ ହସ୍ପିଟାଲରୁ ଚାଲିଆସିଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାନକୀଙ୍କ ପାଖରେ ଚିକିତ୍ସିତ ହେଉଥିଲେ ।
ମାତ୍ର ମିନାଙ୍କର ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରିବର୍ତ୍ତେ ଅଧିକ ବିଗିଡିବାରେ ଲାଗିଲା । ଯେଉଁଥିପାଇଁ ସେ ବର୍ତ୍ତମାନ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ପରେ ଜାନକୀଙ୍କ ସମ୍ପର୍କରେ ପଚରାଉଚରା କରିବାରୁ ସେ ଜାଣିବାକୁ ପାଇଲେ ଯେ, ସେ ଜଣେ ଠକ । ବିନା ମେଡିକାଲ୍ ସାର୍ଟିଫିକେଟ୍ରେ ରୋଗୀଙ୍କର ଚିକିତ୍ସା କରୁଛନ୍ତି । ଏଭଳି ଭାବେ ଚିକିତ୍ସା କରି ଲକ୍ଷାଧିକ ଟଙ୍କା ଠକେଇ ମଧ୍ୟ କରିଛନ୍ତି । ଏ ନେଇ ପ୍ରଦୀପ୍ତ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ପୁଲିସ ଜାନକୀଙ୍କ ଘରକୁ ଯାଇ ଯାଞ୍ଚ କରିବାରୁ ତାଙ୍କ ପାଖେ ଡାକ୍ତରୀ ସାର୍ଟିଫିକେଟ୍ ନଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ କ୍ୟାନସର ଆକ୍ରାନ୍ତ ମୀନା ବର୍ତ୍ତମାନ ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ହସ୍ପିଟାଲକୁ ଯାଇ ଟ୍ରାପ୍ କରୁଥିଲେ
ଏହି ନକଲି ଡାକ୍ତର ଜଣକ ଭାରି ଚାଲାକ୍ । ରୋଗୀଙ୍କୁ ନିଜ ଜାଲରେ ପକାଇବା ପାଇଁ ଅନେକ ଉଦ୍ୟମ କରୁଥିଲେ । ବିଭିନ୍ନ ଘରୋଇ ହସ୍ପିଟାଲକୁ ଯାଇ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଟାର୍ଗେଟ୍ କରୁଥିଲେ । ପରେ ତାଙ୍କୁ ଭଲ କରିଦେବାର ପ୍ରତିଶ୍ରୁତି ଦେଇ ସମ୍ପର୍କୀୟଙ୍କୁ ନିଜ ଜାଲରେ ପକାଉଥିଲେ । ଏହାପରେ ତାଙ୍କର ନିଜସ୍ୱ ନକଲି କ୍ଲିନିକ୍କୁ ଡାକି ଚେକ୍ଅପ କରୁଥିଲେ । ଏହାସହ ନିଜ ସଂଗୃହିତ ଆୟୁର୍ବେଦିକ ଔଷଧ ଦେଉଥିଲେ । ହେଲେ ଏହି ଔଷଧ ଖାଇବା ପରେ ରୋଗୀ ଭଲ ହେବା ବଦଳରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ବିଗୁଡୁଥିଲା । ଖାଲି ଘରୋଇ ହସ୍ପିଟାଲ ନୁହେଁ, କ୍ୟାପିଟାଲ ହସ୍ପିଟାଲକୁ ଯାଇ ରୋଗୀଙ୍କୁ ମଧ୍ୟ ଟାର୍ଗେଟ୍ କରୁଥିଲେ । ଜାନକୀଙ୍କ ପାଖେ ଏକାଧିକ ରୋଗୀ ଚିକିତ୍ସା ହୋଇଥିଲେ ବି ତାଙ୍କ ସ୍ୱାସ୍ଥ୍ୟ ଭଲ ହୋଇନଥିଲା ।