କେନ୍ଦୁଝର : କଥାରେ ଅଛି ବାପା, ମା’ ନାହିଁ ଯାହାର କେଡ଼େ ଦୁଃଖ ତାହାର । ଏମିତି ଏକ ଦୁଃଖଦ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଗ୍ରାମପଞ୍ଚାୟତ ଗୌଡ଼ିଆବାହାଳି ଗ୍ରାମ ବେହେରାସାହିରେ । ଏଠାରେ ବାସ କରନ୍ତି ୫୯ବର୍ଷ ବୃଦ୍ଧା ପୁନ୍ତା ମାଝୀ । ଅନେକ ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ଆରପାରିକୁ ଚାଲିଯାଇଥିଲେ । ସଂସାର କହିଲେ ୪ ନାତୁଣୀ ପୁନ୍ତା ମାଝୀ (୧୧), ସଲମା ମାଝୀ(୯), ସୁକାନ୍ତୀ ମାଝୀ(୭) ଓ ବେଲ ମାଝୀ(୫) । କିଛିବର୍ଷ ପୂର୍ବରୁ ବୋହୂ ଦୁଲି ମାଝୀ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲା । ସେହିପରି ପୁଅ ରାଜୁ ମାଝୀ ମଧ୍ୟ ୫ମାସ ହେଲା ଆରପାରିକୁ ଚାଲିଯାଇଛି ।
ଫଳରେ ୪ ଝିଅ ବାପା, ମା’ ଛେଉଣ୍ଡ ହୋଇଯାଇଛନ୍ତି । ଏବେ ପାଞ୍ଚପ୍ରାଣୀ କୁଟୁମ୍ବ ମାସକୁ ୩୫କେଜି ଚାଉଳ ଓ ଭତ୍ତା ୫୦୦ଟଙ୍କାରେ ଯେନତେନ ପ୍ରକାରେ ସଂସାର ଚାଲିଛି ବୋଲି ବୃଦ୍ଧା ପୁନ୍ତା ମାଝୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛି ଯେ, ମାସକୁ ୩୫କେଜି ଚାଉଳ ୫ପ୍ରାଣୀ ପାଇଁ ୧୫ରୁ ୧୮ଦିନ ଯାଏ । ସେହିପରି ୨୦୧୭-୧୮ ମସିହା ଆର୍ôଥକ ବର୍ଷରେ ବୋହୂ ନାମରେ ପ୍ରଧାନମନ୍ତ୍ରୀ ଯୋଜନାରେ ମିଳିଥିବା ଗୃହ ଠିକାଦାର ଅଧାକରି ଚାଲିଯାଇଥିଲା । ତାହା ବି ସମ୍ପୂର୍ଣ୍ଣ ହୋଇପାରିନାହିଁ । ସେହିପରି ବଡ଼ ଝିଅ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ମଝିଆ ଦୁଇ ଝିଅ ଯଥାକ୍ରମେ ତୃତୀୟ ଓ ପ୍ରଥମ ଶ୍ରେଣୀରେ ପଢୁଛନ୍ତି । ସବା ସାନଝିଅ ଅଙ୍ଗନବାଡ଼ିରେ ପଢୁଛି । ଏ ସମ୍ପର୍କରେ ମହୁଲଡିହା ସରପଞ୍ଚଙ୍କୁ ପଚାରିବାରୁ ସେମାନଙ୍କୁ ଜାଣିଛି ଓ ତାଙ୍କ ପାଖକୁ ଯାଇଛି, ସେମାନଙ୍କୁ ଓଡ଼ିଶା ସରକାରଙ୍କ ଆଶୀର୍ବାଦ ଯୋଜନାରେ ତାଙ୍କ ନାମକୁ ଦିଆଯାଇଛି, ସେମାନଙ୍କ ନାମରେ ଏକ ରାସନ୍ କାର୍ଡ ପାଇଁ ସୁପାରିସ କରାଯାଇଥିବା କହିଥିଲେ ।