28.1 C
Bhubaneswar
Friday, November 15, 2024
Homeଓଡିଶାଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲା : କ୍ରାଇମବ୍ରାଞ୍ଚକୁ ମିଳିଛି ମାୟାବିନୀର ଫଟୋ

ଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲା : କ୍ରାଇମବ୍ରାଞ୍ଚକୁ ମିଳିଛି ମାୟାବିନୀର ଫଟୋ

– ଖୁବ୍‌ଶୀଘ୍ର ଇଣ୍ଟରପୋଲ୍‌ର ସହାୟତା ନିଆଯିବ
– ୭ଟି ଆକାଉଣ୍ଟରୁ ଗୋଟିଏ ମେଳଖାଉଛି
– ଆବଶ୍ୟକସ୍ଥଳେ ‘ଲାଏ ଡିଟେକ୍ସନ ଟେଷ୍ଟ’
ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚକୁ ଏକ ସଫଳତା ମିଳିଛି । ଗିରଫ ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ କରିବାରୁ ସେଥିରୁ ମାୟାବିନୀ ମହିଳାଙ୍କ ଫଟୋ ମିଳିଛି । ଅଭିଯୁକ୍ତମାନେ ମାୟାବିନୀଙ୍କ ସହ ଭିଡିଓକଲ୍‌ରେ କଥା ହେଉଥିଲେ । ତେଣୁ ସାଇବର ବିଶେଷଜ୍ଞଙ୍କ ଦ୍ୱାରା ଭିଡିଓକଲ୍ ବେଳର ଏକ ମୁହୂର୍ତ୍ତର ଦୃଶ୍ୟକୁ କଏଦ କରାଯାଇଛି । ଅନ୍ୟପକ୍ଷେ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲ୍‌(ଆନ୍ତର୍ଜାତୀୟ ଅପରାଧୀକ ପୁଲିସ ସଂଗଠନ)ର ସହାୟତା ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି, ମହିଳାଙ୍କ ନିର୍ଦ୍ଦିଷ୍ଟ ଆଇପି(ଇଣ୍ଟରନେଟ୍ ପ୍ରୋଟୋକଲ୍‌) ଠିକଣା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଏମିତିକି ଅନେକ ଟେକ୍‌ନିକାଲ ତଥ୍ୟ ସାମ୍ନାକୁ ଆସିନାହିଁ । ଏହିସବୁ ତଥ୍ୟ ଆସିବା ପରେ ତାଙ୍କ ଠିକଣା ସମ୍ପର୍କରେ ଜାଣିହେବ ।

କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲାର ଚାର୍ଜସିଟ୍ ଫାଇଲ କରିବା ନେଇ ପ୍ରସ୍ତୁତି ହେଉଛି । ଆବଶ୍ୟକସ୍ଥଳେ ଅଭିଯୁକ୍ତଙ୍କ ‘ଲାଏ ଡିଟେକ୍ସନ ଟେଷ୍ଟ’ କରାଯିବ । ତେବେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା କାହା ଆକାଉଣ୍ଟରୁ ଆସିଛି, ସେ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଯେହେତୁ ମାୟାବିନୀ ମହିଳା ଜଣକ କଥା ହୋଇ ତଥ୍ୟ ନେବାର ଯୋଜନା କରିଥିଲେ । ତେଣୁ ସେ ହିଁ ଟଙ୍କା ପଠାଇଥିବା ସନ୍ଦେହ କରାଯାଉଛି । ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ଏଡିଜି କହିଛନ୍ତି । ସୂଚନା ଅନୁଯାୟୀ, ଗିରଫ ୫ଅଭିଯୁକ୍ତଙ୍କୁ ଜେରା କରିବାରୁ ସେମାନେ ମାୟାବିନୀ ମହିଳାଙ୍କ ସହ କଥା ହୋଇଥିବା ସ୍ପଷ୍ଟ ହୋଇଥିଲା ।

ପରେ ସେମାନଙ୍କ ମୋବାଇଲ ଜବତ କରାଯାଇ ଯାଞ୍ଚ କରାଯାଇଥିଲା । ମାୟାବିନୀ ଅଭିଯୁକ୍ତମାନଙ୍କ ସହ ୭ଟି ଭିନ୍ନ ଭିନ୍ନ ଆକାଉଣ୍ଟରୁ କଥା ହୋଇଥିଲେ । ଏମିତିକି ମାୟାବିନୀ ଜଣେ ଅଭିଯୁକ୍ତଙ୍କୁ ଭିଡିଓକଲ୍ କରିଥିଲେ । ତେଣୁ କ୍ରାଇମବ୍ରାଞ୍ଚ ମାୟାବିନୀଙ୍କ ଫଟୋ ପାଇବା ପାଇଁ ଫେସବୁକ୍‌ର ସହଯୋଗ ଲୋଡ଼ିଥିଲା । ଫେସବୁକ୍ ଭିଡ଼ିଓକଲ୍ ବେଳର ଗୋଟିଏ ସ୍କ୍ରିନସଟ୍ କ୍ରାଇମବ୍ରାଞ୍ଚକୁ ଦେଇଛି । ଏହି ଭିଡିଓକଲ୍ ସ୍କ୍ରିନସଟ୍‌ରେ ଥିବା ମହିଳାଙ୍କ ଫଟୋ ଏବଂ ଗୋଟିଏ ଫେସବୁକ୍ ଆକାଉଣ୍ଟର ପ୍ରୋଫାଇଲ ଫଟୋ ମେଳଖାଉଛି । ତେଣୁ ସମ୍ପୃକ୍ତ ମହିଳା ଜଣକ ସନ୍ଦିଗ୍ଧ ବିଦେଶୀ ମହିଳା ବୋଲି ସନ୍ଦେହ କରାଯାଉଛି ।

ଜଣେ ଅଭିଯୁକ୍ତଙ୍କ ପାଖକୁ ଦୁବାଇରୁ ୩୮ହଜାର ଟଙ୍କା ଆସିଥିବାବେଳେ ସମସ୍ତଙ୍କ ପାଖକୁ ୟୁକେ(ସଂଯୁକ୍ତରାଷ୍ଟ୍ର) ନମ୍ବରରୁ କଲ୍ ଆସିଥିଲା । ଏହି ମାମଲାର ଚେର ବିଦେଶକୁ ଲମ୍ବିଥିବାରୁ କ୍ରାଇମବ୍ରାଞ୍ଚ ପକ୍ଷେ ତଦନ୍ତ କରିବା କଷ୍ଟକର । ଏମିତିକି ଦୁବାଇ ଓ ୟୁକେ ଦେଶରୁ ତଥ୍ୟ ଆଣିବାକୁ ହେଲେ ପ୍ରୋଟୋକଲ ମାନିବାକୁ ପଡ଼ିବ । ନିୟମ ଅନୁସାରେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲ୍‌ର ସହାୟତା ନେବ ବୋଲି ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ୫ଜଣ ଅଭିଯୁକ୍ତ ବସନ୍ତ ବେହେରା, ଶେଖ୍ ମୁସାଫି, ତାପସ ରଞ୍ଜନ ନାୟକ, ହେମନ୍ତ କୁମାର ମିସ୍ତ୍ରୀ ଓ ସଚିନ୍ କୁମାର ଛେତାଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ୭ଦିନିଆ ରିମାଣ୍ଡରେ ନେଇ ଜେରା ମଧ୍ୟ କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking