ଭୁବନେଶ୍ୱର: ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ବ୍ଲାକ୍ମେଲିଂ ଓ ତାଙ୍କ ବିରୋଧରେ ଅଶ୍ଲୀଳ ମନ୍ତବ୍ୟ ଦେବା ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ‘ଫୋକସ୍ ପ୍ଲସ୍ ଓଡ଼ିଶା’ ୱେବ୍ଚ୍ୟାନେଲ୍ର ଏଡିଟର ସୁଧାଂଶୁ ଶେଖର ରାଉତ ଓ ରିପୋର୍ଟର ସ୍ମୃତିରଞ୍ଜନ ବେହେରାଙ୍କୁ ମହିଳା ଥାନା ପୋଲିସ ସୋମବାର ରିମାଣ୍ଡରେ ଆଣିଛି । ଦିନିକିଆ ରିମାଣ୍ଡରେ ଆଣି ତାଙ୍କୁ ଘନଘନ ଜେରା କରାଯାଇଛି । ଦୂତୀଙ୍କ ସମେତ ଆଉ କେତେଜଣଙ୍କୁ ଏଭଳି ବ୍ଲାକ୍ମେଲ୍ କରିଛନ୍ତି, ତାଙ୍କ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ଏଭଳି ଅନେକ ପ୍ରଶ୍ନ ସେମାନଙ୍କୁ ପଚରାଯାଇଛି । ସୋମବାର ସକାଳେ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ପୋଲିସ ହେପାଜତକୁ ନେଇ ଜେରା ଆରମ୍ଭ କରିଥିଲା । ଦିନତମାମ୍ ଜେରା କରିବା ପରେ ସୁଧାଂଶୁ ପୁରୁଣା କଥାକୁ ଦୋହରାଇଛନ୍ତି । ଦୂତୀଙ୍କ ବାପା-ମା’ଙ୍କ ବୟାନ ଆଧାରରେ ସେ ଖବର କରିଥିବା କହିଛନ୍ତି ।
ଅନ୍ୟପକ୍ଷେ ରିପୋର୍ଟର ସ୍ମୃତିରଞ୍ଜନ ସବୁଦୋଷ ସୁଧାଂଶୁଙ୍କ ମୁଣ୍ଡରେ ଲଦି ଦେଇଛନ୍ତି । ଏଡ଼ିଟର ସାର୍ କହିବାରୁ ଦୂତୀଙ୍କ ବାପା-ମା’ଙ୍କୁ ଭେଟି ଖବର କରିଥିଲି ବୋଲି ସେ ପୋଲିସକୁ ବୟାନ ଦେଇଛନ୍ତି । ଖାଲି ଏତିକି ନୁହେଁ ଏହି ଖବରକୁ ନେଇ ଦୂତୀ ବଦ୍ନାମ ହେବାରୁ ସେ ଚ୍ୟାନେଲ୍ ଛାଡ଼ିଦେଇଥିଲେ । ତେଣୁ ଏଥିରେ ତାଙ୍କର କିଛି ଭୁଲ୍ ନାହିଁ ବୋଲି କହିଛନ୍ତି । ଆଜି ଉଭୟଙ୍କ ରିମାଣ୍ଡ ଅବଧି ସରିବ । ସୁଧାଂଶୁ ଓ ସ୍ମୃତିରଞ୍ଜନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯିବ । ପରେ କୋର୍ଟଙ୍କ ଅନୁମତି ନେଇ ତାଙ୍କୁ ଜେଲ୍ ପଠାଯିବ ବୋଲି ପୋଲିସ କହିଛି । ଅନ୍ୟପକ୍ଷେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ପ୍ରଦୀପ ପ୍ରଧାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି ।
ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ କରି ରାଜ୍ୟକୁ ଫେରିଥିବା ଦୂତୀ ଚାନ୍ଦ ବୁଧବାର ମହିଳା ଥାନାରେ ଏକ ଏତଲା ଦେଇଥିଲେ । ଟୋକିଓରେ ନିଜର ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଫୋକସ୍ ପ୍ଲସ୍ ଓଡ଼ିଶା ଚ୍ୟାନେଲ୍ ନାମକ ଏକ ୱେବ୍ପୋର୍ଟାଲ୍ର ମୁଖ୍ୟ ସମ୍ପାଦକ ସୁଧାଂଶୁ ଶେଖର ରାଉତ, ରିପୋର୍ଟର୍ ସ୍ମୃତିରଞ୍ଜନ ବେହେରା ଓ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେବାକୁ ଉଦ୍ୟମ କରିଥିବା ଏତଲାରେ ଉଲ୍ଲେଖ କରିଥିଲେ । ଖାଲି ଏତିକି ନୁହେଁ ତାଙ୍କ ବିରୋଧରେ ନକରାତ୍ମକ ଖବର କରିବା ସହ ତାଙ୍କ ଲିଙ୍ଗକୁ ନେଇ ସୁଧାଂଶୁ ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ । ଏମିତିକି ଖବର ପ୍ରସାରଣ ବନ୍ଦ ପାଇଁ ବ୍ଲାକ୍ମେଲିଂ କରି ତାଙ୍କୁ ଲକ୍ଷାଧିକ ଟଙ୍କା ମଗାଯାଇଥିଲା । ଏନେଇ ମହିଳା ଥାନାରେ ଏକ ମାମଲା ରୁଜୁ କରିଥିଲେ ।