କାବୁଲ : ଦେଖୁ ଦେଖୁ ମାତ୍ର କିଛି ଦିନ ମଧ୍ୟରେ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ କବ୍ଜା କରିନେଇଛି ତାଲିବାନ । ଏବେ ସେଠାରେ ମହିଳାଙ୍କୁ ସମସ୍ତ ସୁବିଧା ସୁଯୋଗ ଦିଆଯିବ ବୋଲି ତାଲିବାନ୍ ଘୋଷଣା କରିଥିବା ବେଳେ ପ୍ରକୃତରେ କିନ୍ତୁ ସେମିତି କିଛି ହେଉନାହିଁ । ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ୍ ପକ୍ଷରୁ ଏକ ପ୍ରେସ୍ମିଟ୍ କରାଯାଇ କୁହାଯାଇଥିଲା ଯେ, ସେମାନେ ମହିଳାଙ୍କୁ ଶରିୟା ଆଇନ୍ ଅନୁସାରେ ସମ୍ପୂର୍ଣ୍ଣ ହକ୍ ଓ ସମ୍ମାନ ଦେବେ । କିନ୍ତୁ ସେଠାକାର ଲୋକେ ଆଫଗାନିସ୍ତାନର ପ୍ରକୃତ ମହିଳାଙ୍କ ଅବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି । ଫେସ୍ବୁକ୍ରେ ଆଫଗାନିସ୍ତାନରେ ରହୁଥିବା ଜଣେ ଯୁବତୀ ସେଠାରେ ଝିଅଙ୍କ ଉପରେ କିଭଳି ଅତ୍ୟାଚାର କରାଯାଉଛି ସେ ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି, ଦେଶରେ ଝିଅଙ୍କୁ ଜିନ୍ସ ଓ ଟି-ସାର୍ଟ ପିନ୍ଧିଲେ ପ୍ରବଳ ମାଡ଼ ମରାଯାଉଛି । ଏଥିସହ ଏବେ ଖବର ଆସୁଛି ଯେ ସେଠାରେ ନେଲପଲିସ୍ ଲଗାଉଥିବା ଝିଅଙ୍କର ଆଙ୍ଗୁଠି କାଟି ଦିଆଯାଉଛି । ଖାସ୍ କରି କାବୁଲର ଝିଅମାନଙ୍କ ଉପରେ ଅଧିକ ଅତ୍ୟାଚାର କରାଯାଉଛି । ସେଠାକାର ଝିଅମାନେ ରଙ୍ଗୀନ୍ ନେଲପଲିସ୍ ଲଗାଇଥିବାର ଯଦି ତାଲିବାନୀଙ୍କ ଆଖିରେ ପଡ଼େ, ତେବେ ସେମାନେ ତାଙ୍କ ଆଙ୍ଗୁଠି କାଟି ଦେଉଛନ୍ତି । କିଛି ଦିନ ପୂର୍ବରୁ ତାଲିବାନମାନେ ଜଣେ ସାମ୍ବାଦିକଙ୍କୁ ନିର୍ଦ୍ଧୁମ୍ ପିଟିଥିଲେ । ଉକ୍ତ ସାମ୍ବାଦିକ ଆଫଗାନ୍ ପୋଷାକ ପିନ୍ଧି ନଥିଲେ ବୋଲି ତାଲିବାନ୍ମାନେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ ବୋଲି ଜଣାଯାଇଛି । କାବୁଲରେ ଜଣେ ନିର୍ଭୀକ ମହିଳା ସାମ୍ବାଦିକା ମୋସ୍କା ସଙ୍ଗର କହିଛନ୍ତି, ମହିଳାମାନେ ସବୁଠୁ ବେଶୀ ଭୟରେ ଅଛନ୍ତି । ମହିଳାଙ୍କର ଆଉ କୌଣସି ସ୍ୱାଧୀନତା ରହିବ ନାହିଁ । କୌଣସି ମହିଳା ପରିବାର ସଦସ୍ୟଙ୍କ ବିନା ପଦାକୁ ବାହାରି ପାରିବେ ନାହିଁ ବୋଲି ତାଲିବାନ ନିର୍ଦ୍ଦେଶ ଜାରି କରିବା ପରେ ସବୁଠି ଆତଙ୍କ ଖେଳିଯାଇଛି । ଅନ୍ୟପକ୍ଷେ ଯେଉଁମାନେ ଆମେରିକା ସମେତ ଅନ୍ୟ ରାଷ୍ଟ୍ରମାନଙ୍କୁ ସହଯୋଗ କରି ଆସିଛନ୍ତି ସେମାନଙ୍କୁ ଦଣ୍ଡିତ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ବିଶେଷ କରି ପୂର୍ବ ସରକାରର ସେନା ସଦସ୍ୟଙ୍କୁ ଏବେ ତାଲିବାନ ଟାର୍ଗେଟ୍ କରୁଛି । କାବୁଲ ବିମାନବନ୍ଦର ପରିଚାଳନା ପାଇଁ ତାଲିବାନମାନେ କତାର ଏବଂ ତୁର୍କୀ ସହ କଥାବାର୍ତ୍ତା ଜାରି ରଖିଥିଲେ ମଧ୍ୟ ଏହା ପୁନଃ କାର୍ଯ୍ୟକ୍ଷମ କେବେ ହେବ ତାହା ଜଣାପଡ଼ି ନାହିଁ ।