କାଲିଫର୍ଣ୍ଣିଆ : କରୋନା ଭାଇରସ୍ ମହାମାରୀ, ମରୁଡ଼ି, ତାପମାତ୍ରା ବୃଦ୍ଧି ପରେ ଏବେ ଭୀଷଣ ଅଗ୍ନିକାଣ୍ଡକୁ ନେଇ ଆମେରିକା ସଂଘର୍ଷ କରୁଛି । କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଦକ୍ଷିଣ କାଲିଫର୍ଣ୍ଣିଆର ଦୁଇଟି ସହରକୁ କବଳିତ କରିଥିବା ବେଳେ ୮ଜଣ ବ୍ୟକ୍ତି ନିଖୋଜ ହୋଇଛନ୍ତି ଏବଂ ସେମାନଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଥିବା କର୍ତ୍ତୃପକ୍ଷ କହିଛନ୍ତି । ଏହି ଜଙ୍ଗଲି ନିଆଁରେ ପାଖାପାଖି ୧୪ ଲକ୍ଷ ଏକର ଜମି ସମ୍ପୂର୍ଣ୍ଣ ରୂପେ ପୋଡ଼ି ନଷ୍ଟ ହୋଇଯାଇଛି । ଆମେରିକାର ଫାୟାର୍ ଡିପାର୍ଟମେଣ୍ଟ ଅନୁସାରେ, ଏହି ନିଆଁ ଏବେ ଓରେଗନ୍ ରାଜ୍ୟକୁ ବ୍ୟାପି ଜନବସତିକୁ କବଳିତ କରିବାରେ ଲାଗିଛି । ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ଗତ ୩ ଦିନ ମଧ୍ୟରେ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୨ ହଜାରରୁ ଊର୍ଦ୍ଧ୍ୱ ଫାୟାର୍ଫାଇଟର୍ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି । ଦକ୍ଷିଣ କାଲିଫର୍ଣ୍ଣିଆରେ ଲାଗିଥିବା ନିଆଁ ଗତବର୍ଷ ତୁଳନାରେ ୫ ଗୁଣ ବିକରାଳ ରୂପ ଧାରଣ କରିଥିବା ଅଧିକାରୀଙ୍କୁ ସୂତ୍ରରୁ ପ୍ରକାଶ । ଏହା କାଲିଫର୍ଣ୍ଣିଆ ଇତିହାସରେ ୩ୟ ବୃହତ୍ ଅଗ୍ନିକାଣ୍ଡ ହୋଇଥିବା ବେଳେ ୪ଟି କାଉଣ୍ଟିର ୧୮୦,୭୮୨ ହେକ୍ଟର ଜମିକୁ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ କରି ଦେଇଛି । ଶନିବାର ଏହି ଜଙ୍ଗଲି ନିଆଁ ଦକ୍ଷିଣ ଓରେଗନ୍କୁ ବ୍ୟାପିଥିବା ବେଳେ ୨୧ ପ୍ରତିଶତ ଅଞ୍ଚଳକୁ ପ୍ରଭାବିତ କରିଛି । ତେବେ ଶନିବାର ପାଗ ଥଣ୍ଡା ରହିବାରୁ ନିଆଁ ଲିଭାଇ କାର୍ଯ୍ୟରେ ଏହା ଫାୟାର୍ଫାଇଟ୍ଙ୍କୁ କିଛିଟା ସହାୟତା କରିଥିଲା । ପୂର୍ବରୁ ଏହି ଜଙ୍ଗଲି ନିଆଁ ଗ୍ରୀନ୍ଭିଲେର ଗୋଲ୍ଡ ରସ୍ ସହରକୁ ଛାରଖାର କରିଦେଇଥିବା ବେଳେ କାନ୍ୟୋଣ୍ଡାମ୍ର ଛୋଟ ସହରକୁ ମଧ୍ୟ ବ୍ୟାପିଥିବା ସରକାରୀ ଭାବେ କୁହାଯାଇଛି ।