ନୂଆଦିଲ୍ଲୀ: ଆମେରିକାର ଉତ୍ତର କାରୋଲିନାର ଉପକୂଳରେ ଜଣେ ମାଛ ଧରାଳିଙ୍କ ଜାଲରେ ପଡ଼ିଛି ଏକ ବିରଳ ମାଛ ଯାହାର ଦାନ୍ତ ଦେଖିବାକୁ ଠିକ୍ ମଣିଷ ଦାନ୍ତ ଭଳି । ଜେନେଟ୍ସ ପିଅର ନାମକ ଫେସ୍ବୁକ୍ ପେଜ୍ରେ ମାଛର ଫଟୋ ଶେୟାର କରାଯାଇଛି ।
ଫଟୋ ସହିତ କ୍ୟାପ୍ସନରେ ଉଲ୍ଲେଖ ହୋଇଛି ‘ଧୀବର ନଥନ୍ ମାର୍ଟିନ୍ ସୁନ୍ଦର ଦାନ୍ତଯୁକ୍ତ ଶିପ୍ଶେଡ୍ ମାଛ ଧରିଛନ୍ତି ।’ ଶିପ୍ଶେଡ୍ ମାଛ ସାଧାରଣତଃ ପଥର, ଶୈବାଳ, ଏମିତିକି ପୋଲ ନିକଟରେ ଦେଖିବାକୁ ମିଳନ୍ତି । ଚର୍ମରେ ବିରଳ କଳା-ଧଳା ପଟି ଯୋଗୁ ଏମାନେ ‘କନ୍ଭିକ୍ଟ ଫିଶ୍’ ଭାବେ ମଧ୍ୟ ପରିଚିତ । ଗୋଟିଏ ଫଟୋରେ ଏହି ଶିପ୍ଶେଡ୍ ମାଛ ନିଜର ମୋତି ଭଳି ଧଳା ଉପର ଓ ତଳ ଦାନ୍ତକୁ ଦେଖାଇଛି, ଯାହା ସମ୍ପୂର୍ଣ୍ଣ ମଣିଷ ଦାନ୍ତ ଭଳି । ଆମେରିକୀୟ ବୈଜ୍ଞାନିକମାନଙ୍କ ଅନୁସାରେ, ଏମାନେ ସର୍ବହାରୀ ଜୀବ । ଶିକାର କରିବା ଲାଗି ଏମାନେ ନିଜ ସମ୍ମୁଖ ଦାନ୍ତ ପ୍ରୟୋଗ କରନ୍ତି ।
ଏହି ମାଛର ଓଜନ ସାଧାରଣତଃ ୫ରୁ ୧୫ ପାଉଣ୍ଡର ହୋଇଥାଏ । ଉତ୍ତର କାରୋଲିନାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏମାନେ ଦେଖାଯାଆନ୍ତି । ଶେୟାର ହେବା ପରଠୁ ମାଛର ଫଟୋ ଭାଇରାଲ ହେଉଛି । ମଣିଷଙ୍କଠାରୁ ଏହାର ଦାନ୍ତ ବହୁତ ଭଲ ବୋଲି କିଛି ୟୁଜର୍ ଉଲ୍ଲେଖ କରିଛନ୍ତି । ତେବେ କେବଳ ମଣିଷ ଭଳି ଦାନ୍ତ ନୁହେଁ, ଶାର୍କ ଭଳି ଧାଡ଼ି ହୋଇ ରହିଥିବା ଏହାର ଦାନ୍ତ ସ୍ପଷ୍ଟ ଦିଶୁଛି । ଅଧିକାଂଶ ଶିପ୍ଶେଡ୍ ମାଛଙ୍କର ଦୁଇ ତିନି ଧାଡ଼ି ଅତ୍ୟନ୍ତ ଶକ୍ତିଶାଳୀ ଦାନ୍ତ ଥାଏ ।