କଟକ:କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଛିନ୍ତାଇ କରୁଥିବା ଏକ କୁଖ୍ୟାତ ଗ୍ୟାଙ୍ଗକୁ ଠାବକରିଛି କମିଶନ୍ରେଟ ପୁଲିସ । ଚୌଦ୍ୱାର ଓ ଚାଉଳିଆଗଞ୍ଜ ଅଞ୍ଚଳରେ ଚିନ୍ତାଇ କରୁଥିବ ଏହିଗ୍ୟାଙ୍ଗ୍ର ୧୧ଜଣଙ୍କୁ ପୁଲିସ ଗିରଫ କରିଛି । ଚୌଦ୍ୱାର ଥାନା ୭ ଜଣ ଓ ଚାଉଳିଆଗଞ୍ଜ ଥାନା ପକ୍ଷରୁ ୪ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ୩ଟି ବାଇକ, ୨୨ଟି ମୋବାଇଲ ଓ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଡିସିପି ପ୍ରତୀକ ସିଂହ ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ସିଂହଙ୍କ ସୂଚନା ଅନୁଯାୟୀ ଗତ ଜୁଲାଇ ୧୯ରେ ମଧୁପାଟଣା ଥାନା ଶ୍ରୀରାମ ଲେନ୍ର ଗଜେନ୍ଦ୍ର ବିଶ୍ୱାଳ ତାଙ୍କ ସ୍ତ୍ରୀଙ୍କ ସହ ଜଗତସିଂହପୁରରୁ ବାଇକଯୋଗେ ନିଜ ଘରକୁ ଫେରୁଥିଲେ ।
ଗତିରାଉତପାଟଣା ନିକଟରେ ୨ଜଣ ଦୁର୍ବୃତ୍ତ ଗଜେନ୍ଦ୍ରଙ୍କ ସ୍ତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟକରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଲୁଟ୍ ବେଳେ ସ୍ତ୍ରୀ ତଳେ ପଡିଯାଇ ଆହତ ହୋଇଥିଲେ । ଏନେଇ ଚାଉଳିଆଗଞ୍ଜ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ତଦନ୍ତ ପରେ ପୋଲିସ ୪ଜଣିଆ ଲୁଟେରା ଦଳକୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଆଠଗଡ କନ୍ଦରପୁରର ଗୋପୀ ଓରଫ ଗୋପାଳ ରାଉତ(୪୨),ମିଲୁ ଓରଫ ସମ୍ବିତ ବେହେରା (୪୧), ମଙ୍ଗଳାବାଗର ପିଣ୍ଟୁ ଓରଫ ସଞ୍ଜିବ କୁମାର ସାହୁ(୩୬), ଲିଟୁନ୍ ଓରଫ ରାଜୀବ ସାହୁ(୩୧) । ଏମାନଙ୍କ ଠାରୁ ୯୮ ଗ୍ରାମର ସୁନା ଅଳଙ୍କାର, ଗୋଟିଏ ବାଇକ ଓ ୨ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଜିଲାର ଥାନାରେ ୩୩ଟି ମାମଲା ରହିଛି ।
ସେହିପରି ଗତ ବର୍ଷ ଡିସେମ୍ବର ୧୮ରେ ଟାଙ୍ଗୀ ଥାନା ତୁଳସୀପୁରର କାହ୍ନୁଚରଣ ରାଉତ ମଙ୍ଗୁଳି ଛକରେ ନିଜ ଘରକୁ ଯିବାକୁ ଗାଡିକୁ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ଯୁବକ ବାଇକରେ ଆସି ତାଙ୍କ ଗାରେଁ ଛାଡିଦେବ କହି ତାଙ୍କୁ ଗାଡିରେ ବସାଇ ନେଇଥିଲା। ଅଧାବାଟରେ ତାଙ୍କ ମୋବାଇଲରେ ବାଲାନ୍ସ ନଥିବା କହି ମୋବାଇଲ ମାଗିଥିଲା । ପରେ ସେ ପରିଶ୍ରାଯିବା ବାହାନାରେ କାହ୍ନୁଙ୍କୁ ଓହ୍ଲାଇ ଦେଇ ତାଙ୍କ ମୋବାଇଲ ନେଇ ବାଇକରେ ଚମ୍ପଟ ମାରିଥିଲା । ଏନେଇ କାହ୍ନୁଙ୍କ ଅଭିଯୋଗ ଆଧାରରେ ଚୌଦ୍ୱାର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଏହି ଘଟଣାରେ ପୋଲିସ ଯାଜପୁର ଛତିଆର ନେଉଳି ଓରଫ ବିଜୟ ସାମନ୍ତରାୟ(୨୪), ବାବୁ ଓରଫ ସଞ୍ଜୟ ପ୍ରଧାନ(୩୦),ବବୁଲ ଓରଫ ବିଷ୍ଣୁ ସାମନ୍ତରାୟ(୨୪),ରଞ୍ଜନ ସାମନ୍ତରାୟ(୩୮), ସଞ୍ଜୟ ସାମନ୍ତରାୟ(୩୧), ବାବୁଲି ସାମନ୍ତରାୟ (୪୫) ଓ ମାହାଙ୍ଗାର ବିଶ୍ୱଜିତ ସାହୁ । ସେମାନଙ୍କଠାରୁ ପୁଲିସ ୨୦ଟି ମୋବାଇଲ ଫୋନ, ନମ୍ବର ବିହୀନ ୨ଟି ବାଇକ ଓ ସୁନା ଅଳଙ୍କାର ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।