17.1 C
Bhubaneswar
Monday, November 18, 2024
Homeଓଡିଶାମୃତ ବ୍ୟକ୍ତିଙ୍କ ଜାଲ ଟିପଚିହ୍ନରେ ଭତ୍ତା ହେରଫେର୍ 

ମୃତ ବ୍ୟକ୍ତିଙ୍କ ଜାଲ ଟିପଚିହ୍ନରେ ଭତ୍ତା ହେରଫେର୍ 

ବାଲିଚନ୍ଦ୍ରପୁର : କିଛିଦିନ ହେବ ଚର୍ଚ୍ଚାରେ ରହିଆସିଛି ଗୋପାଳପୁର ପଞ୍ଚାୟତ । ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଟିପ ଚିହ୍ନ ଦେଇ ସରକାରୀ ଅର୍ଥ ଉଠାଣ ହେଉଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଥିଲା । ପରେ ପଞ୍ଚାୟତବାସୀଙ୍କ ପକ୍ଷରୁ ବଡ଼ଚଣା ବିଜେପି ନେତା ଅମର ନାୟକ ଓ ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଇଂ ଯଶୋଦୀପ୍ତ ସାମଲ ଯାଜପୁର ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଭେଟି ଲିଖିତ ଅଭିଯୋଗ କରିଥିଲେ । ଶ୍ରୀ ନାୟକଙ୍କ ଅଭିଯୋଗକ୍ରମେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସଙ୍ଗେ ସଙ୍ଗେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ତଦନ୍ତକାରୀ ଅଧିକାରୀ ବଡ଼ଚଣା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟକୁ ତଦନ୍ତରେ ଆସିଥିଲେ । ତଦନ୍ତ ସମୟରେ ସ୍ଥାନୀୟ ସରପଞ୍ଚ ଶରତ କୁମାର ସାମଲ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରମାକାନ୍ତ ତ୍ରିପାଠୀଙ୍କ ସମେତ ତଦନ୍ତକାରୀ ଦଳ ଏବଂ ଯଶୋଦୀପ୍ତ ସାମଲ ଉପସ୍ଥିତ ରହି ସରକାରୀ ନଥିପତ୍ର ଯାଞ୍ଚ କରିଥିଲେ । ଯେଉଁ ମୃତବ୍ୟକ୍ତିଙ୍କ ଭତ୍ତାଟଙ୍କା ହଡ଼ପ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ସେହିମାନଙ୍କ ନାମରେ ସରକାରୀ ନଥିପତ୍ରରେ ନାଲିଗାର ମରାଯାଇ ଚଞ୍ଚକତାପୂର୍ବକ ଏକବର୍ଷର ଟିପ ଚିହ୍ନ ଭୁଲରେ ଲାଗିଯାଇଛି ବୋଲି ତଦନ୍ତକାରୀ ଅଧିକାରୀଙ୍କୁ ଦର୍ଶାଇଥିଲେ । ଏହାବ୍ୟତୀତ ସିନୁ ମଲ୍ଲିକ ଓ କ୍ଷୀର ସାହୁ ନାମକ ଦୁଇଜଣ ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ଉଠାଣ ହୋଇଥିବା ତଦନ୍ତକାରୀ ଅଧିକାରୀଙ୍କୁ ପ୍ରମାଣ ଦିଆଯାଇଛି । ଆହୁରି ୪୦ରୁ ଊର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ହଡ଼ପ ହୋଇଥିବା ଦସ୍ତାବିଜ୍‌ରୁ ଚିହ୍ନଟ ହୋଇଛି । ସେହିପରି ଅନେକ ମହିଳାଙ୍କୁ ସରକାରୀ କାଗଜପତ୍ରରେ ବିଧବା ଦର୍ଶାଇ ସରକାରୀ ଅର୍ଥ ଆତ୍ମସାତ ହେଉଥିବା ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରାଯାଇଛି । ମାତ୍ର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରମାକାନ୍ତ ତ୍ରିପାଠୀ ଗୋଟିଏ ବର୍ଷର ନଥିପତ୍ର ଉପସ୍ଥାପନ କରିଥିଲେ । ପୂର୍ବବର୍ଷର ନଥିପତ୍ର ପଞ୍ଚାୟତ କାର୍ଯ୍ୟାଳୟରେ ନାହିଁ, ତାହା ବ୍ଲକ କାର୍ଯ୍ୟାଳୟରେ ଉପଲବ୍ଧ ହେବ ବୋଲି ତଦନ୍ତକାରୀ ଅଧିକାରୀଙ୍କୁ କହିବା ପରେ ତଦନ୍ତକାରୀ ଦଳ ବଡ଼ଚଣା ବ୍ଲକ କାର୍ଯ୍ୟାଳୟକୁ ଯାଇ ଦୁଇ ଘଣ୍ଟାରୁ ସମୟ ଅପେକ୍ଷା କରିଥିଲେ । ବ୍ଲକ କାର୍ଯ୍ୟାଳୟ ତଥ୍ୟ ନଦେବାରୁ ବିଡିଓ ଅଜିତ୍ ନାରାୟଣ ପ୍ରସାଦ ଗିରିଙ୍କ ସହ ଆଲୋଚନା କରି ନିରାଶ ହୋଇ ଫେରିଯାଇଛନ୍ତି । ତଦନ୍ତ କରିବାକୁ ଆସିଥିବା ଜିଲ୍ଲା ସାମାଜିକ ସୂରକ୍ଷା ଅଧିକାରୀ ରବିନ୍ଦ୍ର ବେହେରାଙ୍କୁ ପଚାରିବାରୁ, ଆମେ ପଞ୍ଚାୟତରୁ ଅନେକ କିଛି ପ୍ରମାଣ ପାଇଛୁ । ବାକି ବ୍ଲକ କାର୍ଯ୍ୟାଳୟ ତଥ୍ୟ ଦେଲା ପରେ ତଦନ୍ତ ସମ୍ପୂର୍ଣ୍ଣ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking