ଭୁବନେଶ୍ୱର: ପୁଣିଥରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ କମାଲ। ଓଡ଼ିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଫାଷ୍ଟନର୍ ବା ନଟ୍ ବୋଲ୍ଟକୁ ମହାକାଶକୁ ପଠାଯିବ। ମହାକାଶରେ ଏସବୁ ନଟ୍ ବୋଲ୍ଟ ତିଷ୍ଠି ପାରୁଛି ନା ନାହିଁ ତାର ପରୀକ୍ଷା ହେବ। ଜୁନ୍ ୨୪ରେ ନାସା ଏହାକୁ ମହାକାଶକୁ ପଠାଇବ। ନାସା ପକ୍ଷରୁ ଆୟୋଜିତ କ୍ୟୁବ୍ସ୍ ଇନ୍ ସ୍ପେସ୍ ପ୍ରତିଯୋଗିତାରେ ୭୩ଟି ଦେଶର ପ୍ରତିଯୋଗୀଙ୍କ ମଧ୍ୟରେ ନିଜକୁ ଯୋଗ୍ୟ ପ୍ରମାଣିତ କରିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ। ଆଗାମୀ ମହାକାଶ ମିଶନ ପାଇଁ ଚୟନ ହୋଇଛି ୟଙ୍ଗ୍ ଟିଙ୍କର୍ ଏକାଡେମୀର ୭ ଜଣିଆ ଟିମ୍ର ଏକ୍ସପେରିମେଣ୍ଟ। ୪ଟି ଭିନ୍ନ ଧାତୁରେ ତିଆରି ହୋଇଥିବା ଏହି ନଟ୍ ବୋଲ୍ଟର ବିକାଶ ପାଇଁ ୩ ମାସ ଦିନ ରାତି ଏକ କରିବାକୁ ପଡ଼ିଥିଲା ଏହି କିଶୋର ବୈଜ୍ଞାନିକଙ୍କୁ। ଏଥିରୁ ସେମାନଙ୍କୁ ମହାକାଶ ଗବେଷଣା ସମ୍ପର୍କରେ ଅନେକ କିଛି ଶିଖିବାକୁ ମିଳିଛି ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଏହି କିଶୋର ବୈଜ୍ଞାନିକଙ୍କ ପ୍ରକଳ୍ପ ବିକାଶରେ ୟଙ୍ଗ୍ ଟିଙ୍କର୍ ଏକାଡେମୀର ୪ ଜଣିଆ ମେଣ୍ଟର ଟିମ୍ ସମସ୍ତ ପ୍ରକାର ସହାୟତା କରିଥିଲେ।