ଭୁବନେଶ୍ୱର : ମୌସୁମୀ ବର୍ଷା ପୂର୍ବରୁ ଭିଜଉଛି ଅଣମୌସୁମୀ ବର୍ଷା । ରାଜ୍ୟର ସମସ୍ତ ସହରରେ ଏବେ ପାରଦ ବର୍ଷା ପାଇଁ ହ୍ରାସ ପାଇଛି । ସମସ୍ତ ସହରରେ ପାରଦ ୪୦ ଡିଗ୍ରୀ ତଳେ ଥିବାବେଳେ ଗୁରୁବାର ୨୨ ଜିଲ୍ଲାରେ ୬୦୦ ମି.ମି.ରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇଛି। ଆସନ୍ତା ସପ୍ତାହଯାକ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି । ଶୁକ୍ରବାର ମଧ୍ୟ ରାଜ୍ୟର ୧୩ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି ହୋଇଛି। ମୁଖ୍ୟତଃ ପଶ୍ଚିମ, ଉତ୍ତର ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାର ଜିଲ୍ଲାରେ ଶୁକ୍ରବାର ଅପରାହ୍ଣରେ କାଳବୈଶାଖୀ ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ସୂଚନା ଅନୁଯାୟୀ, ବର୍ତ୍ତମାନ ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାକି ପଶ୍ଚିମବଙ୍ଗର ଉତ୍ତର ପଟ ଯାଏ ସମୁଦ୍ର ପତନର ୧.୯ କି.ମି. ଉପରେ ରହିଛି । ଯାହାଫଳରେ ଓଡ଼ିଶାରେ ଗତ କିଛିଦିନ ହେବ କାଳବୈଶାଖୀ ଜନିତ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ଜାରି ରହିଛି । ତେବେ ରାଜ୍ୟରେ କାଳବୈଶାଖୀ ପାଇଁ ପାଗ ଅନୁକୂଳ ରହିଛି । କାଳବୈଶାଖୀ ସମୟରେ ପବନର ବେଗ ପ୍ରାୟ ୩୦ରୁ ୪୦ କି.ମି. ଭିତରେ ରହିବ । ଏହି ସମୟରେ ସତର୍କ ରହିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା ଚିଠି ଲେଖିଛନ୍ତି ।
ଆସନ୍ତା ୭୨ ଘଣ୍ଟା ଯାଏ ରାଜ୍ୟ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ନାହିଁ । ରାଜ୍ୟର ଦିନ ତାପମାତ୍ରା ସବୁ ଜିଲ୍ଲାରେ ପ୍ରାୟତଃ ସମାନ ରହିବ । ତେବେ ଶନିବାର ଓ ରବିବାର ରାଜ୍ୟରେ ପାଗ ସାମାନ୍ୟତମ ଶୁଖିଲା ରହିବ, କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୋମବାରଠୁ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଆଶଙ୍କା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।