ଭୁବନେଶ୍ୱର : ଆନ୍ଧ୍ର ପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ଉପରେ ଆନ୍ଧ୍ର ହାଇକୋର୍ଟ ମଙ୍ଗଳବାର ଲଗାଇଥିବା ସ୍ଥଗିତାଦେଶକୁ ବୁଧବାର ଉଠାଇ ନେଇଛନ୍ତି । ଫଳରେ ଆଜି କୋଟିଆ ସମେତ ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ହେବା ନିଶ୍ଚିତ ହୋଇଯାଇଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନ କରାଇବା ନେଇ ଗତ ୧ରେ ଆନ୍ଧ୍ର ସରକାର ବିଜ୍ଞପ୍ତି ଜାରି କରିଥିଲେ । ହେଲେ ଏହା ସମ୍ପୂର୍ଣ୍ଣ ବେଆଇନ ଦର୍ଶାଇ ମଙ୍ଗଳବାର ଆନ୍ଧ୍ର ହାଇକୋର୍ଟ ନିର୍ବାଚନ ଉପରେ ରୋକ ଲଗାଇଥିଲେ । ହେଲେ ବୁଧବାର ଆନ୍ଧ୍ର ପ୍ରଦେଶ ସରକାର ପୁଣି ଏକ ଯାଚିକା ହାଇକୋର୍ଟରେ ଦାଖଲ କରିଥିଲେ । ଆନ୍ଧ୍ର ସରକାରଙ୍କ ଆଡଭୋକେଟ ଜେନେରାଲ ପଞ୍ଚାୟତ ନିର୍ବାଚନ ସପକ୍ଷରେ ଯୁକ୍ତି ଦର୍ଶାଇଥିଲେ । ହାଇକୋର୍ଟର ଏକ ୩ ଜଣିଆ ଖଣ୍ଡପୀଠ ଏହି ଯାଚିକାର ଶୁଣାଣି କରିଥିଲେ । ଆନ୍ଧ୍ର ସରକାରଙ୍କ ଯୁକ୍ତି ଶୁଣିଲା ପରେ ପୂର୍ବରୁ ଜାରି ହୋଇଥିବା ସ୍ଥଗିତାଦେଶକୁ ଖଣ୍ଡପୀଠ ଉଠାଇ ଦେଇଛନ୍ତି । ତେଣୁ ଆଜି ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ହେବା ନିଶ୍ଚିତ ହୋଇଯାଇଛି । ଏହି ସମୟରେ ମଧ୍ୟ କୋଟିଆରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ସୂଚନା ମିଳିଛି ।
କୋଟିଆରେ ଲାଗୁହେଲା ୧୪୪ ଧାରା
କୋଟିଆ ପଞ୍ଚାୟତରେ ଲଗାତାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ସମଗ୍ର ପଞ୍ଚାୟତରେ ୧୪୪ ଧାରା ଲାଗୁ କରିଛି। ସୋମବାର କୋଟିଆ ପଞ୍ଚାୟତ ସଦର ମହକୁମାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଫାଟୁସିନେରୀ ଓ ନେରେଡ଼ିବାଲସା ଗ୍ରାମରେ ଗତ ଦୁଇ ଦିନରେ ୩ ଜଣ ଲେଖାଏ ପଜିଟିଭ୍ ବାହାରିଥିଲେ । ଉପାନ୍ତ ଅଞ୍ଚଳ ହୋଇଥିବାରୁ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ହେତୁ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା କରି ପ୍ରଶାସନ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ବୁଧବାର ମଧ୍ୟରାତ୍ରିରୁ ୯ତାରିଖ ରାତି ଯାଏ ୧୪୪ ଧାରା ବଳବତତ୍ତର ରହିବାକୁ ଥିବାବେଳେ ସେହି ସମୟ ମଧ୍ୟରେ କୌଣସି ଲୋକ ବାହାରକୁ ନଯିବା ପାଇଁ ମାଇକ୍ ଯୋଗେ ପ୍ରଚାର କରାଯାଇଛି । ଅନ୍ୟ ପକ୍ଷରେ ବିବାଦୀୟ କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ଆଜି ଠାରୁ ୧୦ ତାରିଖ ମଧ୍ୟରେ ଜିଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ତେଣୁ ଲୋକେ ଓଡ଼ିଶା ସରକାରଙ୍କ ୧୪୪ ଧାରା ମାନି ଘରୁ ବାହରିବେନି ନା ଆନ୍ଧ୍ର ପ୍ରତି ସମର୍ଥନ ଜଣାଇ ମତଦାନ କରିବେ ତାହା ସ୍ପଷ୍ଟ ହୋଇନାହିଁ ।