ନୂଆଦିଲ୍ଲୀ: ଆଜି ଇଣ୍ଡିଆନ ସୁପର ଲିଗର ଫାଇନାଲ ମ୍ୟାଚରେ ମୁମ୍ବାଇ ସିଟି ଏଫସି ଏବଂ ଏଟିକେ ମୋହନ ବାଗାନ ଏଫସି ମଧ୍ୟରେ ମୁକାବିଲା ହେବ। ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ କୁହା ଯାଉଥିବା ଏହି ଦୁଇଟି ଟିମ ଆଜି ଟାଇଟଲ ପାଇଁ ଲଢେଇ କରିବେ। ଉଭୟ ଦଳ ଲିଗ ପର୍ୟ୍ୟାୟରେ ୧୨ ଟି ମ୍ୟାଚ ଜିତିବା ସହ ୪୦ ପଏଣ୍ଟ ହାସଲ କରିଥିଲେ। ତେବେ ଲିଗ ପର୍ୟ୍ୟାୟରେ ମୁମ୍ବାଇ ସିଟି ଏଫସି ଦୁଇ ଥର ଏଟିକେ ମୋହନ ବାଗାନ ଏଫସିକୁ ହରାଇଥିବାରୁ ଏହି ମ୍ୟାଚରେ ମୁମ୍ବାଇ ପଲ୍ଲା ଟିକେ ଭାରି ରହିବ।
ଉଭୟ ଦଳର ପ୍ରଦର୍ଶନ ଏବଂ ଖେଳାଳିଙ୍କୁ ଦେଖିଲେ ମ୍ୟାଚ ୫୦-୫୦ ରେ ବରାବର ଅଛି ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି। ଅନ୍ୟ ପକ୍ଷରେ ପ୍ରଥମ ଥର ପାଇଁ ଆଇଏସଏଲ ଫାଇନାଲରେ ପହଞ୍ଚିଥିବା ମୁମ୍ବାଇ ସିଟି ଏଫସି ଏଥର ଚାମ୍ପିଅନ ହେବ ବୋଲି କୋଚ ସେରଗିଓ ଲୋବେରା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ଫାଇନାଲ ମ୍ୟାଚ ଗୋଆର ଫାଟୋର୍ଡ ଷ୍ଟାଡିଅମରେ ଖେଳାଯିବ।