ପାରଳାଖେମୁଣ୍ଡ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କଣ୍ଟ୍ରାଗଡ ପଞ୍ଚାୟତ ଆରିବା ଗ୍ରାମରେ ଗତ ୭ତାରିଖ ସନ୍ଧ୍ୟାରେ ପ୍ରେମୀଯୁଗଳଙ୍କ ରକ୍ତ ଜୁଡୁବଡୁ ମୃତ ଦେହ ଉଦ୍ଧାର ହୋଇଥିଲା । ସୋମବାର ବ୍ରହ୍ମପୁର ସାଇଣ୍ଟିଫିକ ଟିମ୍ ଛାନଭିନ କରି ଫେରିଥିଲା । ତାଲୁରୁ ଶ୍ରୀନୁ (୨୮) ଏବଂ ସିଭାଲା ଡିଲେଶ୍ୱରୀ (୨୧)ଙ୍କ ମୃତଦେହକୁ ଜିଲ୍ଲା ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା । ସନ୍ଧ୍ୟା ହୋଇଯିବାରୁ ବ୍ୟବଚ୍ଛେଦ ହୋଇପାରିନଥିଲା । କିନ୍ତୁ ମଙ୍ଗଳବାର ବ୍ୟବଚ୍ଛେଦ ସରିଛି । ତାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି । ଉଭୟଙ୍କ ଶବ ଅଲଗା ଅଲଗା ଶ୍ମଶାନରେ ଦାହ କରାଯାଇଛି । ଗାଁରେ ଶୋକର ଛାୟା ଖେଳିଯାଇଛି ।
ସୋମବାର ସକାଳ ୯ରୁ ତଦନ୍ତ ଆରମ୍ଭ ହୋଇ ରାତ୍ର ଦଶଟା ପର୍ଯ୍ୟନ୍ତ ଜାରି ରହିଥିଲା । ସନ୍ଧ୍ୟାରେ କୂପରୁ ପାଣି ଶୁଖାଯାଇଥିଲା । ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ କୂପ ଭିତରକୁ ଓହ୍ଲାଇ ଦୁଇଟି ମୋବାଇଲକୁ ଜବତ କରିଥିଲେ । ତଦନ୍ତ ଜାରି ରହିଛି ବୋଲି ଗୁରାଣ୍ଡି ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ କହିଛନ୍ତି ଯେ ତଦନ୍ତ ଜାରି ରହିଛି, ପୋଷ୍ଟମର୍ଟମ ରିପୋର୍ଟ ଓ ସାଇଣ୍ଟିଫିକ୍ ଟିମ୍ଠାରୁ ରିପୋର୍ଟ ଆସିବା ପରେ ସଠିକ ତଥ୍ୟ ସାମନାକୁ ଆସିବ ବୋଲି କହିଛନ୍ତି ।