ଭୁବନେଶ୍ୱର : ଭୁବନେଶ୍ୱର ଏକାମ୍ରକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ଅନୁମତି ମିଳିଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରଦ୍ଧାଳୁ ମହାଶିବରାତ୍ରୀରେ ମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଦର୍ଶନ ପାଇପାରିବେ । ହେଲେ ଗର୍ଭଗୃହରେ ଦର୍ଶନ କରିହେବ ନାହିଁ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।
ସୋମବାର ବିଡିଏ କାର୍ଯ୍ୟାଳୟରେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ଏକ ସମୀକ୍ଷା ବୈଠକ ବସିଥିଲା । ବୈଠକ ପରେ ବିଏମ୍ସି କମିଶନର ତଥା ବିଡ଼ିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ ଜାଗର ଯାତ୍ରା ନେଇ କହିଛନ୍ତି, ସରକାରଙ୍କର କୋଭିଡ ନିୟମାବଳୀ ମାନି ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ଯିବାପାଇଁ ଅନୁମତି ଦିଆଯିବ । କେବଳ ଆଡ଼କାଠ ପର୍ଯ୍ୟନ୍ତ ଯାଇ ଭକ୍ତମାନେ ଦର୍ଶନ କରିପାରିବେ । ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଓ ୧୨ ବର୍ଷରୁ କମ୍ ବୟସର ପିଲା ମନ୍ଦିରକୁ ଯାଇପାରିବେ ନାହିଁ । ଏପରିକି ସେବାୟତଙ୍କ ପରିବାର ସଦସ୍ୟ ମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ରହିବ । କିନ୍ତୁ ସେବାୟତ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ବୟସସୀମା ଲାଗୁ ହେବନାହିଁ ବୋଲି କମିଶନର ଶ୍ରୀ ଚୌଧାରୀ କହିଛନ୍ତି । କୋଭିଡ ନିୟମ ଅନୁପାଳନକୁ କଡ଼ାକଡ଼ି କରିବା ପାଇଁ ବାହାରୁ ସାମାଜିକ ଦୂରତା ରକ୍ଷାକରି ନିର୍ଦ୍ଧିଷ୍ଟ ସଂଖ୍ୟାର ଭକ୍ତଙ୍କୁ ଭିତରକୁ ଯିବାପାଇଁ ବ୍ୟବସ୍ଥା କରାଯିବ ।
ମନ୍ଦିର ଭିତରକୁ ଯିବା ପୂର୍ବରୁ କୋଭିଡ ପାଇଁ ସ୍କ୍ରିନିଂ କରାଯିବ ଏବଂ ସ୍କ୍ରିନିଂରୁ ସନ୍ଦେହ ହେଲେ ସଙ୍ଗେ ସଙ୍ଗେ ଟେଷ୍ଟିଂ କରାଯିବ । ଏହି ସ୍କ୍ରିନିଂ ଏବଂ ଟେଷ୍ଟିଂ ପାଇଁ ଦୁଇଟି ସ୍ୱତନ୍ତ୍ର କ୍ୟାମ୍ପ୍ ମନ୍ଦିର ନିକଟରେ ବିଏମ୍ସି ଏବଂ ସ୍ୱାସ୍ଥ୍ୟ ବିଭାଗର ସମନ୍ୱୟରେ କରାଯିବ । ସନ୍ଦିଗ୍ଧ ଭକ୍ତଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯିବ । କୋଭିଡ ପଜିଟିଭ୍ ଚିହ୍ନଟଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବ ନାହିଁ ଏବଂ ଅବସ୍ଥା ଅନୁସାରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଅତ୍ୟଧିକ ଜନଗହଳି ଏବଂ ନିୟମର ଉଲ୍ଲଙ୍ଘନ ତଥା ଶୃଙ୍ଖଳା ରକ୍ଷା ବ୍ୟତିକ୍ରମ ହେଲେ ନାଗରିକଙ୍କ ହିତ ଦୃଷ୍ଟିରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।