ବରଗଡ : ପେସାରେ ସେ ଜଣେ ପୁଲିସ କର୍ମଚାରୀ ହେଲେ ମଧ୍ୟ ନିଶା ମୃଦଙ୍ଗ ବଜାଇବା । ଇଚ୍ଛାଶକ୍ତି ବଳରେ ନିଜର ନିଶା ଓ ପେସା ଉଭୟକୁ ସମାନ ଭାବେ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଆମେ କହୁଛୁ ସଞ୍ଚାର କଳାର ପୂଜାରିଣୀ ଜୟନ୍ତୀ ଦୀପଙ୍କ କଥା ।
ଜୟନ୍ତୀ ପିଲାଦିନରୁ ଜୟନ୍ତୀ ସଞ୍ଚାର ମାଧ୍ୟମରେ ଗୀତ ଗାଇବା ସହ ମୃଦଙ୍ଗ ବଜାଇ ଗାଁ ଗାଁରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ଗୋଡ଼ରେ ଘୁଙ୍ଗୁର ବାନ୍ଧି ମୁହଁରେ ରଙ୍ଗ ବୋଳି ସମ୍ବଲପୁରୀ ବସ୍ତ୍ର ପରିଧାନ କରି କାନ୍ଧରେ ମୃଦଙ୍ଗ ପକାଇ ଓଡ଼ିଆ, ସମ୍ବଲପୁରୀ, ଛତିଶଗଡ଼ି, ହିନ୍ଦୀ, ଭୋଜପୁରୀ ପରି ବିଭିନ୍ନ ଭାଷାରେ ଗୀତ ଗାଇବା ସହ ବାଦ୍ୟର ତାଳେ ତାଳେ ନାଚି ନାଚି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିପାରିଛନ୍ତି ଜୟନ୍ତୀ । ବରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳ ଝାରବନ୍ଧ ବ୍ଲକ ଡୁଙ୍ଗୁରିପାଲିରୁ ସଞ୍ଚାର ଯାତ୍ରା ଆରମ୍ଭ କରି ସେ ଆଜି ଓଡ଼ିଶା ସମେତ ଛତିଶଗଡ଼ ତଥା ରାଜ୍ୟ ବାହାରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି । ଅନେକ ତାଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ ମଧ୍ୟ କରିଛନ୍ତି । ଉଭୟେ ସ୍ୱାମୀ- ସ୍ତ୍ରୀ ପୁଲିସ ବିଭାଗରେ ଚାକିରି କରୁଛନ୍ତି । ବନ୍ଧୁକ ଓ ମୃଦଙ୍ଗକୁ ସମାନ ଭାବେ ସମ୍ମାନ ଦେଇ ନିଶା ଓ ପେସାରେ ମନୋନିବେଶ କରିଛନ୍ତି । ଜଣେ ଦାୟିତ୍ୱବାନ୍ ଓ ନିଷ୍ଠାବାନ ପୁଲିସ କନ୍ଷ୍ଟେବଳ ଭାବେ ସେ ନିଜର ଦାୟିତ୍ୱ ତୁଲାଇ ଆସିଛନ୍ତି । ଏବେ ବରଗଡ଼ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଜୟନ୍ତୀ କାର୍ଯ୍ୟରତ ଅଛନ୍ତି । ଅନ୍ୟପକ୍ଷରେ ଉଭୟ ସପତ୍ନୀ ପୁଲିସ ବିଭାଗରେ କର୍ଯ୍ୟ କରୁଥିବାରୁ ନିଜର ପାରିବାରିକ ଦାୟିତ୍ୱକୁ ସମାନ ଭାବରେ ସ୍ନେହଶ୍ରଦ୍ଧାରେ ଗଢ଼ିତୋଳି ଜଣେ ସୁଗୃହିଣୀର ପରିଚୟ ଦେଇ ପାରିଛନ୍ତି । ଦୁଇ ଝିଅଙ୍କ ପାଠପଢ଼ା ସେବାଯତ୍ନ ନେଇ ମାଆର ଦାୟିତ୍ୱ ନିଭାଇବାରେ ମଧ୍ୟ ସେ ସକ୍ଷମ ହୋଇପାରିଛନ୍ତି । ସ୍ୱାମୀ ସୁରେଶ କୁମାର ମଧ୍ୟ ଜୟନ୍ତୀଙ୍କ ଇଚ୍ଛାକୁ ସମ୍ମାନ ଦେଇ କାନ୍ଧରେ କାନ୍ଧ ମିଶାଇ ଆଗେଇ ଚାଲିଛନ୍ତି । ବରଗଡ଼ ଜିଲ୍ଲାର ଏକ ପ୍ରାଚୀନ ଲୋକକଳା ହେଉଛି ସଞ୍ଚାର କଳା, ହରିବଂଶ, ମହାଭାରତ, ଭାଗବତ ଗୀତ, ରାମାୟଣ କଥାବସ୍ତୁ ଉପରେ ହିଁ ଆଧାରିତ ତଥ୍ୟକୁ ପରିବେଷଣ କରାଯାଇଥାଏ । ପାଲା ଏବଂ ସଞ୍ଚାର କଳାରେ ସାମଞ୍ଜସ୍ୟ ରହିଥିଲେ ହେଁ ପାଲାରେ ଗାୟକ, ବାହକ, ପାଳିଆ ପରି ଅନେକ ସଦସ୍ୟ ଶିଳ୍ପୀ ପରିବେଷଣ କରିଥାନ୍ତି । ହେଲେ ସଞ୍ଚାର ଏପରି ଏକ ଲୋକକଳା ଗାୟକ ନିଜେ ହିଁ ଜଣେ ଚତୁର୍ଗୁଣାର ଅଧିକାରୀ ହୋଇ ମୃଦଙ୍ଗ ବଜାଇବା, ଗୀତ ଗାଇବା, ନାଚିବା ଓ ଉପସ୍ଥିତ ଶ୍ରୋତାଙ୍କୁ ବୁଝାଇ ଭଳି ତିନିଜଣଙ୍କ କାର୍ଯ୍ୟ କରିଥାଆନ୍ତି । ପୁରୁଷ କଳାକାର ସଞ୍ଚାର ପରିବେଷଣ କରୁଥିବାବେଳେ ଜଣେ ମହିଳା ତାହା ପୁଣି ଉପାନ୍ତ ଅଞ୍ଚଳର ହୋଇ ନାନା ଅପବାଦକୁ ବେଖାତିର କରି ଆଜି ନିଜ ପେସା ଓ ନିଶାକୁ ଯୁଗଳବନ୍ଦୀ କରି ପାରିଛନ୍ତି ।