ଭୁବନେଶ୍ୱର ତା ୧୩/୨ – ମାହାଙ୍ଗା ଟ୍ରିପଲ୍ ମର୍ଡର ଘଟଣାରେ ପ୍ରକୃତ ମୁଖ୍ୟ ଆସାମୀ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଓ ଗିରଫ ଦାବିରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଙ୍କ ନେତୃତ୍ୱରେ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିବା ପାଇଁ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ମନ୍ତ୍ରୀଙ୍କ ବାସଭବନ ଆଡେ ଅଗ୍ରସର ହେଉଥିବା ବେଳେ ପୋଲିସ ପକ୍ଷରୁ ରାଜମହଲ ଛକ ଓଭରବ୍ରିଜ୍ ଠାରେ ରାଲିର ପଥରୋଧ କରାଯାଇଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ସେଠାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ କରାଯାଇଥିଲା । ପୋଲିସ ବ୍ୟାରିକେଡ୍ ଭାଙ୍ଗି ଛାତ୍ରନେତାମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଅଭିମୁଖେ ରାଲିରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ରୋଶନଲାଲ ବିଟୁ କହିଥିଲେ ଯେ ମାହାଙ୍ଗା ମର୍ଡର ଘଟଣାରେ ପ୍ରତାପ ଜେନାଙ୍କ ସଂପୃକ୍ତିକୁ ମୁଖ୍ୟମନ୍ତ୍ରୀ ଘଂଟ ଘୋଡାଉଛନ୍ତି । ନବୀନ ସରକାରରେ ରାଜ୍ୟରେ ଆଇନ୍ଶୃଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଦୁର୍ନୀତିକୁ ବିରୋଧ କଲେ ରାଜନେତାଙ୍କୁ ଜୀବନ ଦେବାକୁ ପଡୁଛି ବୋଲି ଶ୍ରୀ ବିଟୁ କହିଛନ୍ତି । ମାହାଙ୍ଗାରେ ଲଗାତର ତିନୋଟି ଲୋମଟାଙ୍ଗୁରା ହତ୍ୟା ଘଟଣାର ମୁଖ୍ୟ ଆସାମୀ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ ଅଭିଯୋଗ କରିଛନ୍ତି । ମାହାଙ୍ଗାରେ ଦୁର୍ନୀତିର ପଥରୋଧ କଲେ ଏପରି ଦଣ୍ଡ ସରକାରୀ ଦଳ ଦିଏ ବୋଲି ସ୍ପଷ୍ଟ ହୋଇପଡିଛି । ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତୋଳନ କରିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଷଡଯନ୍ତ୍ର କରି ଯେପରି ନିର୍ମମ ଭାବରେ ହତ୍ୟା କରାଗଲା ତାହା ରାଜ୍ୟରେ ଭୁଷୁଡି ପଡିଥିବା ଆଇନ୍ଶୃଙ୍ଖଳା ପରିସ୍ଥିତିର ନଗ୍ନ ନମୁନା ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ ଅଭିଯୋଗ କରିଛନ୍ତି । ଏହି ଷଡଯନ୍ତ୍ର ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ରଚାଯାଇଥିଲା । ମାହାଙ୍ଗାରେ ଯିଏ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତୋଳନ କରିବ ତାକୁ ଶାସକ ଦଳ ପ୍ରାଣଦଣ୍ଡ ଦେବେ ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଏହି ଘଟଣାର ମୁଖ୍ୟ ଆସାମୀ ପ୍ରଫୁଲ୍ଲ ବିଶ୍ୱାଳ ଯିଏକି ମନ୍ତ୍ରୀଙ୍କର ଜଣେ ନିକଟତମ ଲୋକ, ତାଙ୍କୁ ଡବଲ ମର୍ଡରର ପ୍ରମାଣ ନଷ୍ଟ ପାଇଁ ମନ୍ତ୍ରୀ ପ୍ରତାପ ଜେନା ଚକ୍ରାନ୍ତ କରି ଗାଡି ଚଢ଼ାଇ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ପ୍ରଫୁଲ୍ଲ ମୃତ୍ୟୁ ପୂର୍ବରୁ ତାର ପୁଅକୁ ଫୋନ୍ ଯୋଗେ କହିଥିଲା ଯେ ଯଦି ସିଏ ରାସ୍ତା ଦୁର୍ଘଟଣାରେ ମରିଯାଏ, ତେବେ କାହା ଦୋଷ ଦେବନାହିଁ ଏବଂ ସେ ଚାପରେ ରହୁଥିଲା ବୋଲି ମଧ୍ୟ କହିଥିଲା । ଅନ୍ୟ ପକ୍ଷରେ ରମାକାନ୍ତ ବରାଳ ଯିଏକି କୁଳମଣି ବରାଳଙ୍କ ପୁଅ ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ପ୍ରଫୁଲ ମୃତ୍ୟୁ ପୂର୍ବରୁ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ତା’ର ପରିବାରର ନିରାପତା ପାଇଁ ନିବେଦନ କରିଥିଲା । ଏପରିକି ମନ୍ତ୍ରୀ ପ୍ରତାପ ଜେନା ତାକୁ ଫସାଇ ଦେଲା ବୋଲି ମଧ୍ୟ ସେ କୁଳମଣିଙ୍କ ପୁଅକୁ କହିଛି । ମୁଖ୍ୟକଥା ହେଉଛି ଏହି ଏତଲାରେ କୁଳମଣିଙ୍କ ପୁଅ ଲେଖିଛନ୍ତି ଯେ ପ୍ରଫୁଲ ତାଙ୍କ ଫୋନ ଯୋଗେ ସ୍ୱୀକାର କରିଛନ୍ତି ଯେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ସେ ତିନୋଟି ମର୍ଡର କେଶ୍ରେ ସଂପୃକ୍ତ । ଏହିସବୁ ଘଟଣାକୁ ଯଦି ସୂକ୍ଷ୍ମ ଭାବରେ ବିଚାରକୁ ନିଆଯାଏ ଏ ସମଗ୍ର ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ହେଉଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଯାହାଙ୍କ ଇଙ୍ଗିତରେ ମାହାଙ୍ଗାରେ ଏହି ତିନୋଟି ହତ୍ୟାକାଣ୍ଡ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜାଣି ମଧ୍ୟ ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନରସଂହାରକୁ ଘଂଟ ଘୋଡାଉଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ମନ୍ତ୍ରୀ ପ୍ରତାପ ଜେନାଙ୍କ ତୁରନ୍ତ ଇସ୍ତଫା ଓ ଗିରଫଦାରୀ ଦାବି କରୁଛି । ପ୍ରତାପ ଜେନାଙ୍କୁ ତୁରନ୍ତ ତଦନ୍ତ ପରିସରକୁ ଅଣାଯାଉ । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ବିବେକ ସିଂ ପଟେଲ, ଆଦିତ୍ୟ ଚୌଧୁରୀ, ବାବୁ ଜେନା, ନିରଞ୍ଜନ ଦାସ, ବିପ୍ଳବ ପରିଡା, ଅଖିଳେଶ ଯାଦବ, ଆଦିତ୍ୟ ପ୍ରୀତମ୍ ଦାସ, ସାଗର ପଟ୍ଟନାୟକ, କାର୍ତିକ କାଣ୍ଡି, ସୌମ୍ୟରଂଜନ ବରାଳ, ଅହମଦ ଖାନ୍, ଅବିନାଶ ନନ୍ଦ, କୁମାର ପ୍ରୀତମ୍ ପରିଜା, ଆଶୁତୋଷ ମିଶ୍ର, ଅଙ୍କିତ କୁମାର ସାହୁ, ସ୍ମୃତିରଂଜନ ଜେନା, ବିଶ୍ୱରଂଜନ ପାଣିଗ୍ରାହୀ, ଗୌରବ ପତି, ବାପୁଜୀ ପ୍ରଧାନ, ଅଭିଷେକ ନାୟକ, ଅର୍ଣ୍ଣବ କୁମାର ଗୁରୁ, ଶୁଭମ୍ ଦାସ, ରଂଜିତ ସେନାପତି, ନାଜିଆ ପାରୁନିମ୍, ମଧୁସ୍ମିତା ସାହୁ, ନିଆଜୁଲ୍ ଇସ୍ଲାମ, ସୃଷ୍ଟି ମିଶ୍ର, ସ୍ୱୟମ୍ବୁ ସୁରଜିତ୍, ହରପ୍ରସାଦ ବେହେରା, ସୁବାଶିଷ ମହାନ୍ତି, ମହମ୍ମଦ ଗୁଲଫାମ୍, ସୂର୍ଯ୍ୟକାନ୍ତ ସାହୁ, ଜଗଦୀଶ ରଥ, ଶାହାବାଜ ଖାନ, ଅଭିଜିତ୍ ମହାପାତ୍ର, ମହମ୍ମଦ ଶାହାରୁଖ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।