40.1 C
Bhubaneswar
Tuesday, April 30, 2024
Homeଓଡିଶାଭୁବନେଶ୍ୱରରେ ‘ଗାନ୍ଧୀଭବନ’ ପ୍ରତିଷ୍ଠା ପାଇଁ ଦାବିକଲେ ‘ଗାନ୍ଧୀ ଓଡ଼ିଶା-୧୦୦’ ଅଭିଯାନ

ଭୁବନେଶ୍ୱରରେ ‘ଗାନ୍ଧୀଭବନ’ ପ୍ରତିଷ୍ଠା ପାଇଁ ଦାବିକଲେ ‘ଗାନ୍ଧୀ ଓଡ଼ିଶା-୧୦୦’ ଅଭିଯାନ

ଭୁବନେଶ୍ୱର : ମହାତ୍ମାଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସାମାଜିକ, ନାଗରିକ ଓ ଗାନ୍ଧିପ୍ରେମୀ ସଂଗଠନମାନଙ୍କୁ ନେଇ ଗଠିତ ହୋଇଥିବା ‘ଗାନ୍ଧୀ ଓଡ଼ିଶା-୧୦୦’ ଅଭିଯାନ ପକ୍ଷରୁ ରାଜଧାନୀ ଭୁବନେଶ୍ୱରଠାରେ ଏକ ପୂର୍ଣ୍ଣାଙ୍ଗ ଗାନ୍ଧିଭବନ ପ୍ରତିଷ୍ଠା କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ତୁରନ୍ତ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଗୌରବମୟ ଐତିହାସିକ ଘଟଣାକୁ ସ୍ମରଣ କରିବା ପାଇଁ ସମସ୍ତ ବିଧାୟକମାନଙ୍କୁ ନେଇ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯିବ ବୋଲି ଫୋରମ ପକ୍ଷରୁ କୁହାଯାଇଛି । ବିଶିଷ୍ଟ ଗାନ୍ଧୀପ୍ରେମୀ ତଥା ଭାରତ ନିର୍ବାଚନ ଆୟୋଗର ପୂର୍ବତନ ଉପଦେଷ୍ଟା ଡଃ ଭଗବାନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ‘ଗାନ୍ଧୀ ଓଡ଼ିଶା ୧୦୦’ର ଲୋଗୋ ଉନ୍ମୋଚିତ ହେବା ସହ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା । ରଚନାତ୍ମକ କାର୍ଯ୍ୟକ୍ରମ ସହ ପଦଯାତ୍ରା, ପଥପ୍ରାନ୍ତ ନାଟକ ଓ ସଙ୍ଗୀତ ମାଧ୍ୟମରେ ତୃଣମୂଳସ୍ତରରେ ଗାନ୍ଧୀ ଚେତନାକୁ ଉଜ୍ଜିବୀତ କରିବା ସହିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବାର ପ୍ରଚେଷ୍ଟା କରିବାର ଲକ୍ଷ୍ୟ ରହିଛି ବୋଲି ଏହି ଅଭିଯାନର ଅବାହିକା ଡଃ ରୀନା ରାଉତରାୟ ସୂଚନା ଦେଇଛନ୍ତି । ଗାନ୍ଧୀ ଚିନ୍ତା ଓ ଚେତନା ଯୁବପିଢିଙ୍କ ବୌଦ୍ଧିକ ବିକାଶ ଦିଗରେ କିପରି ସହାୟକ ହୋଇପାରିବ ସେ ସମ୍ପର୍କିତ କାର୍ଯ୍ୟକ୍ରମ ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଓ ଯୁବ ପ୍ରତିଷ୍ଠାନମାନଙ୍କରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ମାଧ୍ୟମରେ କରିବା ସହିତ ଗାନ୍ଧୀଙ୍କ ଓଡ଼ିଶା ଆଗମନ ସମ୍ପର୍କିତ ଆନ୍ତର୍ଜାତୀୟ ସେମିନାର ଇତ୍ୟାଦି ଆୟୋଜନ କରିବାର ଯୋଜନା ରହିଛି ବୋଲି ଏହି ଅଭିଯାନର ମୁଖ୍ୟ ସଂଯୋଜକ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ମନୋଜ ଜେନା ସୂଚନା ଦେଇଥିଲେ । ବିଶିଷ୍ଟ ଗାନ୍ଧିବାଦୀ ସ୍ତମ୍ଭକାର ପ୍ରହ୍ଲାଦ ସିଂ ପୁରୀ ରେଳ ଷ୍ଟେସନଠାରେ ଥିବା ଗାନ୍ଧୀ ଓ ଜଗନ୍ନାଥଙ୍କୁ ନେଇ ବିବାଦୀୟ ଫଳକକୁ ହଟାଇବାକୁ ଦାବି କରିଥିଲେ । ସର୍ବସେବା ସଂଘର ରାଷ୍ଟ୍ରୀୟ ମହାମନ୍ତ୍ରୀ ଗୌରାଙ୍ଗ ମହାପାତ୍ର ଗାନ୍ଧିଜୀଙ୍କ ଓଡ଼ିଶା ଆଗମନକୁ ରାଷ୍ଟ୍ରବ୍ୟାପୀ ପାଳନ କରାଯିବ ବୋଲି ମତପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନିଶିକାନ୍ତ ମିଶ୍ର, କବିତା ପରିଡ଼ା, ରମେଶ ମହାପାତ୍ର, ଦୀପାୟନ ପଟ୍ଟନାୟକ
ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking