ଆଜି ପାର୍ଟିକୁ ଯିବାପାଇଁ ଜମା ମୁଡ ନଥିଲା ମିହିକା’ର।ଅବଶ୍ୟ ନିମନ୍ତ୍ରଣ ମିଳିଥିବା ବିବାହବାର୍ଷିକୀପାର୍ଟି କୌଣସି ହୋଟେଲରେ ନଥିଲା, ବରଂ ସେ ରହୁଥିବା ଫ୍ଲୋରର, ମିସେସ ରାଏଙ୍କ ଘରେ ହିଁ ଥିଲା ପାର୍ଟି।
ସପ୍ତାହେ ତଳେ ନୂଆ ହୋଇ ଆପାର୍ଟମେଣ୍ଟକୁ ଆସିଥିବାରୁ,ମିହିକା’ର ପଡୋଶୀ ମାନଙ୍କ ସହ ବେଶୀ ପରିଚୟ ହୋଇନି।ସକାଳ ନଅ ରୁ କାମକୁ ବାହାରିଯାଇ ଘରକୁ ଫେରିଲାବେଳକୁ ସାଢ଼େ ଛଅ ସାତ ହୋଇଯାଏ।ବେଳେବେଳେ ମିଟିଙ୍ଗ ଥିଲେ,ଆଠଟା ବି ହୋଇଯାଏ।ଘରକୁ ଫେରିଲା ବେଳେଆପାର୍ଟମେଣ୍ଟ ର ତଳେ ଥିବା ଛୋଟ ଗାର୍ଡନ ଅଥବା ନିଜ କରିଡ଼ରରେ କିଛି ଲୋକ ଦେଖାହେଲେ କେବଳ ହାଏ,ହାଲୋ ଅଥବା ମୁହଁରେ କେବଳ ଶୁଖିଲା ହସଟେ ଖେଳାଇବା ବ୍ୟତୀତ ଆଉ କିଛି କରିବାକୁ ଇଛା ନଥାଏ।
ଗତ କାଲି ରାତି ନଅଟା ରେ କଲିଙ୍ଗ ବେଲ ଶବ୍ଦ ଶୁଣି କବାଟ ଖୋଲି ମିଷ୍ଟର ରାଏ ଓ ମିସେସ ଶୁଭ୍ରାରାଏ ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ମିହିକା।ହସ ହସ ମୁହଁରେ ଶୁଭ୍ରା କହିଲେ,
– ଫ୍ଲାଟ ନମ୍ବର ୨୦୪,ମୁଁ ମିସେସ ରାଏ,ମନେ ଅଛି ତ ?ଇୟେ ମୋ ମିଷ୍ଟର। ଏତେ ରାତିରେ ଡିଷ୍ଟର୍ବ କରୁନୁ ତ ?ଆପଣ ଏକୁଟିଆ ରହୁଛନ୍ତି ଓ ଅଫିସ ଚାଲିଯାଉଛନ୍ତି । ଆପଣଙ୍କ ଫୋନ ନମ୍ବର ବି ମୋ ପାଖରେ ନଥିଲା ବୋଲି ବାଧ୍ୟହୋଇ ଏଇନା ଆସିଲୁ।”
ଟିକେ ଅପ୍ରସ୍ତୁତ ହୋଇ ମିହିକା କହିଲା,
-ମୁଁ ଆପଣଙ୍କ ଠାରୁ ବୟସରେ ଯଥେଷ୍ଟ ସାନ ହେବି।ତେଣୁ ଆପଣ ନକହି,ମୋତେ ମିହିକା ବୋଲି ଡାକିବେ।ଆପଣ ନାଁ କିନ୍ତୁ ମୋର ମନେ ଅଛି,ଶିଫ୍ଟିଙ୍ଗ ଦିନ ଆପଣ ତ ଆଣି ଆଗେ ଚା ଓ ଜଳଖିଆ ଦେଇଥିଲେ।ପ୍ଲିଜ ଘର ଭିତରକୁ ଆସନ୍ତୁ।’
ହସିଦେଇ ମିଷ୍ଟର ରାଏ କହିଲେ,
-ଆଉ କେବେ ଆସି ଗପସପ କରିବା। ଆସନ୍ତାକାଲି ସନ୍ଧ୍ୟା ସାଢ଼େସାତ ରେ ଆପଣଙ୍କୁ ନିମନ୍ତ୍ରଣ ରହିଲା।ଆମ ଘରେ ଗୋଟେ ଛୋଟ ପାର୍ଟି ଅଛି।ଆପଣ ନୂଆ ହୋଇ ଆସିଛନ୍ତି,ଏଇ ମଉକାରେ ଅନ୍ୟ ମାନଙ୍କ ସହ ବି ଆପଣଙ୍କର ପରିଚୟ ହୋଇଯିବ।”
ମିହିକା ପଚାରିଲା,
– କି ପାର୍ଟି ?”
-ବିବାହବାର୍ଷିକୀ; ଆନିଭର୍ସରି ପାର୍ଟି।ନିଶ୍ଚେ ଆସିବେ ଆପଣ।ଉଫ,ସରି, ଆସିବ ମିହିକା।”
ଦୁହେଁ ବିଦାୟ ନେଇ ଚାଲିଗଲା ପରେ, କ୍ୟାଲେଣ୍ଡର କୁ ଅନାଇ ଚମକି ପଡିଲା ମିହିକା। ଆନିଭର୍ସରି ,ଆସନ୍ତାକାଲି !!ଟିକେ ଗୁମ ମାରି ବସିଲା ମିହିକା।
ହେ,ଭଗବାନ !ଆସନ୍ତାକାଲି ତ ତା ଆନିଭର୍ସରି…
କିନ୍ତୁ ସେ ଓ ସୀମାଦ୍ରୀ ତ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି।ଆଉ ପୁଣି କେଉଁ ବିବାହବାର୍ଷିକୀ !
ନିଜେ ସେ ଓହରି ଆସିଥିଲା ଏ ବନ୍ଧନରୁ।ବିବାହ ତ ଏକ ପବିତ୍ର ବନ୍ଧନ,ନିରୁତା ବିଶ୍ବାସ ହିଁ ଏଇ ବନ୍ଧନର ମଜବୁତ ମୂଳଦୁଆ।ହେଲେ ବିଶ୍ବାସ ତ ଭାଙ୍ଗି ଦେଇଥିଲା ସୀମାଦ୍ରୀ।ସେଦିନ ଡ୍ରିଙ୍କ କରି ଗେଷ୍ଟ ହାଉସରେ ରାତ୍ରି ଯାପନ କରିଥିଲା ଅନିନ୍ଦିତା ସହ।ସବୁ ପ୍ରମାଣ ହାତରେ ଲାଗିଥିଲା ମିହିକାର।ନିଜେ ଅନିନ୍ଦିତା ଦେଖାଇଥିଲା ଫଟ ସବୁ ଓ ମିହିକା କୁ କହିଥିଲା,
– ମୁଁ ଓ ସୀମାଦ୍ରୀ ଉଭୟେ ରିଲେସନସିପରେ ଅଛୁ,ଅନେକ ଦିନ ହେଲାଣି।ଖୁବ ଶୀଘ୍ର ଆମେ ମ୍ୟାରେଜ କରିବୁ।ଯଦି ଚାହିଁବି ଏସବୁ ଭାଇରାଲ କରିଦେବି।”
ଘୃଣାରେ ଥରି ଯାଇଥିଲା ମିହିକାର ଦେହ।ବହୁତ କାନ୍ଦିଥିଲା ସେ।କଣ କମ ଥିଲା ତା ପାଖରେ ଯେ,ସୀମାଦ୍ରୀ ଅନ୍ୟ ଝିଅ ସାଙ୍ଗରେ ମାତୁଛି ?ସେଦିନ ସୀମାଦ୍ରୀ ମୁଣ୍ଡ ତଳକୁ କରି ମିହିକାକୁ କ୍ଷମା ମାଗି କହିଥିଲା,
– ପ୍ଲିଜ ମିହିକା,ଆଇ ଆମ ସରି।ଇୟେ ସବୁ ଅନିନ୍ଦିତା ର ଚାଲ।ତା ଡାଇଭର୍ସ ପରେ ସେ ବହୁତ ଏକୁଟିଆ ହୋଇଯାଇ, ଡିପ୍ରେସନ ଯୋଗୁଁ ସୁଇସାଇଡ଼ କରିବା ପାଇଁ ଚିନ୍ତା କରୁଛି ବୋଲି ମୋତେ ଅନେକ ସମୟରେ କହୁଥିଲା ବୋଲି ମୁଁ ବ୍ୟସ୍ତ ହୋଇ ବନ୍ଧୁ ହିସାବରେ ତାକୁ ସାନ୍ତ୍ୱନା ଦିଏ।ପାର୍ଟିରେ ସେ ଜାଣିଶୁଣି ମୋ ଡ୍ରିଙ୍କକୁ ସ୍ପାଇକ ଅପ କରି, ମୁଁ ନିଶାରେ ଥିଲାବେଳେ ହୁଏତ ଏସବୁ ଅଶ୍ଳୀଳ ଫଟ ଓ ଭିଡିଓ ନେଇଛି।ସତ କହୁଛି ମୋର ତା ସହିତ…
ସୀମାଦ୍ରୀ ଗାଲକୁ ଗୋଟେ ଚଟକଣା ପକାଇ ମିହିକା କହିଥିଲା,
– ଯଦି ମୁଁ ଏମିତି ଭୁଲ କରିଥାଆନ୍ତି ଓ କୌଣସି ପୁରୁଷ ବନ୍ଧୁ ସହ ମୋର ରାତ୍ରିଯାପନର ଏଭଳି ଫଟ ତମ ହାତରେ ଲାଗିଥାନ୍ତା,ତମେ କଣ କରିଥାନ୍ତ !”
ପୁରୁଣା କଥା ସବୁ ଆଜି ମନେ ପଡି ଆଖି ଟା ଛଳ ଛଳ ହୋଇଯାଉଥିଲା ମିହିକାର।ଅଲଗା ଶିଫ୍ଟ ହୋଇ ପ୍ରଥମେ ଗୋଟେ ୱାର୍କିଂ ଓମେନ ହଷ୍ଟେଲ ଓ ପରେ ଏଇ ଆପାର୍ଟମେଣ୍ଟ କୁ ଆସିଛି ମିହିକା।କୋର୍ଟରେ ଡାଇଭର୍ସ କେସ ଚାଲିଛି,ଖୁବ ଶୀଘ୍ର ଫଇସଲା ହେବାକୁ ଚାହୁଁଛି ମିହିକା।ବାହା ହୋଇ ଆରାମରେ ଅନିନ୍ଦିତା ସହ ରହୁ ସୀମାଦ୍ରୀ।ନୂଆ ଦେହ,ନୂଆ ନାରୀ ପାଇଲା ପରେ,ପୁରୁଷ ନିଜ ପୁରୁଣା ସାଥୀକୁ ବହୁତ ଶୀଘ୍ର ଭୁଲିଯାଏ।ସୀମାଦ୍ରୀ ଏଇନା କେବଳ ବାହାନା କରୁଛି।ସେଥିପାଇଁ ତା ମୋବାଇଲକୁ ବ୍ଲକ କରିଦେଇଛି ମିହିକା।
ପ୍ରକୃସ୍ଥିତ ହୋଇ ବାଥରୁମ କୁ ପଶି ହଟ ସାୱାର ନେଲା ସେ।ନିଜ ପ୍ରଥମ ବିବାହ ଓ ବିବାହବାର୍ଷିକୀକୁ ସେ ଭୁଲିବାକୁ ଚେଷ୍ଟା କରିବ।
ସନ୍ଧ୍ୟାରେ ଘରକୁ ଫେରିଲାବେଳେ ଆପାର୍ଟମେଣ୍ଟ ୱାଚମ୍ୟାନ ତା ହାତକୁ ଗୋଟେ ପ୍ୟାକେଟ ବଢ଼ାଇ ଦେଲା।
ପ୍ୟାକେଟ ଭିତରେ ଗୋଟେ ଫୁଲ ତୋଡା,କିଛି ଚକୋଲେଟ ଥିଲା।ଫୁଲତୋଡା ଉପରେ ଗୋଟେ କାଗଜ “ହାପି ଆନିଭର୍ସରୀ”।
କିଏ ପଠାଇଛି ଏଇ ପ୍ୟାକେଟ !ୱାଚମ୍ୟାନ ଯେଉଁ ହୁଲିଆ ବତାଇଲା ମିହିକା ଜାଣିପାରିଲା ଯେ ସୀମାଦ୍ରୀ ଆସିଥିଲା।ତାର ଇଛା ହେଉଥିଲା, ଫୁଲତୋଡାକୁ ଫୋପାଡ଼ି ଦେବାପାଇଁ।ପୁଣି କିଛି ଚିନ୍ତା କରି ପ୍ୟାକେଟ ଧରି ଲିଫ୍ଟରେ ପଶିଲା।ମିସେସ ରାଏ ଙ୍କୁ ଦେବାପାଇଁ ସେ ଗିଫ୍ଟ ଆଣିବାକୁ ଭୁଲିଯାଇଥିଲା।ଏଇ ଫୁଲତୋଡା କାମରେ ଆସିବ।ସୀମାଦ୍ରୀ ର କିଛି ଜିନିଷ ନିଜ ପାଖରେ ରଖିବନି ସେ।
ଫ୍ରେସ ହୋଇ ମିସେସ ରାଏଙ୍କ ଘରେ ପହଁଚିଲା ବେଳକୁ ଅନ୍ୟଲୋକମାନେ ସବୁ ଆସି ବସିଥିଲେ।
ଟେବୁଲ ଉପରେ କେକ ବି ଥୁଆ ହୋଇଥିଲା।ତେବେ କାନ୍ଥରେ ଲାଗିଥିବା ଫଟଟା ଦେଖି ଚମକି ପଡିଲା ମିହିକା।ଏ ଫଟ!!!!
କେକ ଖାଇଲା ବେଳେ ନିଜ କୌତୁହଳ ସମ୍ଭାଳି ନପାରି ମିହିକା ,ଶୁଭ୍ରାରାଏଙ୍କୁ ପଚାରିଲା,
– ଆପଣ ତ କହୁଥିଲେ, ଆଜି ଆପଣଙ୍କର ଆନିଭର୍ସରୀ।କିନ୍ତୁ ଏ ଫଟରେ…
ମୃଦୁ ହସି ଶୁଭ୍ରା କହିଲେ,
-ଫଟରେ ଥିବା ମହିଳା ହେଉଛନ୍ତି ମିଷ୍ଟର ରାଏଙ୍କ ପ୍ରଥମ ପତ୍ନୀ।ତାଙ୍କ ମୃତ୍ୟ ପରେ ମିଷ୍ଟର ରାଏଙ୍କ ସହ ମୋର ବିବାହ ହୋଇଥିଲା।ହେଲେ ଆଜିଯାଏଁ ମିଷ୍ଟର ରାଏ ତାଙ୍କୁ ଭୁଲି ନାହାନ୍ତି।ଆଜି ସେମାନଙ୍କର ଆନିଭର୍ସରୀ।ପ୍ରତିବର୍ଷ ଆମେ ଏଇଦିନ ସେଲିବ୍ରେଟ କରୁ।”
ଆବାକାବା ହୋଇ ମିହିକା ପଚାରିଲା,
-ଆପଣ ପ୍ରତିବାଦ କରି ନାହାନ୍ତି ?ମାନେ ଆପଣଙ୍କ ସହ ବିବାହ ପରେ….
ଦୀର୍ଘନିଶ୍ବାସ ନେଇ ଶୁଭ୍ରା କହିଲେ,
– ସତ କହିବାକୁ ଗଲେ ମୋତେ କିଛି ଖରାପ ଲାଗେନା।ମୋତେ କେବେ ସ୍ନେହ,ଆଦରରେ ଉଣା କରି ନାହାନ୍ତି ମିଷ୍ଟର ରାଏ।ମୃତ ସ୍ତ୍ରୀ କୁ ଏତେ ଗଭୀର ଭଲ ପାଉଥିବା ଓ ଆଦର ,ସମ୍ମାନ କରୁଥିବା ଲୋକେ ବିରଳ।ଆଉ ସତ କଥା ହେଲା ନିଜ ପ୍ରଥମ ବିବାହ କେହି କଣ କେବେ ଭୁଲିପାରେ?”
ମନ ଭିତରେ ଏକ ଆଲୋଡ଼ନ ସୃଷ୍ଟି ହେଉଥିଲା ମିହିକା’ର।ସୀମାଦ୍ରୀ’ର ମୁହଁ ଟା ଆଖି ସାମ୍ନାରେ ଭାସି ଉଠୁଥିଲା।ଘରକୁ ଫେରିଲା ପରେ ଲାପଟପ ଖୋଲି ନିଜ ବିବାହ ଓ ବିବାହବାର୍ଷିକୀ ର ଫଟ ସବୁ ଦେଖୁଥିଲା ମିହିକା।ସୀମାଦ୍ରୀ ଫୁଲ ତୋଡା ଓ ଚକୋଲେଟ ପଠାଇଛି।ଓକିଲ ଜରିଆରେ ବାରମ୍ବାର ଖବର ପଠାଇଛି ବୁଝାମଣା କରି ପୁଣି ଏକାଠି ରହିବାକୁ।ସେ ଛାଡପତ୍ର ଚାହେଁନା।ସେଦିନ ଫ୍ୟାମିଲି କୋର୍ଟରେ ମହିଳା ଜଜ ବି କହିଥିଲେ,
-ଭୁଲ ସମସ୍ତେ କରନ୍ତି।ତେବେ ଜୀବନକୁ ଦ୍ଵିତୀୟ ମଉକା ଦେବା ପାଇଁ ଚେଷ୍ଟା କରିବା ଉଚିତ।ପୁଣିଥରେ ଥଣ୍ଡା ମିଜାଜ ରେ ଭାବିଦେଖ।ବିବାହ ବନ୍ଧନରେ ବାନ୍ଧି ହେଲାବେଳେ ଆମେ ପରସ୍ପର ଉପରେ ଭରସା,ବିଶ୍ବାସ ରଖିବା ସହ ଭୁଲ ପାଇଁ ଉଭୟେ ଉଭୟଙ୍କୁ କ୍ଷମା ଦେବାକୁ ବି ପ୍ରତିଶ୍ରୁତି ଦେଇଥାଉ।”
ମିସେସ ରାଏ’ଙ୍କ କଥା ମନେପଡୁଥିଲା ମିହିକା’ର।ମୋବାଇଲ ଫୋନ ଖୋଲି ସୀମାଦ୍ରୀ ନମ୍ବର କୁ ଅନବ୍ଲକ କରି ମେସେଜ ପଠାଇଲା,
– ଫୁଲ ତୋଡା ଓ ଚକୋଲେଟ ପାଇଁ ଧନ୍ୟବାଦ।ହାପି ଆନିଭର୍ସରୀ।”
ସେପଟୁ ଚଟ କିନା ଉତ୍ତର ଆସିଲା,
– ହାପି ଆନି ଭର୍ସରୀ ମିହିକା।ଏବେ ତୁମ ଫ୍ଲାଟକୁ ଆସିପାରିବି କି ?”
ଆଶ୍ଚର୍ଯ୍ୟ ହୋଇ ମିହିକା ମେସେଜ କଲା,
– ଏତେ ରାତିରେ !”
– ବେଶୀ ରାତି ଆଉ କେଉଁଠି ?ରାତି ବାରଟା ହୋଇନି।ତମ ଆପାର୍ଟମେଣ୍ଟ ସାମ୍ନାରେ ହିଁ ,ଗାଡି ଭିତରେ ବସିଛି।ଅନୁମତି ଦେଲେ, ବିବାହବାର୍ଷିକୀ ଆମେ ଦୁହେଁ ,ଏକାଠି ପାଳନ୍ତେ….ବର୍ତ୍ତମାନ।”
-ପାଗଳ କେଉଁଠିକାର….କହି,ଧଡ଼ କିନା ଉଠିପଡ଼ି କବାଟ ଖୋଲି ମିହିକା ଦେଖୁଥିଲା ଆପାର୍ଟମେଣ୍ଟ ଗେଟ ବାହାରେ ଠିଆ ହୋଇ ହାତ ହଲାଉଥିଲା ସୀମାଦ୍ରୀ।
(©️ଅରବିନ୍ଦଦାସ)