ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଙ୍ଗ ପରେ ଏବେ ଆପଣଙ୍କୁ ୨-୪ ଦିନ ଅପେକ୍ଷା କରିବାକୁ ପଡିବନି । ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ଏଲପିଜି ତତ୍କାଳ ସେବା ଆରମ୍ଭ କରିବା ପାଇଁ ଯୋଜନା କରୁଛି । ଯାହାଦ୍ୱାରା ଆପଣ କେବଳ ଅଧ ଘଣ୍ଟାରେ ଘରେ ଗ୍ୟାସ ସିଲିଣ୍ଡର ପହଂଚିଯିବ । ଅର୍ଥାତ ଯେଉଁଦିନ ଆପଣ ଗ୍ୟାସ ସିଲିଣ୍ଡର ବୁକ୍ କରିବେ, ସେହି ଦିନ ଆପଣଙ୍କୁ ସିଲିଣ୍ଡର ମିଳିଯିବ । ପ୍ରତି ରାଜ୍ୟର ଗୋଟିଏ ସହରରେ ଆଇଓସି ଏହି ସୁବିଧା ଆରମ୍ଭ କରିବ । ଏହା ହେବ ତତ୍କାଳ ଏଲପିଜି ସେବା ।
୩୦ରୁ ୪୫ ମିନିଟରେ ଘରେ ପହଂଚିବ ସିଲିଣ୍ଡର
ଖବର ମୁତାବକ, ଆଇଓସି ପ୍ରତି ରାଜ୍ୟର ଗୋଟିଏ ସହର କିମ୍ବା ଜିଲ୍ଲା ଚୟନ କରିବା ପରେ ଏହି ସେବା ଆରମ୍ଭ କରିବ । ଏହି ସେବା ମାଧ୍ୟମରେ କମ୍ପାନୀ ନିଜ ଗ୍ରାହକଙ୍କ ନିକଟରେ ୩୦ରୁ ୪୫ ମିନିଟ ମଧ୍ୟରେ ସିଲିଣ୍ଡର ପହଂଚାଇବ । କମ୍ପାନୀ କହିଛି ଯେ, ଏନେଇ କାମ ଏବେ ଜାରି ରହିଛି । ଖୁବଶୀଘ୍ର ଏହି ସୁବିଧାକୁ ଉପଲବ୍ଧ କରାଯିବ ।
୧ ଫେବୃୟାରୀରୁ ଏହି ସେବା ଆରମ୍ଭ ହେବ
କମ୍ପାନୀ ଆହୁରି ମଧ୍ୟ କହିଛି ଯେ, ଏହାଦ୍ୱାରା ଅନ୍ୟ ତୈଳ କମ୍ପାନୀ ଅପେକ୍ଷା ଆମକୁ ଏକ ଭିନ୍ନ ପରିଚୟ ମିଳିବ । କମ୍ପାନୀର ଜଣେ ଅଧିକାରୀ କହିଛନ୍ତି, ଏହି ସେବା ଆସନ୍ତା ଫେବୃୟାରୀ ୧ରୁ ଆରମ୍ଭ ହେବ । ଏହା ଜଲଦି ଆରମ୍ଭ ହେଉ ବୋଲି ସମସ୍ତେ ଏଥିପାଇଁ ଲାଗିପଡିଛନ୍ତି ।
ଆଇଓସିର ଅଛନ୍ତି ପ୍ରାୟ ୧୪ କୋଟି ଗ୍ରାହକ
ଆଇଓସି ଇଣ୍ଡେନ ବ୍ରାଣ୍ଡ ନାମରେ ନିଜ ଗ୍ରାହକଙ୍କୁ ସିଲିଣ୍ଡର ଯୋଗାଇଥାଏ । କହିରଖୁଛୁ, ବର୍ତମାନ ଦେଶରେ ୨୮ କୋଟି ଏଲପିଜି ଗ୍ରାହକ ଅଛନ୍ତି, ଯାହାମଧ୍ୟରୁ ୧୪ କୋଟି ଗ୍ରାହକ ଇଣ୍ଡେନ ଗ୍ୟାସ ବ୍ୟବହାର କରନ୍ତି ।
ଏହି ସେବା ପାଇଁ କେତେ ପଇସା ଦେବାକୁ ପଡିବ
ଆଇଓସି ଅଧିକାରୀ କହିଛନ୍ତି ଯେ, ତତ୍କାଳ ଏଲପିଜି ସେବା କିମ୍ବା ସିଙ୍ଗଲ ଡେ ସର୍ଭିସର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ କିଛି ଦାମ ମଧ୍ୟ ଦେବାକୁ ପଡିବ । ଏହି ଚାର୍ଜ କେତେ ହେବ ସେ ନେଇ ଆଲୋଚନା ଚାଲିଛି । ଖୁବଶୀଘ୍ର ଏନେଇ ଗ୍ରାହଙ୍କୁ ସୂଚନା ପ୍ରଦାନ କରାଯିବ । ସାଧାରଣଭାବରେ ଯେଉଁ ଗ୍ରାହକଙ୍କ ପାଖରେ କେବଳ ଗୋଟିଏ ସିଲିଣ୍ଡର ଥାଏ, ତାହା ସରିଗଲା ପରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଡବଲ୍ ବଟଲ କନୁଜ୍ୟମର କଥା ଯଦି କହିବା, ତେବେ ସେମାନଙ୍କ ପାଖରେ ବିକଳ୍ପ ରହିଥାଏ ।