କେନ୍ଦୁଝର: ଆଜି କେନ୍ଦୁଝର ସହରରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ସହର ମଧ୍ୟ ଦେଇ ଯାଉଥିବା ଦୁଇଟି ବେଆଇନ ଗୋରୁ ବୋଝେଇ କଣ୍ଟେନର କୁ ଧରିଛି ବଜରଙ୍ଗ ଦଳର ନେତାମାନେ । ବିଶେଷ ସୂତ୍ରରୁ ଖବର ପାଇ ଆଜି ସହରର ଗାନ୍ଧୀ ଛକ ଠାରେ ବଜରଙ୍ଗ ଦଳର ନେତାମାନେ ଏହି ଗାଡି ଗୁଡିକୁ ଅଟକାଇ ଥିଲେ । ଗାଡି ଗୁଡିକୁ ଅଟକାଇ କଣ୍ଟେନର ଖୋଲିବାରୁ ସେଠାରୁ ଚାଲାଣ ହେଉଥିବା ଗୋରୁ ଗୁଡିକୁ ଦେଖିବାକୁ ମିଳିଥିଲା । କିଛି ସମୟ ଏହି ଗୋରୁଙ୍କୁ ଦେଖିବାକୁ ସ୍ଥାନୀୟ ଜନସାଧାରଣଙ୍କ ଭିଡ଼ ଜମିଥିଲା । ମୁଖ୍ୟ ରାସ୍ତା ଜାମ ହେବାରୁ ଖବର ପାଇ ଟାଉନ ପୋଲିସ ଦୁଇଟି କଣ୍ଟେନରକୁ ଜବତ କରି ଥାନାକୁ ନେଇଥିଲା । ସେଠାରେ ଗୋରୁ ଗୁଡିକୁ କଣ୍ଟେନର ମଧ୍ୟରୁ ବାହାର କରାଯାଇଥିଲା । ବେଆଇନ ଭାବେ ଏହି ଗୋରୁ ଗୁଡିକୁ ପଶ୍ଚିମବଙ୍ଗ ନିଆଯାଉଥିବା ଜଣାପଡିଛି । ଗାଡ଼ିରେ ଥିବା ଚାରିଜଣ ଡ୍ରାଇଭର ଓ ହେଲ୍ପରଙ୍କୁ ପୋଲିସ ଅଟକ ରଖିବା ସହ ୪୦ ରୁ ଉର୍ଦ୍ଧ୍ବ ଗୋରୁ ଗୁଡିଙ୍କୁ ଜବତ କରିଛି ଟାଉନ ପୋଲିସ । ପ୍ରଶାସନ ର ଦୃଷ୍ଟି ଗୋଚରରେ ଏଭଳି ବେଆଇନ ଗୋରୁ ଚାଲାଣ ହେଉଥିବା ଅଭିଯୋଗ କରିଛି ବଜରଙ୍ଗ ଦଳ। ଏହି ଗୋରୁ ବୋଝେଇ ଗାଡିକୁ ଦେଖି କିଛି ସମୟ ଥାନା ମଧ୍ୟରେ ମଧ୍ୟ ଉତେଜନା ପ୍ରକାଶ ପାଇଥିବା ବେଳେ ପରିସ୍ଥିତି କୁ ପୋଲିସ ଶାନ୍ତ କରିଥିଲା ।