20.1 C
Bhubaneswar
Sunday, November 17, 2024
Homeବ୍ରେକୀଙ୍ଗଭବାନୀପାଟଣାରେ "ପୁଅ ଜିଉଁନ୍ତିଆ"

ଭବାନୀପାଟଣାରେ “ପୁଅ ଜିଉଁନ୍ତିଆ”

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଅଧିକାଂଶ ଗାଁରେ ପୁଅଜିଉଁନ୍ତିଆ ଆଜି ପାଳିତ ହୋଇଯାଇଛି । ଜିଲ୍ଲାର ବିଶେଷକରି କର୍ଲାମୁଣ୍ଡା ବ୍ଲକ ସଦର, ବିନ୍ଧାଣୀ, ରିଞ୍ଜା, ସ.ମାଲପଡା, ରେଗଡ଼ା, କୁଶୁର୍ଲା, ଯୋରାଡ଼ୋବ୍ରା, ରିଷିଡ଼ା, ପୌରକେଲା, ଗଜବାହାଲ, ପୌରକେଲା, ଭବାନୀପାଟଣା, ଜୁନାଗଡ଼, କେସିଙ୍ଗା, ଗୋଲାମୁଣ୍ଡା, ଜୟପାଟଣା, ଥୁଆମୁଳରାମପୁର ଆଦି ବ୍ଲକ ସମେତ ସମସ୍ତ ଗାଁରେ ପାଳନ କରାଯାଇଛି ।
ଓଡ଼ିଶାରେ ବାରମାସରେ ତେର ପର୍ବ ପାଳନ କରାଯାଏ, ତେବେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଥିବା ଏକ ପର୍ବ ହେଉଛି ପୁଅ ଜିଉଁନ୍ତିଆ । ଏହି ପର୍ବ ମା’ମାନେ ନିଜ ପୁଅମାନଙ୍କ ସୁଖ ସମୃଦ୍ଧି ପାଇଁ ଦୂତୀବାହାନଙ୍କ ଠାରେ ପୂଜା କରିଥାନ୍ତି । ଏହି ପୂଜା ମୁଖ୍ୟତଃ ସନ୍ଧ୍ୟା ସମୟରେ କରାଯାଏ । ସକାଳୁ ବ୍ରତଧାରୀ ମା’ମାନେ ଉପାସ ରହି ସନ୍ଧ୍ୟା ସମୟରେ ନିକଟସ୍ଥ ପୋଖରୀକୁ ଦଳ ଦଳ ହୋଇ ଗାଧୋଇ ଯାଇଥାନ୍ତି ଏବଂ ଏହି ସମୟରେ ହିଁ ଦାନ୍ତ ଘସିଥାନ୍ତି । ପୋଖରୀରେ ଗାଧୋଇ ସାରିଲା ପରେ ସେଠାରେ ପାଣି ଭିତରୁ ବାଲି କାଢ଼ି ତା ଉପରେ କଟା କାକୁଡ଼ି ଓ ଅଫାମରା କାଠି ରଖି ପୂଜା କରି ଘରକୁ ଫେରିବାର ପରମ୍ପରା ରହିଛି । ଖଇ ଓ ବିଭିନ୍ନ ପୂଜା ସାମଗ୍ରୀ ନେଇ ଗ୍ରାମରେ ଏକ ସ୍ଥାନରେ ବ୍ରତଧାରୀମାନେ ଏକ ଅସ୍ଥାୟୀ ମଣ୍ଡପରେ ବସି ଦୂତୀବାହାନଙ୍କ ପୁରାଣ ଶ୍ରବଣ କରି ଦୂତୀବାହାନଙ୍କ ଠାରେ ଦୂବ ସହ ଜିଉଁନ୍ତିଆକୁ ପୂଜା କରି ତାକୁ ଘରକୁ ଆଣିଥାନ୍ତି । ତା\’ପର ଦିନ ସକାଳେ ଗାଧୋଇ ସାରି ନିଜ ପୁଅମାନଙ୍କୁ ଆସନରେ ବସାଇ ଦୂତୀବାହାନଙ୍କ ଠାରେ ପୂଜା କରାଯାଇଥିବା ଦୂବକୁ ପୁଅ ମୁଣ୍ଡରେ ସାତ ଥର ମୁଣ୍ଡରୁ ତଳ ପର୍ଯ୍ୟନ୍ତ ବୁଲାଇ ଆଣିବା ପରେ ଚନ୍ଦନ ଦେଇ ପୁଅର ସୁଖ ସମୃଦ୍ଧି ପାଇଁ ଦୂତୀବାହାନଙ୍କ ଠାରେ ପ୍ରାର୍ଥନା କରି ଜିଉଁତିଆ ବାନ୍ଧିଥାନ୍ତି । ଏହାପରେ ପରେ ଦୂତୀବାହାନଙ୍କ ଠାରେ ଅର୍ପଣ କରାଯାଇଥିବା ଖଇ ପ୍ରସାଦ ଗାଁ’ର ସମସ୍ତଙ୍କୁ ବଣ୍ଟନ କରାଯିବାର ପ୍ରଥା ରହିଛି । କିନ୍ତୁ ବର୍ତ୍ତମାନର ଅଧୁନା ସମୟରେ ମା’ ପାଇଁ ଦୂତୀବାହାନ ପୂଜା ଅଲୋଡ଼ା ହେଉଥିବା ଦୃଷ୍ଟିଗୋଚର ହେଉଛି । ଗାଁ’ଗୁଡ଼ିକରେ ପୂର୍ବଭଳି ଏହି ପୂଜାର ଆସର ଆଉ ଦେଖିବାକୁ ମିଳିପାରୁ ନାହିଁ, କିନ୍ତୁ ଏହି ଭଳି ପର୍ବ  ମା’ ଓ ପୁଅର ଅପୂର୍ବ ପର୍ବକୁ ସବୁଦିନ ପାଇଁ ବଞ୍ଚାଇରଖିବାର ସମୟ ଆସିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking