32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଜୀବିକା ପାଇଁ ଜୀବନ ସହିତ ଲଢ଼େଇ

ଜୀବିକା ପାଇଁ ଜୀବନ ସହିତ ଲଢ଼େଇ

ଫୁଲବାଣୀ : କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନର ବିକାଶ ପାଇଁ ବିିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏହାର ସଠିକ୍ କାର୍ଯ୍ୟକାରୀ କରାଯାଉ ନାହିଁ, ଯାହା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ଜିଲ୍ଲାରେ ଏଭଳି ଅନେକ ଗ୍ରାମ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ପାଦଚଲା ରାସ୍ତାଟିଏ ମଧ୍ୟ ନାହିଁ । ଅନେକ ସ୍ଥଳରେ ମଧ୍ୟ ମିଳିଛି ପ୍ରତିଶ୍ରୁତି, କିନ୍ତୁ ତାହା ମଧ୍ୟ କେବଳ ପ୍ରତିଶ୍ରୁତି ହୋଇ ରହିଯାଇଛି । ଅନ୍ୟପକ୍ଷରେ ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜିଲ୍ଲାର ଅନେକ ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ଥିବାବେଳେ ଅନେକ ନଦୀଘେରରେ ରହିଛି । ସେଥି ମଧ୍ୟରୁ ଅଧିକାଂଶ ଗ୍ରାମରେ ଥିବା ନଦୀ ଉପରେ ପୋଲ ନିର୍ମାଣ ହୋଇନାହିଁ । ଫଳରେ ନଦୀରେ ଜଳସ୍ତରରେ ବୃଦ୍ଧି ପାଇଲେ କେଉଁ ଅଞ୍ଚଳରେ ଗଛକାଟି ନଦୀ ପାର ହେଉଥିବା ବେଳେ ଆଉ କିଏ ଛୋଟ ଛୋଟ ନାଳମାନଙ୍କରେ ଅସ୍ଥାୟୀ କାଠପୋଲ ନିର୍ମାଣ କରି ଯାତାୟାତ କରିଥାନ୍ତି । ସେହଭଳି କେତେକ ଅଞ୍ଚଳରେ ବିନା ନାବିକରେ ଦେଶୀଡଙ୍ଗାରେ ଲୋକ ଯାତାୟାତ କରିଥା’ନ୍ତି । ତେବେ ଏହାଠାରୁ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ନଦୀ ପାର୍ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର କ.ନୂଆଗାଁ ବ୍ଲକ୍ ମହାସିଙ୍ଗ୍ ପଞ୍ଚାୟତରେ । ପଞ୍ଚାୟତର ୧୨ ନମ୍ବର ୱାର୍ଡରେ ଥିବା କୁବେରମୁଣ୍ଡା, ଲଦା ଓ ସାଇନପଡ଼ା ପଞ୍ଚାୟତର ଜାରଙ୍ଗା ଗ୍ରାମରେ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପରିବାର ବସବାସ କରିଥାନ୍ତି ।   ବାର୍ଦ୍ଧକ୍ୟ ଭତ୍ତା ହେଉ କି ରାସନ ସାମଗ୍ରୀ, କିରୋସିନି ପାଇଁ ଏମାନଙ୍କୁ ଖଡ଼ଗ ନଦୀ ପାର୍ ହୋଇ ମହାସିଙ୍ଗ୍ ପଞ୍ଚାୟତ କାର୍ଯ୍ୟାଳକୁ ଆସିବାକୁ ପଡ଼ିଥାଏ । ଏଭଳି ସ୍ଥଳେ ବର୍ଷାଋତୁ ଆସିଗଲେ ଏଠାକାର ଲୋକଙ୍କ ଦୁଃଖ ବଢିଯାଏ । ନଦୀରେ ପୋଲ ନିର୍ମାଣ ହୋଇନଥିବା ଏବଂ ନଦୀ ପାର ନିମନ୍ତେ ଡଙ୍ଗା ନଥିବାରୁ ଗ୍ରାମବାସୀ ବାଧ୍ୟହୋଇ ଟ୍ରାକ୍ଟର ଟ୍ୟୁବ୍ ମାଧ୍ୟମରେ ନଦୀପାର ହୋଇଥାନ୍ତି । ଗୋଟିଏ ଥରରେ ଏହି ଟ୍ୟୁବ୍ ମାଧ୍ୟମରେ ୪ ଜଣ ଲୋକ ନଦୀପାର ହୋଇଥାନ୍ତି । ଏହା ସହ ଏହି ଟ୍ୟୁବ୍ ମାଧ୍ୟମରେ ଚାଉଳ ଓ ଆବଶ୍ୟକ ସାମଗ୍ରୀ ମଧ୍ୟ ନେବାଆଣିବା କରନ୍ତି । କେବଳ ସେତିକି ନୁହେଁ, ଏହି ଟ୍ୟୁବ୍ ମାଧ୍ୟମରେ ଉକ୍ତ ଗ୍ରାମଗୁଡ଼ିକର କୋମଳମତି ଶିଶୁମାନେ ପରୁଣା ମହାସିଙ୍ଗ୍‌ରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ମଧ୍ୟ ଯାଇଥାନ୍ତି । ଗତ ୨୦ ବର୍ଷ ତଳେ ଏହିସବୁ ଗ୍ରାମଗୁଡ଼ିକ ପାଇଁ ଗୋଟିଏ ନଳକୂପ ଖୋଲାଯାଇଥିଲା । ସେଥିରେ କଳିଙ୍କି ମିଶା ପାଣି ବାହାରୁଛି । ବାଧ୍ୟହୋଇ ଲୋକେ ନଦୀ ଓ ଚୁଆ ପାଣି ବ୍ୟବହାର କରି ବିଭିନ୍ନ ସମମୟରେ ରୋଗର ଶୀକାର ହେଉଛନ୍ତି । ଉକ୍ତ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅନେକ ସମୟରେ ଦାବି ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ କର୍ଣ୍ଣପାତ କରିନାହାନ୍ତି ବୋଲି ପ୍ରକାଶ କରିଛନ୍ତି ସରପଞ୍ଚ ନୀଳିମା ମଲିକ । ଏପରିକି ଅନେକଥର ସମିତି ବୈଠକରେ ମଧ୍ୟ ସେ ଏ ନେଇ ଦାବି ଉପସ୍ଥାପନ କରିଛନ୍ତି । କିନ୍ତୁ ଫଳ ଶୂନ । ଲୋକ ସଂଖ୍ୟା କମ୍ ଥିବା ଦର୍ଶାଇ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ନିର୍ବାଚିତ ଲୋକପ୍ରତିନିଧି ଦୁଃଖ ଶୁଣିବାକୁ ଆସିନାହାନ୍ତି ବୋଲି କହିଛନ୍ତି ଗ୍ରମାବସୀ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏହି ସମସ୍ୟା ଦୂର କରିବା ପାଇଁ ନଦୀ ଉପରେ ଝୁଲାପୋଲ ନିର୍ମାଣ କରିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking