19.1 C
Bhubaneswar
Friday, November 22, 2024
Homeଓଡିଶାନୂଆପଡ଼ାକୁ ଫେରିବେ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ

ନୂଆପଡ଼ାକୁ ଫେରିବେ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ

ନୂଆପଡ଼ା : କରୋନା ଭୂତାଣୁର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଘୋଷିତ ତାଲା ବନ୍ଦ କାରଣରୁ ନୂଆପଡ଼ା ଜିଲ୍ଲାର ପାଖାପାଖି ୬୦ହଜାର ଶ୍ରମିକ ଅନ୍ୟ ରାଜ୍ୟ ଅଥବା ଅନ୍ୟ ଜିଲ୍ଲାରେ ଫସି ରହିଛନ୍ତି । ରାଜ୍ୟ ସରାକରଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ସେମାନଙ୍କୁ ନିଜ ଜିଲ୍ଲାକୁ ଫେରାଇ ଆଣିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । କିନ୍ତୁ ସମସ୍ତ ପ୍ରବାସୀ ଶ୍ରମିକ ନିଜ ଜିଲ୍ଲାକୁ ଫେରିବା ପରେ ୧୪ ଦିନିଆ ସଂଗରୋଧରେ ରହିବା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାକୁ ନେଇ ନୂଆପଡ଼ା ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇ ଉଠିଛି । ପ୍ରାଥମିକ ସରକାରୀ ସର୍ଭେ ଅନୁସାରେ ନୂଆପଡ଼ା ଜିଲ୍ଲାକୁ ୫୬,୨୪୧ଜଣ ପ୍ରବାସୀ ଶ୍ରମିକ ଫେରିବା ପାଇଁ ବାଟ ଚାହିଁ ବସିଛନ୍ତି । ଏମାନଙ୍କ ମଧ୍ୟରେ ଜିଲ୍ଲାର ସିନାପାଲି ବ୍ଲକ୍‌ରେ ୧୦,୦୮୮ ଜଣ, ବୋଡେନ ବ୍ଲକ୍‌ରେ ୮,୧୪୭, କୋମନା ବ୍ଲକ୍‌ରେ ୯,୭୩୪ ଜଣ ଓ ନୂଆପଡ଼ା ସଦର ବ୍ଲକରେ ୧୯.୨୪୭ ଜଣ ପ୍ରବାସୀ ଶ୍ରମିକ ଫେରିବାର ଆକଳନ କରାଯାଇଛି । ଏହି ପ୍ରବାସୀ ଶ୍ରମିକମାନଙ୍କ ଫେରିବା ସୁନିଶ୍ଚିତ କରାଇବା ଜିଲ୍ଲା ପ୍ରଶାସନ ପାଇଁ ଯେତିକି ବଡ ଚ୍ୟାଲେଞ୍ଜ ତା’ ଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସେମାନଙ୍କୁ ୧୪ ଦିନିଆ ସଂଗରୋଧରେ ରଖିବା । ଏସମ୍ପର୍କରେ ଭାରପ୍ରାପ୍ତ ନୂଆପଡ଼ା ଜିଲ୍ଲା ପଞ୍ଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦଙ୍କୁ ପଚାରିବାରୁ ସେ କହିଥିଲେ ଜିଲ୍ଲାରେ ୨୯ ଏପ୍ରିଲ ସୁଦ୍ଧା ୩୭,୨୪୪ ଜଣ ବ୍ୟକ୍ତି ଫେରିବା ପାଇଁ ନାମ ପଞ୍ଜୀକରଣ କରିସାରିଛନ୍ତିି ବୋଲି କହିଥିଲେ । ବର୍ତ୍ତମାନ ସମୟରେ ଜିଲ୍ଲାରେ ଏହା ୩୭ ହଜାର ପ୍ରବାସୀ ଶ୍ରମିକଙ୍କୁ ସଂଗରୋଧରେ ରଖିବା ପାଇଁ କୋମନା ବ୍ଲକରେ ୧୨୯ଟି, ଖଡିଆଳ ବ୍ଲକରେ ୧୩୫ଟି, ବୋଡେନ ବ୍ଲକରେ ୧୧୦ଟି ଓ ସିନାପାଲି ବ୍ଲକରେ ୧୨୮ ଟି ନୂଆପଡ଼ା ବ୍ଲକରେ ୧୪୭ଟି ଅସ୍ଥାୟୀ ସଂଗରୋଧ କେନ୍ଦ୍ର କରାଯାଇ ସେଗୁଡିକର ଆନୁଷାଙ୍ଗିକ ବ୍ୟବସ୍ଥା କରାଯାଉଛି । ପ୍ରତ୍ୟେକ କେନ୍ଦ୍ରରେ ଆଲୁଅ ବ୍ୟବସ୍ଥା, ପାଣି ବ୍ୟବସ୍ଥା, ସୁଦ୍ଧ ପାନୀୟଜଳ ପାଇଁ ଫିଲ୍ଟର ବ୍ୟବସ୍ଥା, ପ୍ରତ୍ୟକ କୋଠରୀରେ ଆବଶ୍ୟକ ସଂଖ୍ୟକ ବିଜୁଳି ଫଙ୍ଖା ବ୍ୟବସ୍ଥା ସୁନିଶ୍ଚିତ କରାଯାଇଉଛି ।
ପଞ୍ଚାୟତ ଗୁଡ଼ିକରେ ଥିବା କୋଠା ଗୁଡ଼ିକୁ ଚିହ୍ନଟ କରାଯାଇ ଆବଶ୍ୟକ ମରାମତି ଓ ରଙ୍ଗ କରାଯିବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ପ୍ରତ୍ୟେକ ବ୍ୟକ୍ତି ପାଇଁ ସ୍ୱତନ୍ତ୍ର ବାଲ୍‌ଟି ମଗ୍‌, ସାବୁନ, ତେଲ, ଟୁଥବ୍ରସ, ଟୁଥପେଷ୍ଟ, ଦୁଇଟି ବେଡରୋଲ, ଦୁଇଟି ତକିଆ ବ୍ୟବସ୍ଥା ମଧ୍ୟ କରାଯାଉଛି । ସରକାରଙ୍କ ନିୟମ ମୁତାବକ ସଂଗରୋଧ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ୧୪ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ପାଇଁ ଦୈନିକ ୧୨୦ ଟଙ୍କା ଓ ୧୪ ବର୍ଷରୁ କମ ପିଲାପାଇଁ ୧୦୦ ଟଙ୍କାର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟ ଗୁଡ଼ିକୁ ତଦାରଖ କରିବା ପାଇଁ ୫ଟି ବ୍ଲକରେ ୫ଟି ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବରେ ଦାୟିତ୍ୱ ଦିଆଯାଇଛି । ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ଖଡ଼ିଆଳ ବ୍ଲକ୍ ଦାୟିତ୍ୱ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦୂର୍ଗାମାଧବ ମହାରଣାଙ୍କୁ ବୋଡେନ୍ ବ୍ଲକ୍ ଦାୟିତ୍ୱ, ନୂଆପଡ଼ା ଉପଜିଲ୍ଲାପାଳ ତରଣିସେନ ନାଏକଙ୍କୁ ସିନାପାଲି ଦାୟିତ୍ୱ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମଧୁଛନ୍ଦା ସାହୁଙ୍କୁ କୋମନା ବ୍ଲକ୍ ଦାୟିତ୍ୱ ଓ ନୂଆପଡ଼ା ସଦର ବ୍ଲକ ଦାୟିତ୍ୱ ଜିଲ୍ଲାମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝୀଙ୍କୁ ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking