37.1 C
Bhubaneswar
Saturday, April 20, 2024
Homeଓଡିଶାମିଳିଲାନି କ୍ୱାରେଣ୍ଟାଇନ୍ ସୁବିଧା : ନିଜ ଗାଁ’ ସ୍କୁଲ ବାରଣ୍ଡାରେ ସୁରତ ଫେରନ୍ତା

ମିଳିଲାନି କ୍ୱାରେଣ୍ଟାଇନ୍ ସୁବିଧା : ନିଜ ଗାଁ’ ସ୍କୁଲ ବାରଣ୍ଡାରେ ସୁରତ ଫେରନ୍ତା

କୋଣାର୍କ : ରବିବାର କୋଣାର୍କ ଥାନା ତଥା କାକଟପୁର ବ୍ଲକ୍ ଅନ୍ତର୍ଗତ ତଇଲୋ ଗ୍ରାମର ଜଣେ ଶ୍ରମିକ ସୁରତରୁ ଫେରିଥିଲେ ବି ତାଙ୍କୁ ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନ୍ ସୁବିଧା ମିଳିନାହିଁ । ଫଳରେ ସେ ଅନ୍ଧାରରେ ଭୋକ ଉପାସରେ ନିଜ ଗାଁ ସ୍କୁଲ ବାରଣ୍ଡାରେ ଏକୁଟିଆ ପଡ଼ିରହିଥିବା ଜଣାପଡ଼ିଛି । ଗ୍ରାମର ସୁବାସ ଚନ୍ଦ୍ର ବେହେରା ସୁରତରୁ ଫେରିବା ପରେ କାଦୁଆ-ନୂଆଗାଁ ପଞ୍ଚାୟତର କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯାଇଥିଲେ । ମାତ୍ର ସେଠାରେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ ଓ କାକଟପୁର ବିଡିଓ ତାଙ୍କୁ ରଖିବାକୁ ମନା କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଭୁବନେଶ୍ୱରର କୃପାଜଳ ଇଞ୍ଜିନିୟରିଂ କଲେଜଠାରେ ଥିବା କରୋନା ପରୀକ୍ଷା କେନ୍ଦ୍ରକୁ ସେ ଯାଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଆଣିବା ପରେ ତାଙ୍କୁ ସନ୍ତରସ ଗ୍ରାମ ସ୍କୁଲଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାର ସୁଯୋଗ ଦିଆଯିବ ବୋଲି ସରପଞ୍ଚ ଓ ବିଡିଓ ତାଙ୍କୁ କହିଥିଲେ । ସୁବାସ ଗୁଜୁରାଟର ସୁରଟ ଜିଲ୍ଲା ସିଦ୍ଧି ଗଣେଶ ଟାଉନସିପରେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । ଅନଲାଇନ୍ ପଞ୍ଜୀକରଣ ପରେ ପ୍ରଶାସନର ଅନୁମତି ନେଇ ଏକ ସ୍ୱତନ୍ତ୍ର ବସରେ ମୁଣ୍ଡପିଛା ୩୫୦୦ଟଙ୍କା ଭଡ଼ାଦେଇ ନୟାଗଡ଼, ଜଗତସିଂହପୁର ଓ ପୁରୀ ଜିଲ୍ଲାର ୫୬ଜଣ ଶ୍ରମିକ ଗତ ୩୦ତାରିଖ ରାତି ୧୦ଟାରେ ବିପୁଲ୍ ନାମକ ବସରେ ସୁରତରୁ ଓଡ଼ିଶା ଅଭିମୁଖେ ଆସିଥିଲେ । ଶନିବାର ରାତିରେ ବସ୍ ପିପିଲି ଟୋଲଗେଟଠାରେ ପହଞ୍ଚିବା ପରେ ସେଠାରେ ମୁତୟନ ପୁଲିସ ସଂପୃକ୍ତ ବସକୁ ଦୁଇଘଣ୍ଟା କାଳ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ । ପୁରୀ ଏସପି ଓ ଜିଲ୍ଲପାଳଙ୍କ ସ୍ୱୀକୃତି ମିଳିବା ପରେ ବସଟି ପୁରୀ ଅଭିମୁଖେ ଆସି ମଙ୍ଗଳା ଘାଟଠାରେ ବ୍ରହ୍ମଗିରିର କେତେକ ଶ୍ରମିକଙ୍କ ସମେତ ସୁବାସଙ୍କୁ ଓହ୍ଲାଇ ଦେଇଥିଲା । ସେଠାରୁ ରାତି ୧ଟାରେ ଅନ୍ୟଜଣେ ଶ୍ରମିକଙ୍କ ସହିତ ସୁବାସ ଚାଲି ଚାଲି ଯାଇ କୁମ୍ଭାରପଡ଼ା ଥାନାରେ ଅଶ୍ରୟ ନେଇଥିଲେ । ରବିବାର ସକାଳେ କୁମ୍ଭାରପଡ଼ା ପୁଲିସ ସୁବାସଙ୍କୁ କହିଥିଲା ଯେ, ତୁମ ଘରଲୋକଙ୍କୁ ଡକାଇ ତୁମେ ଏଠାରୁ ଯାଇ ତୁମ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବ । ତେଣୁ ସୁବାସ ନିଜ ଘର ଲୋକଙ୍କୁ ଡକାଇ ବାଇକ୍ ଯୋଗେ ପୁରୀରୁ ଆସି ଦିନ ୧୧ଟାରେ ପଞ୍ଚାୟତ ଅଫିସରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ସୁବାସ ଦେଖିଲେ ଯେ, ପଞ୍ଚାୟତ ଅଫିସ୍ ବନ୍ଦ ଅଛି । ସେଠାରେ ସେ ଜାଣିବାକୁ ପାଇଲେ ଯେ, ସନ୍ତରସ ସ୍କୁଲ ପରିସରକୁ କ୍ୱାରେଣ୍ଟାଇନ୍ ସେଣ୍ଟର କରାଯାଇଛି । ଏହାପରେ ସୁବାସ ସନ୍ତରସ ସ୍କୁଲ ପରିସରରେ ପହଞ୍ଚିି ଦେଖିଲେ ଯେ, ସେଠାରେ କୌଣସି ଲୋକ ରହିନାହାନ୍ତି । ସମସ୍ତ ଘର ବନ୍ଦ ଅଛି । ହେଲେ ସଞ୍ଜୟ ନାମକ ଜଣେ ହୋମଗାର୍ଡ ଡ୍ୟୁଟିରେ ଅଛନ୍ତି । ତେବେ ତାଙ୍କୁ ସେ ଏ ସମ୍ପର୍କରେ ଜଣାଇଥିଲେ । ସଞ୍ଜୟ କାଦୁଆ-ନୂଆଗାଁର ସରପଞ୍ଚଙ୍କ ସହିତ କଥାହୋଇ ସୁବାସଙ୍କୁ କହିଲେ ଯେ, ତୁମେ ଏଠାରେ ରହିବ, ଅପେକ୍ଷା କର । ସୁବାସ ନିଜର ଲଗେଜ୍ ଧରି ସ୍କୁଲ ବାରଣ୍ଡାରେ ଅପେକ୍ଷା କରିବାର କିଛି ସମୟ ପରେ ହୋମଗାର୍ଡ ସଂଜୟ କହିଲେ ଯେ, ସରପଞ୍ଚ ବିଡିଓଙ୍କୁ ପଚାରି କହିଲେ ଯେ ତୁମେ ଏଠାରେ ଏବେ ରହିପାରିବନି । ତୁମେ ପ୍ରଥମେ କୃପାଜଳ ଇଞ୍ଜିନିୟରିଂ କଲେଜକୁ ଯାଇ କରୋନା ଟେଷ୍ଟ ରିପୋର୍ଟ ଆଣ । ତା’ପରେ ଯାଇ ତୁମକୁ ଏଠାରେ ରହିବାର ସୁଯୋଗ ମିଳିବ । ଅନ୍ୟ ଜଣେ ଯୁବ ସ୍ୱେଚ୍ଛାସେବୀ ସେଠାରେ ପହଞ୍ଚି ସୁବାସଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବିଡିଓଙ୍କୁ ଫୋନ କରିଥିଲେ ମଧ୍ୟ ତାଙ୍କୁ ବିଡିଓ ସମାନ ଉତ୍ତର ଦେଇଥିଲେ । ନିଜର ଅର୍ଥାଭାବ ସାଙ୍ଗକୁ ପ୍ରଶାସନିକ ଅବହେଳାର ଶିକାର ହୋଇ ସୁବାସ ଏବେ ଭୋକ ଉପାସରେ ବନ୍ଦ ଥିବା ଗାଁ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ସୁବାସଙ୍କ ମା’ ଘରୁ ପଖାଳ ଆଣି ତାଙ୍କୁ ଖାଇବାକୁ ଦେଇଥିବା ସେ କହିଛନ୍ତି । ରାତିରେ ଅନ୍ଧାରରେ କିପରି ଖୋଲା ବାରଣ୍ଡାରେ ସେ ଆଶ୍ରୟ ନେବେ ସେଥିପାଇଁ ଚିନ୍ତିତ ଥିବା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking