ଆଗ୍ରା: ଆଜିକା ଦିନରେ ପରକୀୟା ପ୍ରୀତି ବଡ ସମସ୍ୟା ହେବାକୁ ଲାଗିଲାନି ।ଏହାକୁ ନେଇ ହତ୍ୟା ଆତ୍ମହତ୍ୟା ବି ବଢିବାକୁ ଲାଗିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଆଗ୍ରାରେ ଥିବା ପାରମଲ ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତି ରାଗରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ଗିରଫ ହେବା ଡ଼ରରେ ପୁଲିସକୁ ଅଭିଯୁକ୍ତ ମିଛ କାହାଣୀ କହିବାକୁୁ ଚେଷ୍ଟା କରିଥିବା ସାମ୍ନାକୁ ଆସିଛି। ନିଜ ପତ୍ନୀକୁ ହତ୍ୟା କରିବା ପରେ ନେତ୍ରପାଲ ସିଂହ ନାମକ ଅଭିଯୁକ୍ତ ସ୍ଥାନୀୟ ପୁଲିସକୁ କହିଥିଲେ ଯେ, ତାଙ୍କ ଘରକୁ କିଛି ଡ଼କାୟତ ଚୋରି କରିବା ଉଦ୍ଦେଶ୍ୟରେ ଆସି ବିଫଳ ହେବାରୁ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ।
ପୁଲିସ ସୂଚନା ଅନୁସାରେ ,ନେତ୍ରପାଲ ନିଜ ପତ୍ନୀ ରାକ୍ଷୀଙ୍କୁ ୨୦୧୧ରେ ବିବାହ କରିଥିଲେ। ଘଟଣା ଦିନ ଦୁହେଁ ଏକ ବିବାହ ଭୋଜି ଖାଇ ଘରକୁ ଫେରିବା ପରେ ନେତ୍ରପାଲ ବନ୍ଧୁକ କାଢ଼ି ରାକ୍ଷୀଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ଗିରଫ ହେବା ଡ଼ରରେ ସେ ନିଜେ ପୁଲିସକୁ ଡ଼କାଇ ମିଛ କାହାଣୀ କହିଥିଲେ। କିଛି ଚୋର ତାଙ୍କ ଘରକୁ ହଠାତ୍ ପଶି ଆସିବା ସହ ୧.୨୫ଲକ୍ଷ ଟଙ୍କା ଚୋରି କରି ପତ୍ନୀ ରାକ୍ଷୀଙ୍କୁ ଗୁଳି କରି ଦେଇଥିବା ପୁଲିସକୁ କହିଥିଲେ ନେତ୍ରପାଲ। କିନ୍ତୁ ନେତ୍ରପାଲଙ୍କ ଥିବା ଦୁଇ ଛୁଆ ସତ କଥା ପୁଲିସ ସାମ୍ନାକୁ ଆଣିଥିଲେ। ନେତ୍ରପାଲଙ୍କ ବୟାନ ଉପରେ ସନ୍ଦେହ ହେବାରୁ ପୁଲିସ ତାଙ୍କର ଦୁଇଟି ପିଲାଙ୍କୁ ଘଟଣା ବିଷୟରେ ପଚାରିଥିଲେ। ଯାହା ପରେ ନେତ୍ରପାଲ ହିଁ ରାକ୍ଷୀଙ୍କୁ ଗୁଳି କରି ହତ୍ୟା କରିଥିବା କଥା ପର୍ଦାଫାଶ ହୋଇଥିଲା । ହତ୍ୟା ପଛର କାରଣ ପଚାରିବାରୁ ଜଣାପଡିଲା ନେତ୍ରପାଲ ଙ୍କ ଅନ୍ୟ ଏକ ମହିଳାଙ୍କ ସହ ସଂପର୍କ ଥିଲା। ଏ ବିଷୟରେ ରାକ୍ଷୀ ଜାଣିପାରି ବାରମ୍ବାର ପ୍ରଶ୍ନ କରିବାରୁ ରାଗରେ ନେତ୍ରପାଲ ଗୁଳି କରିଥିବା ସତ ମାନିଛି।