ଯାଜପୁର-ଯାଜପୁର ଜିଲ୍ଲାର ପାଣିକୋଇଲି ସ୍ଥିତ ମା ତାରିଣୀ ମହାବିଦ୍ୟାଳୟ ପରିସରରେ ଓଡିଶା ଦକ୍ଷତାବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ମେଳା ବୁଧବାର ଅନୁଷ୍ଠିତ ହୋଇଥିଲା । ଏହି ନିଯୁକ୍ତିମେଳା ପାଇଁ ପ୍ରଚାର ପ୍ରସାର କରାଯାଇ ନଥିବାରୁ ଅଧିକାଂଶ ଯୁବକ ଯୁବତୀ ନିଯୁକ୍ତିମେଳାରେ ଉପସ୍ଥିତ ହୋଇ ପାରିନଥିଲେ । ଏହି ଜିଲ୍ଲା କଳିଙ୍ଗନଗର ଇସ୍ପାତ ହବ ମାନ୍ୟତା ପାଇଥିବାବେଳେ ଶିଳ୍ପାଂଚଳରେ ଉଚ୍ଚଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିପାରି ନାହିଁ । ସେମାନେ ବକୋର ହୋଇ ବାପ ମାଙ୍କ ଆଶ୍ରୟରେ ଦିନ ବିତାଉଛନ୍ତି । ରାଜ୍ୟସରକାର ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ଜିଲ୍ଲା ପ୍ରଶାସନ ସହାୟତରେ କର୍ମ ନିଯୁକ୍ତି ଦେବା ପାଇଁ ଯୋଜନା କରୁଛନ୍ତି । ଏହି ଯୋଜନା ଜିଲ୍ଲାରେ ପ୍ରହସନରେ ପରିଣତ ହୋଇଛି । ଯାଜପୁର ଟାଉନ ଓ ଯାଜପୁର ରୋଡ ଦୁଇଟି କର୍ମ ନିୟୋଜନ କାର୍ଯ୍ୟାଳୟରହିଛି । ଏହିକାର୍ଯ୍ୟାଳୟରେବେକାର ଯୁବକ ଯୁବତୀମାନଙ୍କକର୍ମ ନିଯୁକ୍ତି ପାଇଁ ନାମ ପଂଜୀକରଣ ହୋଇଛି । କିନ୍ତୁ ସେମାନଙ୍କ ବୟସ ଅତିକ୍ରମ ହୋଇଥିଲେ ମଧ୍ୟ କୌଣସି କଲ୍ ଲେଟର ପାଇ ନାହାନ୍ତି । ଏହି ନିଯୁକ୍ତିମେଳାକୁ ଦାୟିତ୍ୱରେ ଥିବା ଜିଲ୍ଲପାଳ ବା ପିଡି ଇନ୍ଦ୍ରମଣି ନାୟକ ଉଦ୍ଘାଟନ କରିଥିଲେ । ଜିଲ୍ଲା ଏମ୍ଲମେଂଟ ଅଧିକାରୀଙ୍କର ଚରଣ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲାସୂଚନା ଓ ଲୋକସର୍ମ୍ପକ ଅଧିକାରୀ ସନ୍ତୋଷ କୁମାର ସେଠୀ, ଯାଜପୁର ବିଡିଓ ସୌରଭ ଚର୍କବର୍ତି, ପାଣିକୋଇଲି ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା, କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦଳାଇ, ଡିପିଏମ ବନୋଜକାନ୍ତି ମାହୀର, ଡିସିଏଲ ସ୍କିଲ ବିକାଶ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୨୩ଟି ସଂସ୍ଥା ଭାଗ ନେଇଥିଲା । କିନ୍ତୁ କଳିଙ୍ଗନଗରର ବଡ ବଡ ଶିଳ୍ପସଂସ୍ଥା ମାନେ ଯୋଗ ଦେଇନଥିବାର ଦେଖା ଦେଇଥିଲା । ମୋଟ ୮୭୫ଜଣ ନିଯୁକ୍ତି ପାଇଁ ନାମ ପଂଜୀକରଣ କରିଥିବାବେଳେ ୫୦୦ଜଣ ଦକ୍ଷତା ବିକାଶ ତାଲିମ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଦାନଗଦୀ ବ୍ଳକରୁ ୪୪ଜଣ, ସୁକିନ୍ଦା ବ୍ଲକରୁ ୧୬ ଜଣ, ବଡଚଣା ବ୍ଳକରୁ ୨୭ ଜଣ, ଯାଜପୁର ପୌରାଂଚଳରୁ ୩୫ଜଣ, ଯାଜପୁର ବ୍ଲକରୁ ୯୬ଜଣ, ବ୍ୟାସନଗର ପୌରାଂଚଳରୁ ୧୬ଜଣ, ବିଂଝାରପୁର ବ୍ଲକରୁ ୨୩ଜଣ, ରସୁଲପୁର ବ୍ଳକରୁ ୩୮ ଜଣ, ଧର୍ମଶାଳା ବ୍ଳକରୁ ୩୩ ଜଣ, ଦଶରଥପୁର ବ୍ଳକରୁ ୨୩ ଜଣ, ବରୀ ବ୍ଳକରୁ ୪୬ଜଣ ଓ କୋରାଇ ବ୍ଳକରୁ ୨୦୭ଜଣ ନାମ ପଂଜୀକରଣ କରିଥିଲେ । ସଠିକ ପ୍ରଚାର ପ୍ରସାର ଅଭାବରୁ ନିଯୁକ୍ତିମେଳାରେ କମ ସଂଖ୍ୟକ ପ୍ରାର୍ଥି ଯୋଗଦେଇଥିଲେ । ପାଣିକୋଇଲି କଲେଜ ଛାତ୍ର/ଛାତ୍ରୀ ମାନେ ଥିବାରୁ ସଂଖ୍ୟା ବୃଦ୍ଧି ହୋଇଥିଲା । ମାତ୍ର ଉଦ୍ଘାଟନ ବେଳେ କେହିନଥିବାରୁ ଚେୟାର ଗୁଡିକ ଫାଙ୍କା ପଡିଥିଲା । ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ଉପେକ୍ଷା ନେଇ ମଧ୍ୟ ଅସନ୍ତୋଷ ଦେଖା ଦେଇଥିଲା । ଏମିତିକି ଏସିଆ ମହାଦେଶର କଳିଙ୍କନଗର ଇସ୍ପାତର ରାଜଧାନୀ ବା ହବ କୁହାଯାଉଥିବାବେଳେ କୌଣସି ଶିଳ୍ପ ସଂସ୍ଥା ଏଠାକୁ ନ ଆସିବା ସମସ୍ତଙ୍କୁ ହତୋତ୍ସାହିତ କରିଥିଲା । କାହାକୁ ନେଇ ଏହି ନିଯୁକ୍ତିମେଳା ବୋଲି ପ୍ରଶ୍ନବାଚୀ ସୃଷ୍ଟିକରିଥିଲା । ପ୍ରତିବର୍ଷ ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା ଅନୁଷ୍ଠିତ ହେଉଛି । କାଗଜ କଲମରେ ନିଯୁକ୍ତି ଦିଆଯାଉଛି ବୋଲି କୁହାଯାଉଛି । ପ୍ରକୃତରେ କେତେ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି ତାହା ଆତ୍ମ ସମୀକ୍ଷା କରାଯାଇ ନାହିଁ । କେବଳ କାଗଜ କଲମରେ ସୀମିତ ରହିଛି ।
ସୂଚନାଯୋଗ୍ୟ, ଯେ ୭ବର୍ଷ ତଳେ ଯାଜପୁର ରୋଡ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସର୍ବାଧିକ ଯୁବକ ଯୁବତୀ ନାମ ପଂଜୀକରଣ କରିଥିଲେ । କମ୍ପାନୀ ଗୁଡିକ ଯୋଗ ଦେଇନଥିବାରୁ ଉତେଜନା ପାଇଁ ପରିଶେସରେ ପୋଲିସ ଓ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ପୋଲିସର ଲାଠି ମାଡରେ ୧୦ ଜଣରୁ ଉର୍ଦ୍ଧ୍ୱ ଖଣ୍ଡିଆଖାବରା ହୋଇଥିଲେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମେଳା ମାଧ୍ୟରେ କେତେ ନିଯୁକ୍ତି ଦିଆଯାଇଛି ଆତ୍ମ ସମୀକ୍ଷା କରାଯାଇ ନାହିଁ । ପ୍ରତ୍ୟେକ ଗାଁରେ ସ୍ନାତକ ,ଡିଗ୍ରୀ ଓ ଇଂଜିନିୟର ଛାତ୍ରଛାତ୍ରୀ ମାନେ ବେକାର ହୋଇ ବସିଛନ୍ତି । କଳିଙ୍ଗନଗର ଷ୍ଟିଲ ହବରେ ନିଯୁକ୍ତି ଦିଆଯାଉ ନାହି । ଏହି ଜିଲ୍ଲାକୁ ଶିଳ୍ପ ଜିଲ୍ଲା କୁହାଯାଉଥିବାବେଳେ ବାସ୍ତବରେ ଏହି ଜିଲ୍ଲାରେ ବେକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ରାଜନୈତିକ ନେତାଙ୍କର ସଦିଛା ଅଭାବ ଯୋଗୁ ବେକାର ସଂଖ୍ୟା ବଢିବାରେ ଲାଗିଛି ।