କୋରାପୁଟ: ଗତ ବୁଧବାର ସନ୍ଧ୍ୟାରେ ଏକ ବାଇକ୍ ଧକ୍କାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଶୁକ୍ରବାର ମୃତ୍ୟୁ ହେବା ପରେ ସୁନାବେଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ସୁନାବେଡା ଥାନା ଘେରାଉ କରିବା ସହ ୨୬ ନଂ ଜାତୀୟ ରାପଥ ଅବରୋଧ କରିଥିଲେ । ଫଳରେ ସୁନାବେଡା ଦେଇ କୋରାପୁଟ, ଜୟପୁର, ରାୟପୁର, ବିଶାଖାପାଟଣା, ବିଜୟନଗରମ୍, ବ୍ରହ୍ମପୁର, ଭୁବନେଶ୍ୱର ଓ କଟକକୁ ଯାତାୟତ କରୁଥିବା ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଘଟଣା ସ୍ଥଳରେ କୋରାପୁଟ ବିଧାୟକ ରଘୁରାମ ପଡାଲ୍,ସେମିଲିଗୁଡା ବିଡିଓ, ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା, ଥାନା ଅଧିକାରୀ ସୁମିତ୍ରା ଜେନା ପ୍ରମୁଖ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।
ସୂଚନା ଅନୁଯାୟୀ, ବୁଧବାର ସଂନ୍ଧ୍ୟାରେ ହନୁମାନ୍ ବଜାର ନିକଟରେ ଛିଡା ହୋଇଥିବା ସୁନାବେଡା ଡିପି କ୍ୟାମ୍ପର ରାକେଶ ବିଶ୍ୱାସଙ୍କୁ ଦୁଇଜଣ ଯୁବକ ଏକ ବାଇକରେ ଆସି ଧକ୍କା ଦେଇଥିଲେ । ରାକେଶଙ୍କୁ ପ୍ରଥମେ କୋରାପୁଟ ଓ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲ ।