ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାଇରଙ୍ଗପୁରରେ ଥିବା ଏକ ମହିଳା କଲେଜ ହଷ୍ଟେଲରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଅଧ୍ୟାପିକା ଜଣକ ହେଉଛନ୍ତି ରୁକ୍ମଣୀ ମଣ୍ଡଳ ।
ସୂଚନା ଅନୁସାରେ, ରୁକ୍ମଣୀ ମଣ୍ଡଳ ରାଇରଙ୍ଗପୁର କଲେଜରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ । ତେବେ ରୁକ୍ମଣୀଙ୍କୁ କାଳୀପୂଜାରେ ତାଙ୍କର ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିଲେ ।ଏନେଇ ସେ ଅକ୍ଟୋବର ୩୦ତାରିଖରେ ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ । ମାମଲା ମଧ୍ୟ ରୁଜୁ ହୋଇଥିଲା । ହେଲେ ମାସେ ଯାଏଁ ପୁଲିସ କୌଣସି ପଦକ୍ଷେପ ନନେବାରୁ ଅଭିଯୁକ୍ତର ଉପଦ୍ରବ ବଢିଥିଲା । ଅଭିଯୁକ୍ତ ଦୁଷ୍କର୍ମ ବେଳର ଫଟୋ ଭାଇରାଲ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିଲା ।
ଝାରପୋଖରିଆ ପୁଲିସ କାର୍ୟ୍ୟନୁଷ୍ଠାନରେ ଅବହେଳା କରିବା କାରଣରୁ ଆଜି ମୟୂରଭଞ୍ଜ ଏସପି ଝାରପୋଖରିଆ ଆଇଆଇସିଙ୍କୁ ଏସପି ଅଫିସକୁ ବଦଳି କରାଯିବା ସହ ମାମଲାର ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁଙ୍କୁ ନିଲମ୍ୱିତ କରିଛନ୍ତି । ମୃତ ଅଧ୍ୟାପିକାଙ୍କ ପରିବାର ଲୋକ ଏହାକୁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ କଟକରୁ ଗିରଫ କରିଥିବା ସୂଚନା ମିଳିଛି ।