ଭୁବନେଶ୍ୱର: ସାଇବର ଅପରାଧ ବୃଦ୍ଧି ପାଉଥିବାବେଳେ ଅତ୍ୟାଧୁନିକ ଜ୍ଞାନ କୌଶଳ ସହଯୋଗରେ ପୁଲିସ ଅପରାଧିଠାରୁ ଟଙ୍କା ଫେରାଇ ଆଣିବାରେ ସଫଳ ହେଉଛି । ଗତ ସପ୍ତାହରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ପ୍ୟାନ୍ କାର୍ଡ ଅପଡେଟ୍ ନାମରେ ଜନୈକା ମହିଳାଙ୍କ ଠାରୁ ସାଇବର ଅପରାଧି ୯୮ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଯାଇଥିଲେ । ଏ ନେଇ ସାଇବର ଥାନାରେ ଅଭିଯୋଗ ପରେ ପୁଲିସ ଜିରୋ ଆୱାରରେ ତଦନ୍ତ କରି ମହିଳାଙ୍କୁ ଟଙ୍କା ଫେରସ୍ତ ଆଣିବାରେ ସଫଳ ହୋଇଛି । ଉକ୍ତ ମହିଳାଙ୍କ ଆକାଉଣ୍ଟକୁ ସୋମବାର ସମସ୍ତ ଟଙ୍କା ଫେରି ଆସିଛି । ସୂଚନାନୁସାରେ, ଗତ ସପ୍ତାହରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହୁଥିବା ଲକ୍ଷ୍ମୀପ୍ରିୟା ରାଉତଙ୍କ ପ୍ୟାନକାର୍ଡ ଅପଡେଟ୍ କରିବାପାଇଁ ଏକ ମେସେଜ୍ ଆସିଥିଲା । ଉକ୍ତ ମେସେଜ୍ରେ ଥିବା ଲିଙ୍କ୍କୁ କ୍ଲିକ୍ କରିବାପରେ ତାଙ୍କ ଆକାଉଣ୍ଟରୁ ୯୮ ହଜାର ୯୫୪ ଟଙ୍କା କଟି ଯାଇଥିଲା । ଟଙ୍କା କଟିଯିବାର ମେସେଜ୍ ପାଇ ମହିଳା ଜଣକ ସଙ୍ଗେ ସଙ୍ଗେ ସାଇବର ହେଲ୍ପଲାଇନ୍ ନମ୍ବରରେ କଲ କରିବା ସହ ଭୁବନେଶ୍ୱର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଉକ୍ତ ଅଭିଯୋଗକ୍ରମେ ସଙ୍ଗେ ସଙ୍ଗେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୯୮ ହଜାର ୯୫୪ ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି ।