ରେକ୍ଜାଭିକ: ଆଇସ୍ଲାଣ୍ଡରେ ୧୪ ଘଣ୍ଟା ବ୍ୟବଧାନରେ ୮୦୦ ଥର ଭୂମିକମ୍ପ ଅନୁଭୂତ ହୋଇଛି । ଦକ୍ଷିଣ-ପଶ୍ଚିମାଞ୍ଚଳରେ ଅବସ୍ଥିତ ରେକ୍ଜାନ୍ସ ପ୍ରଦେଶରେ ସବୁଠାରୁ ଅଧିକ ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ଆଇସ୍ଲାଣ୍ଡ୍ ସରକାର ଶୁକ୍ରବାର ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି । ଗ୍ରିଣ୍ଡାଭିକ୍ ଗ୍ରାମରେ ଏହି ଭୂମିକମ୍ପ କେନ୍ଦ୍ରୀମୂତ ହୋଇଥିଲା । ଭୂକମ୍ପ ଯୋଗୁଁ ୂଆଇସ୍ଲାଣ୍ଡରେ ଥିବା କେତେକ ଆଗ୍ନେୟଗିରି ସକ୍ରିୟ ହୋଇପଡିଥିବାବେଳେ ସେଥିରୁ ଉତ୍ତପ୍ତ ଲାଭା ନିର୍ଗତ ହେବାରେ ଲାଗିଛି ।
ତେଣୁ ଆଗ୍ନେୟଗିରି ନିକଟରେ ବସବାସ କରୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ସବୁଠାରୁ ଅଧିକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ରହିଥିବା କୁହାଯାଇଛି । ଏପରିକି ଅକ୍ଟୋବର ୩୧ରୁ ନଭେମ୍ବର ୧୦ ମଧ୍ୟରେ ଦେଶରେ ୨୪ ହଜାରରୁ ଅଧିକ ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି ବୋଲି ଆଇସଲାଣ୍ଡ୍ ସିସ୍ମୋଲୋଜି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଭୂମିକମ୍ପ ଯୋଗୁଁ ମୃତାହତଙ୍କ ସୂଚନା ମିଳିନଥିବାବେଳେ ଶତାଧିକ ବାସଗୃହ ଭାଙ୍ଗିରୁଜି ଯାଇଛି ।