ହାଇଦ୍ରାବାଦ: ନିକଟରେ ଆନ୍ଧ୍ରପ୍ରଦେଶରେ ୧୦ ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାରା ଦେଶରେ ଚହଳ ପକାଇଥିଲା । ବର୍ତ୍ତମାନ ତେଲେଙ୍ଗାନା ରାଜ୍ୟରୁ ମଧ୍ୟ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଦ୍ୱାଦଶ ପରୀକ୍ଷାରେ ଫେଲ୍ ହେବାରୁ ତେଲେଙ୍ଗାନାର ବିଭିନ୍ନ ଜିଲ୍ଲାରେ ୮ ଜଣ ଛାତ୍ରଛାତ୍ରୀ ଜୀବନ ହାରିଛନ୍ତି । କିଏ ପରୀକ୍ଷାରେ ଫେଲ୍ ହୋଇଛି ତ ଆଉ କିଏ କମ୍ ମାର୍କ ରଖିଛି । ଏଥିରେ ନିରାଶ ହୋଇଛି ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏନେଇ ମୃତ ଛାତ୍ରଛାତ୍ରୀଙ୍କ ପରିବାର ଓ ପୋଲିସ ପକ୍ଷରୁ ସୂଚନା ମିଳିଛି । ଜୀବନ ହାରିଥିବା ସବୁ ପିଲାଙ୍କ ବୟସ ୧୬ରୁ ୧୭ ବର୍ଷ । ମେଡିପାଲ୍ଲୀ ଜିଲ୍ଲାର ଜଣେ ୧୬ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛି ।
ସେ ଜଗତିଆଲା ଅଞ୍ଚଳରେ ଗୋଟିଏ ଘରୋଇ କଲେଜରେ ଦ୍ୱାଦଶ ପ୍ରଥମ ବର୍ଷର ଛାତ୍ର ଥିଲେ । ପରୀକ୍ଷାରେ ୪ଟି ବିଷୟରେ ଫେଲ୍ ହୋଇଯିବାରୁ ଘରେ ଝୁଲି ପଡିଛନ୍ତି । ନିଜାମବାଦ ଜିଲ୍ଲାରୁ ମଧ୍ୟ ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଜୀବନ ହାରିଥିବା ସୂଚନା ମିଳିଛି । ସେ ମଧ୍ୟ ତିନୋଟି ବିଷୟରେ ଫେଲ୍ ହୋଇଥିଲେ । ତିରୁପତିରୁ ଜଣେ ୧୭ ବର୍ଷୀୟ ଛାତ୍ର ପାଟନଚେରୁ ଅଞ୍ଚଳରେ ପଢୁଥିବାବେଳେ ନିଜ ପରୀକ୍ଷା ରେଜଲ୍ଟରେ ନିରାଶ ହୋଇ ଚରମ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ସକାଳେ ରେଳ ଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।
ହାଇଦ୍ରାବାଦର ଏକ କଲେଜରେ ପଢୁଥିବା ଗଡୱାଲ ମଣ୍ଡଳ ଗାଁର ଆଉ ଜଣେ ଛାତ୍ରୀ ଫ୍ୟାନରେ ଫାଶି ଲଗାଇ ଝୁଲି ପଡିଛନ୍ତି । ସେହିପରି ପ୍ରକାଶମ ଜିଲ୍ଲା, ସିକନ୍ଦରାବାଦ, ଖୈରତାବାଦ ଏବଂ ନାରାୟଣପେଟ ଜିଲ୍ଲାରେ ଜଣେ ଲେଖାଏଁ ଛାତ୍ରୀଙ୍କ ମୃତ୍ୟୁ ଖବର ହସ୍ତଗତ ହୋଇଛି । ସମସ୍ତେ ଦ୍ୱାଦଶ ପରୀକ୍ଷାଫଳରେ ନିରାଶ ହୋଇ ଜୀବନ ହାରିଛନ୍ତି । ବିଡିଏଲ ଥାନା ଅଞ୍ଚଳରେ ଜଣଏ ଛାତ୍ରୀ ନିଖୋଜ ଥିବାର ଅଭିଯୋଗ ହୋଇଛି । ସମ୍ପୃକ୍ତ ଛାତ୍ର ଦ୍ୱାଦଶ ଦ୍ୱିତୀୟ ବର୍ଷ ପରୀକ୍ଷାରେ କିଛି ବିଷୟରେ ଫେଲ୍ ହୋଇଥିଲେ । ରେଜଲ୍ଟ ବାହାରିବା ପରେ ସେ ଟିକେ ବାହାରକୁ ଯାଉଛନ୍ତି ବୋଲି ଭଉଣୀକୁ କହିଥିଲେ । ହେଲେ ଆଉ ଘରକୁ ଫେରି ନାହାନ୍ତି ।