26.1 C
Bhubaneswar
Saturday, January 11, 2025
Homeଓଡିଶାମାତ୍ର ୧୦ ଟଙ୍କା ପାଇଁ ସପ୍ତମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ବିସ୍ତୃତ ସତ୍ୟପାଠ ଦାଖଲ...

ମାତ୍ର ୧୦ ଟଙ୍କା ପାଇଁ ସପ୍ତମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ବିସ୍ତୃତ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ମାତ୍ର ୧୦ ଟଙ୍କା ପାଇଁ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା। ହାଇକୋର୍ଟ ଶୁଣାଣି କରି ବିସ୍ତୃତ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରି ଦର୍ଶାଇଥିଲେ ଯେ ମୃତ ଛାତ୍ରୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ନିୟମିତ ଷ୍ଟାଇପେଣ୍ଡ ପ୍ରଦାନ ପାଇଁ ବ୍ୟବସ୍ଥା ଥିବା ନେଇ ଉଲ୍ଲେଖ କରିଥିଲେ।

ଏଥିରେ କିନ୍ତୁ ଅଦାଲତ ସନ୍ତୋଷବ୍ୟକ୍ତ କରିନଥିଲେ। ଅନୁସୂଚିତ ଜାତି ଓ ଜନଜାତି ବର୍ଗର କେତେ ଜଣ ଛାତ୍ରଛାତ୍ରୀ ୨୦୨୨ ମସିହାରେ ବୃତ୍ତି ପାଇଁ ଦରଖାସ୍ତ କରିଥିଲେ। କେତେ ଜଣଙ୍କୁ ବୃତ୍ତି ପ୍ରଦାନ କରାଯାଇଛି? ଏଥି ପାଇଁ କଣ ନିର୍ଦ୍ଦେଶାବଳୀ ରହିଛି? ଏ ନେଇ ବିସ୍ତୃତ ସତ୍ୟପାଠ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ ଏମ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିବାବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୨୩ ତାରିଖକୁ ଧାର୍ଯ୍ୟ କରାଯାଇଛି।

ଗଞ୍ଜାମ ଜିଲ୍ଲା ଆସ୍କା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଖାତା କିଣିବା ପାଇଁ ମାତ୍ର ୧୦ ଟଙ୍କା ପାଇ ପାରି ନଥିଲେ। ଏଥି ପାଇଁ ୧୨ ବର୍ଷୀୟା ଛାତ୍ରୀ ଜଣକ ନିଜ ଉପରେ କିରାସିନ ଢାଳି ୨୦୧୪ ଜୁନ ୨୫ରେ ଆତ୍ମହତ୍ୟା କରିଥିଲେ। ୨୦୧୩-୧୪ ବର୍ଷ ପାଇଁ ସ୍କୁଲର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ମିଳି ପାରିନଥିଲା। ଏଥି ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଶ୍ରୀ ଦାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking