32.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶ୭ ଇଭି କମ୍ପାନୀ ଗଣିବେ ୪୬୯ କୋଟି ଜୋରିମାନା

୭ ଇଭି କମ୍ପାନୀ ଗଣିବେ ୪୬୯ କୋଟି ଜୋରିମାନା

ନୂଆଦିଲ୍ଲୀ : ଭାରତରେ ବୈଦ୍ୟୁତିକ ଦୁଇଚକିଆ ଯାନ (ଇଭି) ନିର୍ମାଣ କରୁଥିବା ୭ଟି କମ୍ପାନୀ ଉପରେ କେନ୍ଦ୍ର ସରକାର ମୋଟ ୪୬୯ କୋଟି ଟଙ୍କାର ଜୋରିମାନା ଲାଗୁ କରିଛନ୍ତି । ଏହି କମ୍ପାନୀଗୁଡିକ ହେଲା ହିରୋ ଇଲେକ୍‌ଟ୍ରିକ୍‌, ଓକିନାୱା ଅଟୋଟେକ୍‌, ଆମ୍ପିଅର ଇଭି, ରିଭୋଲ୍ଟ ମୋଟର୍ସ, ବେନ୍‌ଲିଙ୍ଗ୍ ଇଣ୍ଡିଆ, ଏମୋ ମୋବିଲିଟି ଏବଂ ଲୋହିଆ ଅଟୋ । ସରକାରଙ୍କ ଦ୍ୱାରା ପ୍ରଚଳିତ ଫେମ୍ (ଫାଷ୍ଟର ଆଡପ୍‌ସନ୍ ଆଣ୍ଡ୍ ମ୍ୟାନୁଫାକ୍‌ଚରିଂ ଅଫ୍ ଇଲେକ୍‌ଟ୍ରିକ୍ ଭେହିକିଲ୍‌ସ) ଯୋଜନାକୁ କାର୍ଯ୍ୟକାରୀ ନକରି ଏହି କମ୍ପାନୀଗୁଡିକ ସବ୍‌ସିଡି ହାସଲ କରିଥିବାରୁ ଏଭଳି ଜୋରିମାନା ଗଣିବାକୁ ପଡିବ ବୋଲି କୁହାଯାଇଛି । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଜୋରିମାନା ପୈଠ ନ କରନ୍ତି, ତେବେ ଆସନ୍ତା ୧୦ ଦିନ ମଧ୍ୟରେ ଏହି ଯୋଜନାରୁ ସେମାନଙ୍କର ପଞ୍ଜିକରଣକୁ ବାତିଲ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଭାରୀ ଶିଳ୍ପ ମନ୍ତ୍ରଣାଳୟ ତରଫରୁ କରାଯାଇଥିବା ତଦନ୍ତରୁ ଜଣାପଡିଛି ଯେ ଫେମ୍ ଯୋଜନାକୁ ଉଲ୍ଲଂଘନ କରି ଏହି ୭ଟି କମ୍ପାନୀ ସବ୍‌ସିଡି ହାସଲ କରିଚାଲିଛନ୍ତି ।

ଫେମ୍ ଯୋଜନା ଅନୁଯାୟୀ ବୈଦ୍ୟୁତିକ ଯାନ ନିର୍ମାଣ କରୁଥିବା କମ୍ପାନୀଗୁଡିକ ଯଦି ଭାରତରେ ନିର୍ମିତ ଯନ୍ତ୍ରାଂଶ ବ୍ୟବହାର କରୁଥାନ୍ତି, ତାହାହେଲେ ସବ୍‌ସିଡି ପାଇବାକୁ ସେମାନେ ଯୋଗ୍ୟ ବିବେଚିତ ହେବେ । ତେବେ ଏହି ୭ଟି କମ୍ପାନୀ ଦୁଇଚକିଆ ଇଭି ନିର୍ମାଣରେ ବିଦେଶୀ ଯନ୍ତ୍ରାଂଶ ବ୍ୟବହାର କରିଥିବା ତଦନ୍ତରୁ ଜଣାପଡିଛି । ଦେଶର ମୋଟ ୧୩ଟି ଇଭି କମ୍ପାନୀ ମଧ୍ୟରୁ ୬ଟି କମ୍ପାନୀ ସରକାରୀ ନିର୍ଦ୍ଦେଶନାମା ପାଳନ କରିଥିବାବେଳେ ଅବଶିଷ୍ଟ ୭ଟି କମ୍ପାନୀ ଏହାକୁ ଅମାନ୍ୟ କରିଛନ୍ତି । ତେଣୁ ସେମାନଙ୍କ ଉପରେ ୪୬୯ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଥିବା କୁହାଯାଇଛି । କେତେକ ଇଭି କମ୍ପାନୀ ଯୋଜନା ଉଲ୍ଲଂଘନ କରି ସବ୍‌ସିଡି ହାସଲ କରୁଛନ୍ତି ବୋଲି ମନ୍ତ୍ରଣାଳୟ ନିକଟକୁ ଏକାଧିକ ବେନାମୀ ଇ-ମେଲ ଆସିଥିଲା । ଫଳରେ ମନ୍ତ୍ରଣାଳୟ ପକ୍ଷରୁ କଳା ତାଲିକାଭୁକ୍ତ କମ୍ପାନୀ ଉପରେ ନଜର ରଖାଯିବା ସହ ଗତବର୍ଷ ସେମାନଙ୍କର ସବ୍‌ସିଡିକୁ କିଛି ସମୟ ସ୍ଥଗିତ ରଖାଯାଇଥିଲା ।

ଉପରୋକ୍ତ ୭ଟି କମ୍ପାନୀ ମଧ୍ୟରୁ ୨ଟି କମ୍ପାନୀ ସବ୍‌ସିଡି ଫେରାଇଦେବେ ବୋଲି ମନ୍ତ୍ରଣାଳୟକୁ ଲିଖିତଭାବେ ଜଣାଇ ଦେଇଛନ୍ତି । ତେବେ ଦୁଇଚକିଆ ଯାନ ନିର୍ମାଣ ପ୍ରସଙ୍ଗରେ ଏହି ୭ଟି କମ୍ପାନୀ ଉପରେ କୌଣସି କଟକଣା ଲାଗୁ କରାଯାଇନଥିବା କୁହାଯାଇଛି । ଏହି ପ୍ରସଙ୍ଗରେ ହିରୋ ଇଲେକ୍ଟ୍ରିକ୍‌ର ମୁଖପାତ୍ର କହିଛନ୍ତି ଯେ ଯେଉଁ ସମୟ ପାଇଁ ଏହି ନୋଟିସ ଇସ୍ୟୁ କରାଯାଇଛି, ସେହି ସମୟରେ ନିୟମ ଉଲ୍ଲଂଘନ କରାଯାଇନଥିବାରୁ ଆମେ ଅର୍ଥଦଣ୍ଡ ଭୋଗିବାକୁ ଯୋଗ୍ୟ ବିବେଚିତ ହେଉନାହୁଁ । ଅପରପକ୍ଷରେ ଗ୍ରୀଭ୍‌ସ ଇଲେକ୍ଟ୍ରିକ୍ ମୋବିଲିଟୀ କମ୍ପାନୀର ମୁଖପାତ୍ର କହିଛନ୍ତି ଯେ ଦେଶରେ ଇଭି ନିର୍ମାଣକୁ ପ୍ରୋତ୍ସାହିତ କରିବାକୁ ସରକାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ତାହାକୁ ସ୍ୱାଗତ ଓ ସମର୍ଥନ କରିବାରେ ତାଙ୍କ କମ୍ପାନୀ ହେଉଛି ପ୍ରଥମ । ଇଭି ନିର୍ମାଣକୁ ପ୍ରୋତ୍ସାହିତ କରିବାକୁ ସରକାର ୨୦୧୯ରେ ଫେମ୍ ଯୋଜନା କାର୍ଯ୍ୟକାରୀ କରିଥିବାବେଳେ ଏଥିପାଇଁ ୧୦,୦୦୦ କୋଟି ବ୍ୟବବରାଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking