କିଭ୍ : ରୁଷ୍-ୟୁକ୍ରେନ୍ ଯୁଦ୍ଧ ୨୭ ଦିନରେ ପହଞ୍ଚିଥିବାବେଳେ ରୁଷ୍ ପକ୍ଷରୁ ୟୁକ୍ରେନ୍ର ଏକାଧିକ ସହର ଉପରେ ଆକ୍ରମଣ ଅବ୍ୟାହତ ରହିଛି । ରବିବାର ବିଳମ୍ବିତ ରାତିରେ କିଏଭ୍ର ପୋଡିଲ ଜିଲ୍ଲାରେ ରୁଷ୍ ପକ୍ଷରୁ ପ୍ରବଳ ବୋମାମାଡ କରାଯାଇଥିବାବେଳେ ୮ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ବୋମାମାଡରେ ଜନବସତି ଅଞ୍ଚଳର ଅଧିକାଂଶ ଘରଦ୍ୱାର ଧ୍ୱଂସ ହୋଇଥିବାବେଳେ ଗୋଟିଏ ସପିଙ୍ଗ୍ ମଲ୍ ନିଶ୍ଚିହ୍ନ ହୋଇଥିବା କିଏଭ୍ ମେୟର ସୂଚନା ଦେଇଛନ୍ତି । ରୁଷ୍ ସେନା ପକ୍ଷରୁ ୟୁକ୍ରେନ୍ର ନୋଭୋସେଲିତ୍ସ୍ୟା ସହର ଉପରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ସେଠାରେ ଥିବା ଏକ ସାର କାରଖାନା ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଏଥିରୁ ବିଷାକ୍ତ ଆମୋନିଆ ଗ୍ୟାସ ନିର୍ଗତ ହେଉଥିବାରୁ ୨.୫ କିମି ବ୍ୟାସାର୍ଦ୍ଧରେ ଥିବା ଅଞ୍ଚଳ ବିପଜ୍ଜନକ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ବିଷାକ୍ତ ଗ୍ୟାସ ପ୍ରଭାବରୁ ରକ୍ଷା ପାଇବାକୁ ତୁରନ୍ତ ବଙ୍କର କିମ୍ବା ମେଟ୍ରୋ ସବ୍ୱେକୁ ଚାଲିଯିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ଲାଣ୍ଟରେ ସାର ପ୍ରସ୍ତୁତ କରାଯାଇଥାଏ । ଆମୋନିଆ ଗ୍ୟାସ ପବନଠାରୁ ହାଲୁକା ହୋଇଥିବାରୁ ସାଧାରଣତଃ ଭୂପୃଷ୍ଠରେ ପହଞ୍ଚି ପାରିନଥାଏ ।