ଭୁବନେଶ୍ୱର: ଭୁବନେଶ୍ୱର ସହରକୁ ସବୁଜ କରିବା ସହିତ ସ୍ଥାନୀୟ ଲୋକଙ୍କ ବ୍ୟାୟାମ ପାଇଁ ବିଭିନ୍ନ ଅଞ୍ଚଳରେ ବିଏମ୍ସି ପକ୍ଷରୁ ୫୦ଟି ମିନି ପାର୍କ ନିର୍ମାଣ କରାଯିବ । ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ଏହି ପାର୍କ ଗୁଡିକୁ ପ୍ରସ୍ତୁତ କରାଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଚିହ୍ନିତ ମିଶନ ଶକ୍ତି ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରାଯିବ । ଗୋଷ୍ଠୀଗୁଡିକ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଯୋଜନା ଏବଂ କାର୍ଯ୍ୟାନ୍ୱୟନ କାର୍ଯ୍ୟରେ ଜଡିତ ରହିବେ । ବ୍ୟବସ୍ଥା ଅନୁଯାୟୀ ସମ୍ପୃକ୍ତ ଇଂଜିନିୟରଙ୍କ ନାମରେ କାର୍ଯ୍ୟ ନିର୍ଦ୍ଦେଶ ଜାରି କରାଯାଇଛି । ସମ୍ପୃକ୍ତ ଅଞ୍ଚଳର ମିଶନ ଶକ୍ତି ଗୋଷ୍ଠୀ ସହାୟକ ଏହାକୁ ତଦାରଖ କରିବେ। ଏଥିପାଇଁ ସେମାନଙ୍କୁ ବଜେଟ୍ ମୂଲ୍ୟର ୭.୫ ପ୍ରତିଶତ ପ୍ରଦାନ କରାଯିବ ।
ପାର୍କ ଗୁଡିକର ପରିସୀମା ଅଧା ଏକର କିମ୍ବା ଏହାଠାରୁ କମ୍ ରହିବ । ପାର୍କର ଆକାର ଅନୁଯାୟୀ ବଜେଟ ଭିନ୍ନ ଭିନ୍ନ ରହିଛି । ପ୍ରତ୍ୟେକ ପାର୍କ ପାଇଁ ୩୫ ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେହିପରି ପ୍ରତ୍ୟେକ ପାର୍କରେ ସୁବିଧା ଭିନ୍ନ ଭିନ୍ନ ରହିପାରେ ବୋଲି ସୂଚନା ଦିଆଯାଇଛି । ପାର୍କର ସୀମା ପ୍ରାଚୀର, ଗାର୍ଡ ରୁମ, ଯୋଗ ପିଣ୍ଡି, ଲୁହା ଫାଟକ, ଜଗିଂ ଟ୍ରାକ (ମୋରମ ଟ୍ରାକ ୧୦୦ ମିଟର), ପେଭର୍ ବ୍ଲକ (୨୦୦ ମିଟର) ଆଦି ରହିବ । ଏଥିସହ ପରିସ୍ରାଗାର (ପୁରୁଷ ଓ ମହିଳା), ଆଲୋକୀକରଣ, ସିମେ ଏବଂ ଏଫ୍ଆର୍ପି ବେଞ୍ଚ, ଜଳସେଚନ ବ୍ୟବସ୍ଥା ଆଦି କରାଯିବ । ଏହା ବ୍ୟତୀତ ପିଲାମାନଙ୍କ ପାଇଁ ବିଭିନ୍ନ ଖେଳ ଉପକରଣ ରହିବ ବୋଲି ସୂଚନା ଦିଆଯାଇଛି । ଆର୍କ ସ୍ୱିଙ୍ଗ୍, ୨ଜଣିଆ ସି-ସ, ଏଫ୍ଆରପି ସ୍ପାଇରାଲ୍ ସ୍ଲାଇଡ଼୍ ଆଦି ରହିବ। ସେହିପରି ଜିମ୍ ଉକକରଣ ମଧ୍ୟରେ ପୁସ୍-ଅପ୍ ବାର୍, ସୋଲ୍ଡର ଏକ୍ସରସାଇଜର୍, ବିଗ୍ ସୋଲ୍ଡର ହ୍ୱିଲ୍, ଟ୍ୱିଷ୍ଟର ଆଦି ରହିବ ।