18.1 C
Bhubaneswar
Monday, November 25, 2024
Homeଓଡିଶା୫ବର୍ଷରେ ଏସ୍‌ଏଚ୍‌ଜିଙ୍କୁ ମିଳିବ ୫ହଜାର କୋଟି

୫ବର୍ଷରେ ଏସ୍‌ଏଚ୍‌ଜିଙ୍କୁ ମିଳିବ ୫ହଜାର କୋଟି

ଭୁବନେଶ୍ୱର: ମହିଳାମାନଙ୍କୁ ମିଶନଶକ୍ତି ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ମିଶନଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସରକାର ଏବଂ ସମାଜ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଛନ୍ତି । ଏହା କହିଛନ୍ତି ମିଶନଶକ୍ତି ବିଭାଗର ସଚିବ ସୁଜାତା ଆର୍‌. କାର୍ତ୍ତିକେୟନ । ମଙ୍ଗଳବାର ୱାର୍ଲଡ ସ୍କିଲ ସେଣ୍ଟରରେ ଆୟୋଜିତ ମହତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳାର ଉଦଯାପନୀ ଦିବସରେ ଯୋଗଦେଇ ଶ୍ରୀମତୀ କାର୍ତ୍ତିକେୟନ ରାଜ୍ୟରେ ମିଶନ ଶକ୍ତିର ସଫଳତା ଏବଂ ଆହ୍ୱାନ ସମ୍ପର୍କରେ ଅଧିକାରୀମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ପ୍ରମୁଖ ବିକାଶମୂଳକ ପଦକ୍ଷେପ ମଧ୍ୟରୁ ମହିଳା ସଶକ୍ତୀକରଣ ଅନ୍ୟତମ । ମହିଳାମାନଙ୍କର ଆର୍ôଥକ ସଶକ୍ତୀକରଣ ସେମାନଙ୍କର ସାମାଜିକ ସଶକ୍ତୀକରଣରେ ଯଥେଷ୍ଟ ସହାୟକ ହୋଇଥାଏ । ବିଶେଷ କରି ତୃଣମୂଳସ୍ତରର ମହିଳାମାନେ ନିଷ୍ପତ୍ତି ଗ୍ରହଣରେ ଭାଗନେବା ଆବଶ୍ୟକ ।

ମିଶନଶକ୍ତି ମାଧ୍ୟମରେ ମହିଳାଙ୍କ ନେତୃତ୍ୱ ବିକାଶ ହୋଇପାରିଛି । କୋଭିଡ୍ ସମୟରେ ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ଏହାକୁ ପ୍ରମାଣିତ କରିଛନ୍ତି । ରାଜ୍ୟ ସରକାର ପାଞ୍ଚ ବର୍ଷ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ ପାଇଁ ୫ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ସେହିପରି ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ସ୍ତରରେ ୫୦୦ ମିଶନଶକ୍ତି ବଜାର/ଆଉଟଲେଟ ଆରମ୍ଭ କରାଯିବା ନିମନ୍ତେ ଯୋଜନା କରାଯାଇଛି । ଏହାବ୍ୟତୀତ ପ୍ରତ୍ୟେକ ବ୍ଲକରେ ମିଶନ ଶକ୍ତି କାଫେ ସ୍ଥାପନର ଲକ୍ଷ୍ୟ ରଖାଯାଇଛି । କାଫେରେ କାର୍ଯ୍ୟରତ ମହିଳାମାନେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମେନେଜମେଣ୍ଟରେ ତାଲିମ ପାଇଛନ୍ତି । ନୂତନ ଓଡ଼ିଶା ଗଠନରେ ସ୍ୱୟଂ ସହାୟକ ଗୋଷ୍ଠୀ ସହଯୋଗୀ ଭାବେ ରାଜ୍ୟର ବିକାଶରେ ନେତୃତ୍ୱ ନେବ ବୋଲି ଶ୍ରୀମତୀ କାର୍ତ୍ତିକେୟନ ପ୍ରକାଶ କରିଛନ୍ତି ।

ଏହି କର୍ମଶାଳାରେ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢ଼ୀ ଖାଦ୍ୟର ବିବିଧତା ଏବଂ ଖାଦ୍ୟ ଅପଚୟ ହ୍ରାସ ଉପରେ ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟକର, ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢ଼ାଇବା ନିମନ୍ତେ ସଚେତନତା ଅଭିଯାନର ଆବଶ୍ୟକତା ରହିଛି । ମହିଳାମାନଙ୍କ ପାଇଁ କୃଷିଭିତ୍ତିକ ପ୍ରଯୁକ୍ତିବିଦ୍ୟା ବିକାଶ କରିବା ଜରୁରୀ । ଚାଷ ଜମି ଉପରେ ମହିଳାଙ୍କ ଅଧିକାର ରହିବା ସହ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ସେମାନଙ୍କର ହାତରେ ରହିବା ଦରକାର । ଏହାଦ୍ୱାରା କୃଷିକ୍ଷେତ୍ରରେ ମଧ୍ୟ ମହିଳା ସଶକ୍ତୀକରଣ ହୋଇପାରିବ ।

ଅକ୍ଷୟଶକ୍ତିର ବ୍ୟବହାର, ଡିଜିଟାଲ ମାଧ୍ୟମରେ କୃଷି ସୂଚନା ଏବଂ ସେବାର ସମୟାନୁବର୍ତ୍ତୀ ବିତରଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ସିଟିଟିସି, ସିପେଟ୍‌, ଓର୍ମାସ୍‌, ଅରେଞ୍ଜ କ୍ରସ୍ ଏବଂ ଟାଟା ଷ୍ଟ୍ରାଇଭ ସଂସ୍ଥାର ପ୍ରତିନିଧିମାନେ ପ୍ରଦାନ କରୁଥିବା ଦକ୍ଷତା ବିକାଶ ତାଲିମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ୨୯ ଜଣ ଅଧିକାରୀ ୪ ଗୋଟି ଦଳରେ ବିଭକ୍ତ ହୋଇ ଆଗାମୀ ବର୍ଷ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ, ନିୟୋଜନ ନିର୍ଦ୍ଦେଶାଳୟର ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲା ନିୟୋଜନ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking